ଯାଜପୁର, ଫେବ୍ରୁଆରୀ ୧୫(ଲୋକାଲ ୱାୟାର): ନିଖୋଜ ନାବାଳିକାର ଅବଶେଷ ସନ୍ଧାନରେ ଯାଜପୁର ପୁଲିସ ପୋଖରୀ ଶୁଖାଇ ନିରାଶ ହୋଇଛି ।
ଲକ୍ଷ୍ଣଣ ନାୟକ ଓ ମୋନାଲିସା ନାୟକଙ୍କ ତିନି ବର୍ଷର ଝିଅ ଶୁଭଲକ୍ଷ୍ମୀ ନାୟକ ଅଗଷ୍ଟ ୯, ୨୦୨୦ରେ ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁରୁ ନିଖୋଜ ହୋଇ ଯାଇଥିଲେ ।
ଅଗଷ୍ଟ ୧୦ରେ ଏ ସମ୍ପର୍କରେ ଶୁଭଲକ୍ଷ୍ମୀର ବାପାମା ବିଞ୍ଝାରପୁର ଥାନାରେ ଏଫଆଇଆର ଦେଇଥିଲେ ।
୬ ମାସରୁ ଅଧିକ ସମୟ ବିତି ସାରିଥିଲେ ବି ପୁଲିସ ଝିଅଟିକୁ ଠାବ କରି ପାରିନାହିଁ ।
ନ୍ୟାୟ ପାଇଁ ଶୁଭଲକ୍ଷ୍ମୀର ବାପାମା ଜିଲ୍ଲାପାଳ ଓ ଏସପିଙ୍କୁ ଗୁହାରି କରି ବିଫଳ ହେବା ପରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନ ଆଗରେ ଧାରଣାରେ ବସିଥିଲେ ।
ମାମଲାର ତଦନ୍ତ ପାଇଁ ଯାଜପୁର ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି ।
ପୁଲିସ ପକ୍ଷରୁ ନିଖୋଜ ବାଳିକାର ପୋଷ୍ଟର ଲଗାଯିବା ସହିତ ସୂଚନାଦାତାଙ୍କୁ ୨୦ ହଜାର ଟଙ୍କାର ଅର୍ଥ ରାଶି ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଛି ।
ଝିଅଟି ବୁଡି ଯାଇଥିବା ଆଶଙ୍କା କରି ଗାଁ ପୋଖରୀ ଶୁଖା ଯାଇଥିଲା । ହେଲେ ସେଠାରୁ କିଛି ସୁରାକ ମିଳିନାହିଁ ।
ମାମଲାର ତଦନ୍ତ ଜାରି ରହିଛି ବୋଲି ଯାଜପୁର ଅତିରିକ୍ତ ଏସପି ନିରଞ୍ଜନ ବାରିକ କହିଛନ୍ତି ।
ଲୋକାଲ ୱାୟାର
Leave a Reply