ଭୁବନେଶ୍ୱର, ମେ ୨୬(ଲୋକାଲ ୱାୟାର): ସମୁଦ୍ର ହେଉକି, କିତ୍ତିୀରାଜି । ବଣ ପାହାଡ଼ ଘେରା ୪ ଥାକିଆ ରାସ୍ତା ହେଉ କି ବିସ୍ତୀର୍ଣ୍ଣ ଜଳରାଶି ।
ମନ ଖୋଜୁଥାଏ ସବୁବେଳେ କିଛି ନୂଆ ଦେଖିବାକୁ । କିଛି ନୂଆ ଖୋଜିବାକୁ । ନୂଆ ଅନୁଭୂତି ସାଉଁଟିବାକୁ ।
ମନ ଭିତରେ ଥିବା ଏହି ଅନ୍ତର୍ନିହିତ ଅନୁସନ୍ଧିସ୍ନୁ ଇଚ୍ଛା ହିଁ ତାକୁ ଆଖ୍ୟା ଦିଏ ପର୍ଯ୍ୟଟକର ।
ଆପଣ ଯଦି ବାସ୍ତବିକ ଏମିତି ମନ ନେଇ କିଛି ନୂଆ ଜାଗା ଖୋଜିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କରୋନାର ଲକ୍ ଡାଉନ ପରେ ବଦଳାଇବାକୁ ପଡ଼ିବ ଭ୍ରମଣର ପରିଭାଷା ।
ଯାହାକି ଚିରାଚରିତ ସମୁଦ୍ର ବେଳାଭୂମି କି ପରିବେଶ ପର୍ଯ୍ୟଟନ ଭିତରେ ସୀମିତ ନୁହେଁ । ବରଂ ତାଠାରୁ ଢେର ଊଦ୍ଧ୍ୱର୍ରେ ।
ପର୍ଯ୍ୟଟନର ଏଭଳି ଏକ ନୂଆଦିଗ ହେଉଛି ହାଇୱେ ଟୁରିଜିମ୍ । ପାଠକଙ୍କୁ ପର୍ଯ୍ୟଟନର ଏହି ନୂଆ ଦିଗ ସହ ପରିଚୟ କରାଇବା ପାଇଁ ଆମେ ଚଳିତ ଥର ଏନଏଚ୍ ୧୬ ବା ଜାତୀୟ ରାଜପଥ ୧୬ ଉପରେ ଫୋକସ୍ କରୁଛୁ ।
ମେ’ ୩୧ । ସରି ସରି ଆସୁଛି ଲକ୍ ଡାଉନ୍ ସମୟ । ଯଦିଓ ସବୁକିଛି କୋହଳ ନ ହୁଏ ତଥାପି କିଛି ସ୍ଥାନକୁ ଯିବାର ଅବକାଶ ତ ନିଶ୍ଚିତ ଭାବେ ଜୁଟିବ ।
ଲୋକଙ୍କ ସହ ମିଶିବା, ରାସ୍ତାକଡ଼ ଖାଇବାର ସ୍ୱାଦ ଚାଖି ନ ହେଲେ ବି ପ୍ରକୃତିର ମନୋରମ ଦୃଶ୍ୟକୁ ମନଭରି ଦେଖିହେବ ।
ଜାତୀୟ ରାଜପଥର କଳା ମିଚି ମିଚି ପିଚୁ ରାସ୍ତାରେ ଗଲା ବେଳେ ଟିକେ ଗାଡ଼ିର ଚକା ଖସାଇ କୌଣସି ଏକ ଗାଁ ଭିତରକୁ ପଶିହେବ । ଦୀର୍ଘଦିନ ଧରି ଲକ୍ ଡାଉନର ବନ୍ଦ ଦରଜା ଭିତରେ ରହିଥିବା ମନକୁ ମିଳିବ ଟିକେ ଆଶ୍ୱସ୍ତି ।
ଏମିତି ଟିକେ ନିରୋଳା ଓ ଅନ୍ତରଙ୍ଗ ମୂହୁର୍ତ୍ତକୁ ଅପେକ୍ଷା କରି ରହିଥିବା ହଜାର ହଜାର ପ୍ରକୃତି ପ୍ରେମୀଙ୍କ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ରୋଡ ଟ୍ରିପ୍ ଓଡିଶା’ କ୍ୟାମ୍ପେନ୍ ।
ଯେଉଁଥିରେ ରାଜପଥ ଓ ଏହାର ଆଖପାଖ ୧୦ କିଲୋମିଟର ପରିଧି ଭିତରର ପର୍ଯ୍ୟଟନ ସ୍ଥଳୀକୁ ଗୁରୁତ୍ୱ ଦିଆଯାଉଛି ।
ଯେ କୌଣସି ଜାତୀୟ ରାଜପଥର ୧୦ କିଲୋମିଟର ଭିତରେ ଥିବା ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀକୁ ଖୋଜି ବାହାର କରିବା, ସେଠାକାର ଲୋକଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା, ବୁଝିବା, କ୍ୟାମେରା ଫ୍ରେମରେ ବାନ୍ଧିବା ସହ ସେମାନଙ୍କ ସହ ଅନ୍ତରଙ୍ଗ ଆଳାପ କରିବା, ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇବା ଏବେ ପର୍ଯ୍ୟଟନର ଟ୍ରେଣ୍ଡ ବୋଲି କହନ୍ତି ପର୍ଯ୍ୟଟନ ଅଧିକାରୀ ଶଶାଙ୍କ ରଥ ।
ସେ କହନ୍ତି ଯଦିଓ ଓଡ଼ିଶାରେ ପର୍ଯ୍ୟଟନର ଏଭଳି ଦିଗକୁ ଉନ୍ମୋଚନ କରିବାକୁ କେହି ମନ ବଳାଇ ନାହାନ୍ତି ତଥାପି ସରକାର ଏ ଦିଗରେ ଚିନ୍ତା କରି ପାରିବେ ।
ଓଡ଼ିଶାର ପରିଚୟ କେବଳ ପୁରୀ, କୋଣାର୍କ ଚିଲିକା ନୁହେଁ । କି ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ନୁହେଁ । ଅନେକ କିଛି ଅଛି । ହେଲେ ଏଥିପାଇଁ ବ୍ରାଣ୍ଡିଂ ଦରକାର ।
କିଭଳି ଭାବେ ପ୍ୟାକେଜିଂ ଦ୍ୱାରା ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ଡାକି ହେବ ସେ ଦିଗରେ ମିଳିତ ପ୍ରୟାସ ହେବା ଦରକାର ।
ହାଇୱେ ଟୁରିଜିମର ବିକାଶ ପାଇଁ ରାଜ୍ୟରେ ଅନେକ ସ୍ଥାନ ଅଛି । ତା ଭିତରେ ଆମେ ଏନଏଚ୍-୧୬କୁ ଉଦାହରଣ ଭାବେ ନେଇ ପାରିବା ।
ଭୁବନେଶ୍ୱରର ଖଣ୍ଡଗିରିରୁ ଆରମ୍ଭ କରି ଗୋପାଳପୁର ସମୁଦ୍ର ବେଳାଭୂମି ପର୍ଯ୍ୟନ୍ତ ବ୍ୟାପିଥିବା ଏହି ଜାତୀୟ ରାଜପଥ ହାଇୱେ ଟୁରିଜିମର ଅନ୍ତର୍ଭୁକ୍ତ ହୋଇ ପାରିବ ।
ଏହା ଭିତରେ ଜଣେ କେବଳ ଧାର୍ମିକ ପର୍ଯ୍ୟଟନ ନୁହେଁ ବରଂ ବେଳାଭୂମି ପର୍ଯ୍ୟଟନ, ଐତିହ୍ୟ ପର୍ଯ୍ୟଟନ, ପରିବେଶ ପର୍ଯ୍ୟଟନର ମଜା ନେଇ ପାରିବେ ।
ଖଣ୍ଡଗିରିରୁ ଗୋପାଳପୁର ଭିତରେ ଜଣେ ଅତି କମ୍ ରେ ୧୦ରୁ ଅଧିକ ପର୍ଯ୍ୟଟନ ସ୍ଥଳୀ ବୁଲି ପାରିବ ।
ଖଣ୍ଡଗିରି-ଉଦୟଗିରି ସ୍ଥିତ ଜୈନ କୀର୍ତ୍ତିରାଜିଠାରୁ ଆରମ୍ଭ କରି ନାରାୟଣୀ, ମଙ୍ଗଳାଯୋଡ଼ି, ବରକୁଳ, ତାମ୍ପରା, ଅର୍କିଡ ହାଉସ୍, କାଳିଯାଇ, ଖଲ୍ଲିକୋଟ ରାଜପ୍ରାସାଦ, ନର୍ମଳଝର, ଡ୍ୟାମ୍, ପୋତାଗଡ଼ ଦୁର୍ଗ, ପର୍ତ୍ତୁଗୀଜଙ୍କ ଦ୍ୱାରା ପ୍ରସ୍ତୁତ ବ୍ରିଟିସ୍ ସିମେଟ୍ରି ସହ ଗୋପାଳପୁର ସମୁଦ୍ର ବେଳାଭୂମିରେ ପହଞ୍ଚି ପାରିବ ।
ପର୍ଯ୍ୟଟନର ବ୍ରାଣ୍ଡିଂ କଥା ଚିନ୍ତାକଲେ ଆମକୁ ଅନେକଗୁଡ଼ିଏ ଦିଗକୁ ଦୃଷ୍ଟିରେ ରଖିବାକୁ ପଡ଼ିବ । ଯେପରିକି ସେଠାରେ କେବଳ ପର୍ଯ୍ୟଟନ ସ୍ଥଳୀ ଥିଲେ ହେବନି ।
ବରଂ ଲୋକଙ୍କ ପାଇଁ ରହିବା ଓ ଖାଇବାର ବ୍ୟବସ୍ଥା ଥିବା ଦରକାର । ଯାହାକି ହାଇୱେ ୧୬ର ଏହି ରାସ୍ତାରେ ଅଛି । ଖଣ୍ଡଗିରିରୁ ମାତ୍ର ୨୯ କିଲୋମିଟର ଦୂରରେ ବାମ ପଟେ ଗଲେ ପଡ଼ିବ ବରୁଣେଇ ପାହାଡ଼ ।
ମନ୍ଦିର ଉପରକୁ ଯିବା ପାଇଁ ହେଲେ ଏନଏଚ୍-୧୬ରୁ ୨ କିଲୋମିଟର ଭିତରକୁ ଯିବାକୁ ପଡ଼ିବ । ଦୁଇ ପାଖରେ ଘଞ୍ଚ ଜଙ୍ଗଲ ସାଙ୍ଗକୁ ପାହାଡ କାଠି ଉପରକୁ ଚଢ଼ିବାର ମଜା ନିଆରା ।
ସେହିପରି ମାତ୍ର ୩୭ କିଲୋମିଟର ଗଲେ ପଡ଼ିବ ଅଟ୍ରି ଉଷ୍ମ ପ୍ରସ୍ରବଣ । ଏନଏଚ୍ ୧୬ରୁ ମାତ୍ର ୧୩ କିଲୋମିଟରରେ ରହିଥିବା ଏହି ଉଷ୍ମ ପ୍ରସ୍ରବଣରେ ଚର୍ମରୋଗ ଭଲ ହେବା ପାଇଁ ଜଣେ ଗାଧୋଇବା ସହ ରହିପାରିବେ ।
ଭୁବନେଶ୍ୱରରୁ ମାତ୍ର ୬୨.୮ କିଲୋମିଟର ଦୂର ଓ ଏନଏଚ୍ ୧୬ରୁ ମାତ୍ର ସାଢ଼େ ୪ କିଲୋମିଟର ଭିତରକୁ ଗଲେ ପଡ଼ିବ ମଙ୍ଗଳାଯୋଡ଼ି ।
ପକ୍ଷୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ଏହି ସ୍ଥାନକୁ ବୁଲିବା ପାଇଁ ସବୁଠାରୁ ଉକ୍ରୃଷ୍ଟ ସମୟ ହେଉଛି ନଭେମ୍ବରରୁ ଫେବ୍ରୁଆରୀ ।
ତେବେ ଜଣେ ଚାହିଁଲେ ମଙ୍ଗଳାଯୋଡ଼ି କୂଳରେ ବସି ଗ୍ରୀଷ୍ମକାଳୀନ ସୂର୍ଯ୍ୟାସ୍ତର ମଜାବି ନେଇ ପାରିବ ।
ପରକୁ ପର ଉଗ୍ରତାରା ଓ ତା’ପରେ ବରକୂଳ ଯାଇ ସେଠାରେ ଚିଲିକାର ସ୍ନିଗ୍ଧ ଶୀତଳ ଜଳ ଓ ତାର ପ୍ରାକୃତିକ ପରିବେଷ୍ଟନୀର ମଜା ନେଇ ପାରିବେ ।
ଯଦିଓ ଏବେ ଚିଲିକା ପର୍ଯ୍ୟଟନକଙ୍କ ପାଇଁ ଖୋଲିନି ତେବେ ଏହାକୁ ଖୁବ୍ ଶୀଘ୍ର ଖୋଲିବା ପାଇଁ ପର୍ଯ୍ୟଟନ ବିଭାଗ ଯୋଜନା କରୁଛି ।
ପର୍ଯ୍ୟଟନ କେବଳ ମନୋରଞ୍ଜନର ଆଧାର ନୁହେଁ । ବରଂ ଏହା ଏକ ବଳିଷ୍ଠ ଚିନ୍ତାଧାରା ।
ଲୋକଙ୍କୁ ନିଜପ୍ରତି ଆକୃଷ୍ଟ କରିବା, ନିଜ ସଂସ୍କୃତି ଓ ପରମ୍ପରାରେ ସାମିଲ କରିବା, ଚାଲି ଚଲଣରେ ହଜାଇଦେବା ହେଉଛି ବାସ୍ତବିକ ପର୍ଯ୍ୟଟନର ବିକାଶ ।
ଲୋକଙ୍କ ସହ, ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ୱାରା କରାଯାଉଥିବା ସାମୁହିକ ବିକାଶ ହିଁ ପର୍ଯ୍ୟଟନର ଲକ୍ଷ୍ୟ ହେବା ଉଚିତ୍ । ଏହା ଭିତରେ ସବୁ ଲକ୍ଷ୍ୟ ।
କେମିତି ଯିବେ
ହାଇୱେ ୧୬କୁ ଅଧିକ ଭଲ ଭାବେ ଖୋଜିବା ପାଇଁ ଆପଣ ଟ୍ୟାକ୍ସି ଓ ବାଇକ୍ ବ୍ୟବହାର କରିପାରିବେ ।
କ’ଣ ଦେଖିବେ
ଖଣ୍ଡଗିରିରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ଆପଣ ନିମ୍ନରେ ଥିବା ଗୋଟିଏ ପରେ ଗୋଟିଏ ସ୍ଥାନ ଦେଖିବା ସହ ସେଠାକାର ପ୍ରାକୃତିକ ପରିବେଶର ମଜା ନେଇ ପାରିବେ ।
ଏହାସହ ନିଜର ସମୃଦ୍ଧ ଇତିହାସ, ଏହାର ପରମ୍ପରା ଓ ସଂସ୍କୃତି ବାବଦରେ ନିଜକୁ ସମୃଦ୍ଧ କରିପାରିବେ ।
(ଖଣ୍ଡଗିରି-ଉଦୟଗିରି)- ଜୈନ କୀର୍ତ୍ତିରାଜି
(ବରୁଣେଇ)-ବଣ ପାହାଡ଼ ଘେରା ପ୍ରାକୃତିକ ପରିବେଶ, ମା’ ବରୁଣେଇଙ୍କ ପୀଠ, ଖୋର୍ଦ୍ଧାଗଡ଼
(ଅଟ୍ରି)- ଉଷ୍ମ ପ୍ରସ୍ରବଣ
(ମଙ୍ଗଳାଯୋଡ଼ି)-ପକ୍ଷୀଙ୍କ ଭୂସ୍ୱର୍ଗ, ବିଦେଶାଗତ ପକ୍ଷୀ,ନୌକାବିହାର
(ଉଗ୍ରତାରା)-ଭଗବତୀଙ୍କ ପୀଠ,
(ବରକୁଳ)- କାଳିଯାଇ, ନଳବଣ, ବ୍ରେକ୍ ଫାଷ୍ଟ ଆଇଲ୍ୟାଣ୍ଡ, ହନିମୁନ୍ ନାରାୟଣୀ-ପାହାଡ଼ ଉପରେ ମାଙ୍କ ମନ୍ଦିର, ଆଇଲ୍ୟାଣ୍ଡ, ଡଲଫିନ୍ ପଏ , ଚଢ଼େଇ ହଗା ପାହାଡ
(ଖଲ୍ଲିକୋଟ)- ଦ୍ୱିତୀୟ ମନ୍ଦିରମାଳିନୀ ସହର, ପୁରାତନ ଜଗନ୍ନାଥ ମନ୍ଦିର, ଖଲ୍ଲିକୋଟ ରାଜପ୍ରାସାଦ, ରାଧାକୃଷ୍ଣ ମନ୍ଦିର, ନିର୍ମଳଝର ।
(ରମ୍ଭା)- ବୋଟିଂ, ଜଳକ୍ରୀଡ଼ା

(ପୋତାଗଡ)- ପୁରାତନ ଦୁର୍ଗ, ପର୍ତ୍ତୁଗୀଜ୍ ମାନଙ୍କର କବର ।
(ତାମ୍ପରା)- ଜଳକ୍ରୀଡ଼ା ପାଇଁ ପ୍ରସ୍ତୁତ ହେଉଥିବା ନୂତନ ସ୍ଥାନ ।
(ଆର୍ଯ୍ୟପଲ୍ଲୀ)-ସମୁଦ୍ର ବେଳାଭୂମି
(ଗୋପାଳପୁର)-ସମୁଦ୍ର ବେଳାଭୂମି
ଲୋକାଲ ୱାୟାର
Leave a Reply