ଭୁବନେଶ୍ୱର, ଜାନୁଆରୀ ୨୦(ଲୋକାଲ ୱାୟାର): ଏଣିକିି ପ୍ରତି ମାସର ୨୦ ତାରିଖକୁ ସ୍ୱଚ୍ଛ ଚର୍ଚ୍ଚା ଦିବସ ରୂପେ ପାଳନ କରାଯିବ ।
ରାଜ୍ୟ ସରକାରଙ୍କର ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ନିଷ୍ପତ୍ତି କ୍ରମେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ପ୍ରତ୍ୟେକ ସହରାଞ୍ଚଳ ସଂସ୍ଥାରେ ପରିମଳ କାର୍ଯ୍ୟର ପ୍ରଗତି ଏବଂ ଅଗ୍ରଗତିକୁ ନେଇ ଏଥିରେ ସମୀକ୍ଷା କରାଯିବ ।
ଏହି ଆଧାରରେ ମଙ୍ଗଳବାର ପ୍ରଥମ ଥର ପାଇଁ ବିଡିଏ ସମ୍ମିଳନୀ କକ୍ଷରେ ଦିନ ୧୧ ଟାରେ ବିଏମସି ପକ୍ଷରୁ “ସ୍ୱଚ୍ଛ ଚର୍ଚ୍ଚା ଦିବସ” ପାଳନ କରାଯାଇଥିଲା ।
ବିଏମସିର ପରିମଳ ସହିତ ସଂପୃକ୍ତି ଥିବା ସମସ୍ତ ଅଧିକାରୀ ଏହି ବୈଠକରେ ଯୋଗଦେଇ ନିଜ ସେଲ୍ ର ଅଗ୍ରଗତି ବାବଦରେ ସୂଚନା ଦେଇଥିଲେ ।
ପରିମଳ ଜନିତ ଆଲୋଚନା ଏବଂ ସମୀକ୍ଷା ପରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମସିସି) ଏବଂ ମ୍ୟାଟେରିଆଲ୍ ରିକଭରି ଫ୍ୟାସିଲିଟିର ବ୍ୟବହାର ସମ୍ପର୍କରେ ଆଲୋଚନା ହୋଇଥିଲା ।
ବିଜ୍ଞାନ ସମ୍ମତ ବର୍ଜ୍ୟ ପରିଚାଳନା ସହିତ ଏହି ଅଭିଯାନରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ବୈଠକରେ କୁହାଯାଇଛି ।
ପ୍ରଥମକରି ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ‘ମୋ ଖତ’ର ଚାହିଦା ଉପାଦେୟତା ଏବଂ ଉପ୍ତାଦନ ଉପରେ ଗୁରୁତ୍ୱ ଦିଆଯାଇଛି ।
ଓୟୁଏଟିରୁ ଆସିଥିବା ଆସୋସିଏଟ୍ ପ୍ରଫେସର୍ ରବୀନ୍ଦ୍ର ନାୟକ କମ୍ପୋଷ୍ଟିଂ ବାବଦରେ ଆଲୋଚନା କରି ଏହାର ମାନ ରକ୍ଷା, ପ୍ରସ୍ତୁତି ଇତ୍ୟାଦି ବାବଦରେ ବୁଝାଇଥିଲେ ।
ଭୁବନେଶ୍ୱରର ପରିମଳ ବାବଦରେ ସଂଶ୍ଳିଷ୍ଟ ସମସ୍ତ ସଂସ୍ଥା ସହିତ ସମନ୍ୱୟ ରକ୍ଷା କରି ସ୍ୱଚ୍ଛ ଚର୍ଚ୍ଚା ଦିବସର ଅଭିମୁଖ୍ୟକୁ ଆଗେଇ ନେବାକୁ ବିଏମ୍ସି କମିସନର ପରାମର୍ଶ ଦେଇଛନ୍ତି ।
ଲୋକାଲ ୱାୟାର
Leave a Reply