ଭୁବନେଶ୍ୱର, ଜାନୁଆରୀ ୮(ଲୋକାଲ ୱାୟାର): ଇକୋ ଟୁରିଜିମକୁ ଆଖିରେ ରଖି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏବଂ ଜଙ୍ଗଲ ବିଭାଗ ମିଳିତ ଆନୁକୂଲ୍ୟରେ ଦୁଇଟି ସ୍ୱତନ୍ତ୍ର ପ୍ୟାକେଜ୍ ଟୁରର ବ୍ୟବସ୍ଥା ହୋଇଛି । ଏନେଇ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
ଏହା ଆସନ୍ତା ୧୧ ତାରିଖ ଶନିବାରରେ ଭିତରକନିକା ଓ ୧୨ ତାରିଖ ରବିବାର ସାତକୋଶିଆ ପାଇଁ ୨ଟି ସ୍ୱତନ୍ତ୍ର ବସ୍ ପ୍ୟାକେଜ୍ ଭୁବନେଶ୍ୱର ପାନ୍ଥନିବାସରୁ ବାହାରିବ ।
ଭିତରକନିକା ପାଇଁ ପାନ୍ଥନିବାସରୁ ସକାଳ ସାଢ଼େ ୫ଟାରେ ବାହାରି ଭୁବନେଶ୍ୱର ରେଳ ଷ୍ଟେସନ୍ ଛକରେ ସକାଳ ୫ଟା ୪୫ ଏବଂ ବାଣୀବିହାର ଛକରେ ସକାଳ ୫ଟା ୫୫ମିନିଟରେ ପହଞ୍ଚିବ ।
ସେଠାରୁ ପର୍ଯ୍ୟଟକମାନଙ୍କୁ ନେଇ ସକାଳ ୬ଟା ବେଳେ ଭୁବନେଶ୍ୱର ଛାଡ଼ିବ ଏବଂ ରାତି ୯ଟା ସୁଦ୍ଧା ପ୍ରତ୍ୟାବର୍ତ୍ତନ କରିବ ।
ସେହିପରି ସାତକୋଶିଆ ପାଇଁ ରବିବାର ଦିନ ଭୁବନେଶ୍ୱର ପାନ୍ଥନିବାସରୁ ସକାଳ ୭ଟାରେ ବାହାରି ଭୁବନେଶ୍ୱର ରେଳ ଷ୍ଟେସନ୍ ଛକରେ ସକାଳ ୭ଟା ୧୫, ବାଣୀବିହାର ଛକରେ ସକାଳ ସାଢ଼େ ୭ଟା ଏବଂ ହୋଟେଲ ଟ୍ରାଇଡେଣ୍ଟ ଛକରେ ସକାଳ ୭ଟା ୪୫ମିନିଟରେ ପହଞ୍ଚି ପର୍ଯ୍ୟଟକମାନଙ୍କୁ ନେଇ ଖଣ୍ଡଗିରି ଦେଇ ସାତକୋଶିଆ ଅଭିମୁଖେ ଯାତ୍ରା କରିବ ।
ସାତକୋଶିଆ ଭ୍ରମଣ କରିବା ସହିତ ନୟାଗଡ଼ରୋ ଲଡ଼ୁବାବାଙ୍କ ଦର୍ଶନ କରି ଭୁବନେଶ୍ୱରରେ ସନ୍ଧ୍ୟା ୬ଟାରେ ପହଞ୍ଚିବ ।
ଏହି ପ୍ୟାକେଜ୍ ଗୁଡ଼ିକରେ ଶୀତତାପ ନିୟନ୍ତ୍ରିତ ଗାଡ଼ି ସହିତ ମଧ୍ୟାହ୍ନ ଭୋଜନ, ନୌକା ବିହାର କରିବାର ସୁବିଧା ମିଳିବ ।
ଭିତରକନିକା ପାଇଁ ପ୍ୟାକେଜ୍ ମୂଲ୍ୟ ଜଣକ ପିଛା ୧୭୦୦ ଏବଂ ସାତକୋଶିଆ ଜଣକ ପିଛା ୧୪୯୦ଟଙ୍କା ରଖାଯାଇଛି ।
ସାଧାରଣତଃ ବହୁ ପର୍ଯ୍ୟଟକଙ୍କ ପାଖରେ ସମୟ ଏବଂ ସୁବିଧା ଅଭାବରୁ ସେମାନେ ଏପରି ପ୍ରକୃତିଭରା ପର୍ଯ୍ୟଟନସ୍ଥଳୀଗୁଡ଼ିକ ଯାଇପାରୁନାହାନ୍ତି । ତେଣୁ ଏ ଉଦ୍ୟମ ସଫଳ ହେବ ବୋଲି ଆଶା କରାଯାଇଛି ।
ସବିଶେଷ ବିବରଣୀ ଓ ବୁକିଂ ପାଇଁ ବିଭାଗୀୟ ୱେବସାଇଟ୍ ଓ ଯୋଗାଯୋଗ ନମ୍ବରରେ ଯୋଗାଯୋଗ କରିବାକୁ ସୂଚନା ଦିଆଯାଇଛି ।
ଲୋକାଲ ୱାୟାର
Leave a Reply