କେନ୍ଦ୍ରାପଡ଼ା, ମାର୍ଚ୍ଚ ୨୨ (ଲୋକାଲ ୱାୟାର): ପ୍ରବଳ ଖରା ସାଙ୍ଗକୁ ଉକ୍ରଟ ଜଳାଭାବରେ ହନ୍ତସନ୍ତ ହେଉଛନ୍ତି ମହାକାଳପଡ଼ା ବ୍ଲକର ସମୁଦ୍ରକୂଳିଆ ଗାଁ ଲୋକେ ।
ଗୋଜାବନ୍ଧ, ଛେଡ଼ାକାନି, ବରକନ୍ଦା, ମଙ୍ଗଳପୁର, ଗୁଆଳିକାଣି, କୁମ୍ଭାରପଡ଼ା, ବାନ୍ଧପଡ଼ା, ଚନ୍ଦା, ପୁରୁଷୋତ୍ତମପୁର ଆଦି ଗାଁରେ ଦିନକୁ ଦିନ ଜଳ ସଙ୍କଟ ବ୍ୟାପକ ହେବାରେ ଲାଗିଛି ।
ଗତ ବର୍ଷ ଠାରୁ ତିନିଟି ନଳକୂଅ ଅଚଳ ହୋଇ ପଡ଼ିଥିବାରୁ ଲୋକେ ଏକ କିଲୋମିଟର ଦୂରରୁ ପାଣି ଆଣୁଛନ୍ତି । ଘରେ ପିଇବା ପାଣି ନାହିଁ ।
ନେତାମାନେ ଭୋଟ ବେଳେ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ପରେ ଭୁଲି ଯାଉଛନ୍ତି ବୋଲି କହନ୍ତି ପାଟଳିପଙ୍ଗା ଗାଁର ବିପ୍ଳବ ଜେନା ।
ସ୍ୱେରେଜ ପାଇପ ଲିକ୍ ଥିବାରୁ ଦୁଇ ବର୍ଷ ହେଲା ଦୂଷିତ ପାଣି ପିଉଛୁ । ଗାଁରେ ମହାମାରୀ ବ୍ୟାପିବା ଆଶଙ୍କା ରହିଛି ବୋଲି ଜଗନ୍ନାଥପୁରର ରଙ୍ଗାଧର ଦାଶ କହିଛନ୍ତି ।
ଭୂତଳ ଜଳ ସ୍ତର ହ୍ରାସ ସାଙ୍ଗକୁ ଖରାଦିନେ ଜଳର ଲବଣାଂଶ ବୃଦ୍ଧି ପାଉଥିବାରୁ ଲୋକେ ସମସ୍ୟା ଭୋଗୁଛନ୍ତି ।
ନଳକୂଅରୁ ବି ଲୁଣି ପାଣି ବାହାରୁଛି ବୋଲି ଗୋଜବନ୍ଧ ଗାଁର ମହେଶ୍ୱର ଦାସ କହିଛନ୍ତି ।
ମହିଳା ଓ ଶିଶୁମାନେ ଦୂର ଗାଁରୁ ପାଣି ଆଣୁଛନ୍ତି । କର୍ତ୍ତୃପକ୍ଷ ବହୁ ଗାଁରେ ନଳକୂଅ ଖୋଳିଛନ୍ତି ।
ହେଲେ ଅଧିକାଂଶ ଅଚଳ ଥିବାରୁ ଲୋକେ ପୋଖରୀ, ନଦୀ ଓ ଅନ୍ୟ ଜଳ ଉତ୍ସରୁ ଦୂଷିତ ପାଣି ଆଣୁଛନ୍ତି ।
ଆଗାମୀ ଦିନରେ ଜଳ ସଙ୍କଟ ଆହୁରି ଉକ୍ରଟ ହେବ ବୋଲି ବରକନ୍ଦା ଗାଁର ନୀଳାଦ୍ରୀ ସାମଲ କହିଛନ୍ତି ।
ଲୁଣି ପାଣି ପିଇ ସମୁଦ୍ରକୂଳିଆ ଗାଁ ଲୋକେ ଉଚ୍ଚ ରକ୍ତଚାପ, କିଡନୀ ସମସ୍ୟା ଓ ଜଳବାହିତ ରୋଗ ଭୋଗୁଛନ୍ତି ବୋଲି କେନ୍ଦ୍ରାପଡ଼ାର ଅବସରପ୍ରାପ୍ତ ଡାକ୍ତର ଜି.ବି. ଦାଶ କହିଛନ୍ତି ।
ଜଳରେ ଲବଣାଂଶ ବୃଦ୍ଧି ସମୁଦ୍ରକୂଳିଆ ଗାଁଗୁଡିକର ପ୍ରମୁଖ ସମସ୍ୟା । ଆମେ ଅନେକ ଗାଁକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଉଛୁ ।
ଅନେକ ଅଚଳ ନଳକୂଅ ମରାମତି ହୋଇଛି ବୋଲି ମହାକାଳପଡ଼ା ବ୍ଲକର ଆରଡବ୍ଲୁଏସଏସ ବିଭାଗର ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ରଥ କହିଛନ୍ତି ।
ଲୋକାଲ ୱାୟାର
Leave a Reply