ଭୁବନେଶ୍ୱର, ଜୁଲାଇ ୧୧(ଲୋକାଲ ୱାୟାର): ପ୍ରଶିକ୍ଷଣ ପାଇଁ ଅର୍ଥାଭାବ ଥିବାରୁ ଏବଂ ପ୍ରାୟୋଜକ ମିଳୁ ନ ଥିବାରୁ ଜାକର୍ତ୍ତା ଏସିଆନ ଗେମ୍ସରେ ଦୁଇଟି ରୌପ୍ୟପଦକ ଜିତିଥିବା ଦୌଡ଼ରାଣୀ ଦୂତି ଚାନ୍ଦ ଏବେ ତାଙ୍କ ବିଏମଡବ୍ଲୁ କାର୍ ଟିକୁ ବିକ୍ରି କରିବାକୁ ଇଚ୍ଛା କରୁଥିବା ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ରାଜ୍ୟର କ୍ରୀଡ଼ାପ୍ରେମୀମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।
ଦୂତି କହିଛନ୍ତି, ବିଏମଡବ୍ଲୁ କିଣିବା ଥିଲା ମୋର ସ୍ୱପ୍ନ । ଏସିଆନ ଗେମ୍ସରେ ମୋର କୃତିତ୍ୱ ପାଇଁ ଦୁଇ ବର୍ଷ ତଳେ ରାଜ୍ୟ ସରକାର ମୋତେ ୩ କୋଟି ଟଙ୍କା ଦେବା ପରେ ମୁଁ ୪୦ ଲକ୍ଷ ଟଙ୍କା ଦେଇ ଏହି ବିଏମଡବ୍ଲୁ କାର୍ କିଣିଥିଲି ।
ଟୋକିଓ ଅଲିମ୍ପିକ୍ସ ସକାଶେ ପ୍ରଶିକ୍ଷଶ ନେବାକୁ ରାଜ୍ୟ ସରକାର ମଧ୍ୟ ୫୦ ଲକ୍ଷ ଟଙ୍କା ଦେଇଥିଲେ ।
କୋଚଙ୍କ ଦରମା, ଡାଏଟିସିଆନ, ଫିଜିଓଥେରାପିଷ୍ଟ ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ମାସିକ ମୁଁ ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି ।
ଏବେ ମୁଁ ସବୁ ଅର୍ଥ ଖର୍ଚ୍ଚ କରି ସାରିଲିଣି । କୋଭିଡ-୧୯ ସ୍ଥିତିରେ ଏବେ ଟୋକିଓ ଅଲିମ୍ପକ୍ସ ସକାଶେ ମୋତେ ପ୍ରାୟୋଜକ ମିଳିବା କଷ୍ଟକର ହୋଇଛି ।
ତେଣୁ ମୋର ଫିଟନେସ୍ ଖର୍ଚ୍ଚ ଓ ଜର୍ମାନୀରେ ପ୍ରଣିକ୍ଷଣ ନେବାକୁ ଅର୍ଥ ଆବଶ୍ୟକ । କିନ୍ତୁ କେହି ପ୍ରାୟୋଜକ ଆଗଭର ହେଉ ନଥିବାରୁ ମୁଁ କାର୍ ବି ଦେବାକୁ ନିଷ୍ପତ୍ତି ନେଇଛି ।
ଉଲ୍ଲେଖଯୋଗ୍ୟ, ଦୂତି ଚାନ୍ଦ ଏବେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟ ଅର୍ଜନ କରିବାକୁ ଓ ନିଜକୁ ଫିଟ୍ ରଖିବାକୁ ପ୍ରତିଦିନ ସକାଳେ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି ।
ଇତି ମଧ୍ୟରେ ଫେସବୁକରେ ଦୂତି ପୋଷ୍ଟିଂ କରିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ଏବଂ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଅନେକ ଦାବି କରିଛନ୍ତି ।
ଦୂତିଙ୍କ ପୋଷ୍ଟର ଉତ୍ତରରେ ଏକତା ମହାପାତ୍ର କହିଛନ୍ତି, ଏହା ଦୁର୍ଭାଗ୍ୟଜନକ ଯେ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କ୍ରୀଡ଼ାବିତ୍ ଖର୍ଚ୍ଚର୍ ଉଠାଇବାକୁ ନିଜ ପୁରସ୍କାର ଓ ସମ୍ପତ୍ତି ବିକ୍ରି କରିବା ଭଳି ପରିସ୍ଥିତି ସୃଷ୍ଟି ହେବା ଅନୁଚିତ ।
ଏଭଳି ଆର୍ଥିକ ଦୁଃସ୍ଥିତିରୁ ତାଙ୍କୁ ଉଦ୍ଧାର କରିବାକୁ ଆମେ ସମସ୍ତେ ଉଦ୍ୟମ କରିବା ଉଚିତ, ଯଦ୍ୱାରାକି ସେ ତାଙ୍କ ଟାଲେଣ୍ଟ ବଳରେ ଆମକୁ ଗୌରବାନ୍ୱିତ କରିପାରିବେ ।
ସୂଚନାଯୋଗ୍ୟ, ଦୂତି ଦୁଇ ବର୍ଷ ତଳେ ଜାକର୍ତ୍ତା ଏସିଆନ ଗେମ୍ସର ମହିଳା ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ଦୁଇଟି ପଦକ ଜିତିଥିଲେ ।
ପୂର୍ବରୁ ସେ ୨୦୧୩ ଜୁଲାଇ ୮ରେ ପୁନେର ଏସିଆନ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତିଥିଲେ ।
୨୦୧୩ ୱାର୍ଲ୍ଡ ୟୁଥ୍ ଆଥଲେଟିକ୍ସ ଚାମ୍ପିଅନସିପରେ ଶୀର୍ଷ ୮ ଜଣଙ୍କ ମଧ୍ୟରେ ରହିବାରେ ସେ ଥିଲେ ପ୍ରଥମ ଭାରତୀୟ ମହିଳା ।
ଚାରି ବର୍ଷ ତଳେ ରିଓ ଅଲିମ୍ପକ୍ସର ଶହେ ମିଟର ଦୌଡ଼କୁ କ୍ୱାଲିଫାଇ କରିବା ପରେ ସେ ଏହି କ୍ଷେତ୍ରରେ ଦ୍ୱିତୀୟ ଭାରତୀୟ ମହିଳା ହୋଇଥିଲେ । ୧୯୮୦ରେ ପିଟି ଉଷା ଏଭଳି କୃତିତ୍ୱରେ ପ୍ରଥମ ଭାରତୀୟ ମହିଳା ଥିଲେ ।
ଲୋକାଲ ୱାୟାର
Leave a Reply