ଭୁବନେଶ୍ୱର, ନଭେମ୍ବର ୨୫(ଲୋକାଲ ୱାୟାର): ଭିଏଲସିସି ଫେମିନା ମିସ୍ ଇଣ୍ଡିଆ ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛନ୍ତି ଓଡ଼ିଶାର ୪ ପ୍ରତିଯୋଗୀ ।
ସେମାନେ ହେଲେ ଶୁଭଶ୍ରୀ ରାୟଗୁରୁ, ପ୍ରଣତୀ ଓଝା, ମେଘା ସାହୁ, ଶ୍ରୀୟା ରାଉତ ଓ ଦୀକ୍ଷା ସିଂହ ।
ବଲାଙ୍ଗୀର ଝିଅ ଶୁଭଶ୍ରୀ ରାୟଗୁରୁ ସବଡିଭିଜନାଲ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ରମେଶ ଚନ୍ଦ୍ର ରାୟଗୁରୁଙ୍କ ଝିଅ ।
ନିଜ ସଫଳତାର ଯାତ୍ରା ବାବଦରେ ଶୁଭଶ୍ରୀ କହନ୍ତି ବଲାଙ୍ଗିର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ୨ରେ ପାଠପଢ଼ା ଶେଷ କଲା ପରେ ମୁଁ ଉଚ୍ଚ ଶିକ୍ଷା ପାଇଁ ମୁମ୍ବାଇ ଚାଲି ଆସିଥିଲି ।
ହେଲେ ନାଚ, ଗୀତ, ଅଭିନୟ ମୋର ପିଲାବେଳୁ ଆରମ୍ଭ ହୋଇସାରିଥିଲା ।
ମୁମ୍ବାଇ ଆସିବା ପରେ ମୁଁ ଅନୁପମ ଖେରଙ୍କ ଅଭିନୟ ସ୍କୁଲରେ ନାମ ଲେଖାଇ ସେଠାରେ କିଛିଦିନ ଅଭିନୟ ତାଲିମ ନେଲି ।
ପୁଣି ମୁମ୍ବାଇ ସ୍ଥିତ ପ୍ରସିଦ୍ଧ ନୃତ୍ୟ ଅନୁଷ୍ଠାନ ସିମକ୍ ଦାବରଙ୍କ ଡାନ୍ସ ଏକାଡେମୀରୁ ନୃତ୍ୟ ଶିକ୍ଷା କଲି ।
ଏହା ଭିତରେ ମୋର ଗ୍ରାଜୁଏସନ୍ ବି ଶେଷ ହୋଇଗଲା । ମୁଁ ପେସାରେ ଆଇନଜୀବୀ ।
ଚଳିତ ବର୍ଷ ପାଠପଢ଼ା ଶେଷ ହୋଇଥିବା ବେଳେ ମୁଁ ମୁମ୍ବାଇ ହାଇକୋର୍ଟରେ ଏନେଇ ଅଭ୍ୟାସ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ହେଲେ ନିଶା ମୋର ଅଭିନୟ ଓ ନୃତ୍ୟ ।
ଇତି ମଧ୍ୟରେ ମୁଁ ଓଲିଉଡ ଓ ଟଲିଉଡ ଇଣ୍ଡଷ୍ଟ୍ରି ସହ କଥାବାର୍ତ୍ତା କରୁଛି ।
ଭଲ ସିନେମାରେ କାମ କରିବାକୁ ଚାହୁଁଛି ।
ସୁଯୋଗ ମିଳିଲେ ଅଭିନୟରେ ଯୋଗଦେବି । ଏହା ଭିତରେ ମୁଁ ୩୦୦୦ରୁ ବେଶୀ ଲାଇଭ୍ ସୋ କରିସାରିଥିବା ବେଳେ ଅନେକ ଗୁଡିଏ ବିଜ୍ଞାପନ ଚଳଚ୍ଚିତ୍ରରେ କାମ କରିଛି ।
ମୁଁ ବଲିଉଡ ଚଳଚ୍ଚିତ୍ର ମସ୍ତିଜାଦେରେ ସହ ନିର୍ଦ୍ଦେଶକ ଭାବେ ମଧ୍ୟ ନିଜର ଦାୟିତ୍ୱ ତୁଲାଇ ସାରିଛି ।
ଫେମିନା ମିସ୍ ଇଣ୍ଡିଆ ଯାତ୍ରା ବାବଦରେ ଏତିକି କହିବି ମୁଁ ନିୟମିତ ଭାବେ ଇନଷ୍ଟାଗ୍ରାମରେ ମୋର ଅଭିନୟ, ନୃତ୍ୟ ଆଦିର ଫଟୋ ଦିଏ ।
ଏହା ଏତେ ଭାଇରାଲ୍ ହୁଏ ଯେ ଧୀରେ ଧୀରେ ମୋର ଫଲୋଅର୍ସଙ୍କ ସଂଖ୍ୟା ବଢ଼ିଚାଲେ ।
ଫେମିନା ଯାଏଁ ପହଞ୍ଚିବାରେ ମୋର ପ୍ରଶଂସକମାନଙ୍କର ଢେର ଭୂମିକା ରହିଛି ।
ଏହାବାଦ ନିକଟରେ ମୁଁ ଏକ ଅନଲାଇନ୍ ସୋ କରୁଛି ।
ଯେଉଁଥିରେ ମୁଁ ସିଧାସଳଖ ମୋ ଫ୍ୟାନମାନଙ୍କ ସହ କଥାବାର୍ତ୍ତା କରେ ।
ସେମାନଙ୍କ ବଲିଉଡ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରେ ।
ବିଜେତା ମାନଙ୍କୁ ମୁଁ ମୋ ସୋ’ରେ କ୍ୟାସ୍ ପ୍ରାଇଜ୍ ପାଇବାର ବନ୍ଦୋବସ୍ତ କରିଛି । ଯାହାକି ମୋତେ ଲୋକପ୍ରିୟ କରାଇ ପାରିଛି ।
ପ୍ରତିଯୋଗିତା ବାବଦରେ ଏତିକି କହିବି; ଚଳିତ ବର୍ଷ କରୋନା ଯୋଗୁଁ ସବୁକିଛି ଭର୍ଚ୍ଚୁଆଲ ହୋଇଥିଲା ।
ଅଡିସନଠାରୁ କ୍ୟାଟୱାକ ଯାଏଁ ସବୁକିଛିକୁ ଆମେ ଭିଡିଓ କରି ଆୟୋଜକ କମିଟିକୁ ପଠାଇଥିଲୁ ।
ପରବର୍ତ୍ତୀ ସମୟରେ ବିଚାରକମନଙ୍କ ଦ୍ୱାରା ୫ ଜଣଙ୍କୁ ଚୂଡାନ୍ତ ପର୍ଯ୍ୟାୟ ପାଇଁ ମନୋନୀତ କରାଯାଇଛି ।
ଲୋକାଲ ୱାୟାର
Leave a Reply