ପୁରୀ, ଅଗଷ୍ଟ ୨୫(ଲୋକାଲ ୱାୟାର): ପୁରୀରେ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରତିବାଦରେ ପୂର୍ବରୁ ବିଜେପି ପକ୍ଷରୁ ଧାରଣା ଦିଆଯାଇଥିବା ବେଳେ ମଙ୍ଗଳବାର କଂଗ୍ରେସ ନେତାମାନେ ପୁରୀରେ ଧାରଣାରେ ବସିବା ସହ ଜିଲ୍ଲାପାଳଙ୍କୁ ତାଙ୍କ ଦାୟିତ୍ୱରୁ ହଟାଇବାକୁ ଦାବି କରିଛନ୍ତି ।
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ଦଳର ନେତା ସତ୍ୟପ୍ରକାଶ ନାୟକଙ୍କ ନେତୃତ୍ୱରେ ଦଳର କର୍ମୀମାନେ ବଗଲା ଧର୍ମଶାଳା ସମ୍ମୁଖରେ ଧାରଣାରେ ବସିଥିଲେ ।
ଧର୍ମଶାଳା ଜମିକୁ ବେଆଇନ ଭାବେ ବିକ୍ରି କରାଯାଇଥିବା ଦର୍ଶାଇ ତୁୁରନ୍ତ ସେସବୁ ବିକ୍ରିକୁ ରଦ୍ଦ କରିବାକୁ ନେତାମାନେ ଦାବି କରିଥିଲେ ।
ବିଧାୟକ ଶ୍ରୀ ରାଉତରାୟ କହିଥିଲେ, ରାଜ୍ୟ ସରକାର ଯେତେବେଳେ ଶ୍ରୀମନ୍ଦିର ପାରିପାଶ୍ୱିର୍କ ବିକାଶ ପାଇଁ ମଠ ମନ୍ଦିର ଉଚ୍ଛେଦ କଲେ, ଆମେ ତାହାକୁ ସମର୍ଥନ କରିଥିଲୁ ।
କିନ୍ତୁ ଧର୍ମଶାଳା ଜମି ବିକ୍ରିକୁ ଆମେ ସମର୍ଥନ କରିପାରିବୁ ନାହିଁ । ସରକାରୀ ତୁରନ୍ତ ବିକ୍ରିକୁ ବାତିଲ କରି ୫ଶହ କୋଠରୀ ବିଶିଷ୍ଟ ଏକ ଘର ଭକ୍ତଙ୍କ ପାଇଁ ନିର୍ମାଣ କରିବାକୁ ସେ ଦାବି କରିଥିଲେ ।
ଶହେ ବର୍ଷର ଧର୍ମଶାଳାକୁ ସଂରକ୍ଷଣ ନ କରି ରାଜ୍ୟ ସରକାର ଏହାର ଜମିକୁ ବିକ୍ରି କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସତ୍ୟପ୍ରକାଶ ପ୍ରଶ୍ନ କରିଥିଲେ ।
ରାଜ୍ୟ ସରକାର ଏଠାରେ ହୋଟେଲ, ମାର୍କେଟ କମ୍ପ୍ଲେକ୍ସ କିମ୍ବା ବାଣିଜି୍ୟକ କମ୍ପ୍ଲେକ୍ସ ନିର୍ମାଣ କରିବେ କି ବୋଲି ସେ ପ୍ରଶ୍ନ କରିଥିଲେ ।
ଅପରପକ୍ଷରେ ପୁରୀ ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ ସଫେଇ ଦେଇ କହିଛି, ଉଚ୍ଛେଦ ପ୍ରକ୍ରିୟା ସହ ସଂପୃକ୍ତ ନଥିବା କୌଣସି ଲୋକଙ୍କୁ ଏହି ଧର୍ମଶାଳା ଜମିରେ ଜଡ଼ିତ କରାଯାଇନାହିଁ ।
କେବଳ ଯେଉଁ ଧର୍ମଶାଳା, ପାନ୍ଥନିବାସ, ହୋଟେଲ କିମ୍ବା ଯାତ୍ରୀ ନିବାସ ଉଚ୍ଛେଦ ହୋଇଛି ସେଗୁଡ଼ିକର ମାଲିକଙ୍କୁ ଥଇଥାନ କରିବାକୁ ଜମି ଦିଆଯାଇଛି । ମୋଟ ୨୭ଟି ଲଜ୍ ଉଚ୍ଛେଦ ହୋଇଥିଲା ।
କ୍ୟାବିନେଟର ଅନୁମୋଦନ କ୍ରମେ ସେମାନଙ୍କୁ ଏକକାଳୀନ ଅର୍ଥ ପ୍ରଦାନ କିମ୍ବା ଜମି ଦେଇ ଥଇଥାନର ବ୍ୟବସ୍ଥା ରଖାଯାଇଥିଲା ।
ଏବେ ୬ ଜଣ ଲଜ୍ ମାଲିକଙ୍କୁ ଏହି ଜମିରେ ଥଇଥାନ କରାଯାଇଛି । ଏହାକୁ ଭୁଲ୍ ଭାବେ ବ୍ୟାଖ୍ୟା କରାଯାଉଥିବା ପ୍ରଶାସନ କହିଛି ।
ଲୋକାଲ ୱାୟାର
Leave a Reply