ଭୁବନେଶ୍ୱର, ଡିସେମ୍ବର ୨୧(ଲୋକାଲ ୱାୟାର): ଆସନ୍ତାକାଲି ରବିବାର ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ଚଳଚ୍ଚିତ୍ର ‘ଶଲାବୁଢ଼ାର ବଦଲା’ର ପ୍ରିମିୟର ସୋ’ ଅର୍ଥାତ୍ ସ୍ୱତନ୍ତ୍ର ପ୍ରଦର୍ଶନ ଅନୁଷ୍ଠିତ ହେବ ।
ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ଶଲାବୁଢ଼ା’ ଏବଂ ‘ଆଦିମ ବିଚାର’ ପରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏହାର ସିକ୍ୱେଲ ଭାବେ ନିର୍ମାଣ କରିଛନ୍ତି ଚଳଚ୍ଚିତ୍ର ‘ଶଲାବୁଢ଼ାର ବଦଲା’ ।
ଏହା ହେଉଛି ‘ଶଲାବୁଢ଼ା’ ସିରିଜର ତୃତୀୟ ଭାଗ, ଯାହା ଓଡ଼ିଶା ଚଳଚ୍ଚିତ୍ର ଇତିହାସରେ ପ୍ରଥମ ।
ପୂର୍ବ ସିନେମାଦ୍ୱୟ ପରି ଏ ସିନେମାର କାହାଣୀ ମଧ୍ୟ ସୁବର୍ଣ୍ଣଶ୍ରୀ କପିଳେଶ୍ୱର ମହାପାତ୍ର ରଚନା କରିଛନ୍ତି ଏବଂ ସଙ୍ଗୀତ ମଧ୍ୟ ପେଇଛନ୍ତି ଏହି ସିରିଜର ସଙ୍ଗୀତ ନିର୍ଦ୍ଦେଶକ ପଙ୍କଜ ଜାଲ୍ ।
ଏହାର ପ୍ରଯୋଜନା, ଫଟୋଗ୍ରାଫି, ସମ୍ପାଦନା ତଥା ସହନିର୍ଦ୍ଦେଶନା ଦାୟିତ୍ୱରେ କୁମାର ସି. ଦେବ ମହାପାତ୍ର ଥିବାବେଳେ ସହପ୍ରଯୋଜକ ଭାବେ ମଧୁବାଲା ମହାପାତ୍ର, ରାଜଶ୍ରୀ ମହାପାତ୍ର ଓ ସୁଶାନ୍ତ ମହାପାତ୍ର ଅଛନ୍ତି । କଳା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି ମଣ୍ଟୁ ମହାପାତ୍ର ।
ଚଳଚ୍ଚିତ୍ରର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ଅଟଳ ପଣ୍ଡା, ଜଗଦାନନ୍ଦ ଛୁରିଆ, ପ୍ରଦ୍ୟୁମ୍ନ, ପୁରୁଷୋତ୍ତମ, ଗଦାଧର, ମଣ୍ଟୁ, ବିଜୟ, ତପସ୍ୱିନୀ, ଲୋଚନୀ, ମୁନିଆଁ ଓ ନବାଗତ ଜୀତ ଓ ଚନ୍ଦନା ।
ଗୀତ ରଚନା କରିଛନ୍ତି ଚୁଡ଼ାମଣି, ନେତ୍ରାନନ୍ଦ ଏବଂ ସର୍ବେଶ୍ୱର । ଗାଇଛନ୍ତି ପଙ୍କଜ, ମାନସୀ, ଗଗନ, ସଙ୍ଗୀତା, ପ୍ରତିତୀ ଓ ସର୍ବେଶ୍ୱର । ନିର୍ଦ୍ଦେଶନା ଓ ସମ୍ପାଦନାରେ ସହଯୋଗୀ ଦାୟିତ୍ୱ ତୁଲାଇଛନ୍ତି ଲମ୍ବୋଦର । ସଂଯୋଜନା ଭାର ସମ୍ଭାଳିଛନ୍ତି ଗୋପାଲ ପ୍ରଧାନ ।
ଲୋକାଲ ୱାୟାର
Leave a Reply