ରାଜଗାଙ୍ଗପୁର,ଜାନୁଆରୀ ୧୧(ଲୋକାଲ ୱାୟାର): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଆଇଟି କଲୋନିର ଏକ ବନ୍ଦ ଘରୁ ଶନିବାର ୪ ଜଣଙ୍କ ମୃତଦେହ ମିଳିଥିବା ବେଳେ ସମ୍ପୂର୍ଣ୍ଣ ପରିବାର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ସ୍ଥାନୀୟ ପୁଲିସ ସୂଚନା ଦେଇଛି ।
ଉଦ୍ଧାର ହୋଇଥିବା ମୃତଦେହ ଗୁଡ଼ିକର ପରିଚୟ ମିଳିପାରିଛି । ସେମାନେ ହେଲେ ରଞ୍ଜିତ କୁମାର ପ୍ରସାଦ (୨୪), ପତ୍ନୀ କଳ୍ପନା ପ୍ରସାଦ, ସେମାନଙ୍କର ୩ ବର୍ଷର ଝିଅ ଓ ଦେଢ଼ ବର୍ଷର ପୁତ୍ର ସନ୍ତାନ । ରାଜଗାଙ୍ଗପୁରର ଡାଲମିଆ ରିଫ୍ରାକ୍ଟୋରିଜ୍ ଲିମିଟେଡର ମେକାନିକାଲ ବିଭାଗରେ ରଞ୍ଜିତ କାମ କରୁଥିଲେ ।
ପୁଲିସକୁ ମିଳିଥିବା ସୂଚନାନୁସାରେ, ପ୍ରେମ ବିବାହ କରିଥିବା ରଞ୍ଜିତ ଚାରି ମାସ ତଳେ ସପରିବାର ଆସି ସେଠାରେ ଭଡ଼ାରେ ରହିଥିଲେ ।
କାହା ସହ ସେମାନଙ୍କର ମନୋମାଳିନ୍ୟ ନଥିଲା ଏବଂ ଆର୍ଥିକ ସ୍ଥିତି ମଧ୍ୟ ଭଲ ଥିଲା । ତେବେ ଗତ ଗୁରୁବାର ସେମାନଙ୍କୁ ଶେଷ ଥର ପାଇଁ ପଡ଼ୋଶୀମାନେ ଦେଖିଥିଲେ ।
ଏହାପରେ ଘର ବନ୍ଦ ଥିଲା । ଆଜି ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ଲୋକମାନେ ପୁଲିସକୁ ଖବର ଦେଇଥିଲେ ।
ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ କବାଟ ଭାଙ୍ଗିବା ପରେ ମୃତଦେହ ଗୁଡ଼ିକୁ ଉଦ୍ଧାର କରିଥିଲା । ସେମାନଙ୍କ ପାଖରେ କ୍ଷୀର ବୋତଲ ପଡ଼ିଥିବାରୁ ସମ୍ଭବତଃ ସମସ୍ତେ କୌଣସି କାରଣରୁ ବିଷ ମିଶ୍ରିତ କ୍ଷୀର ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ତେବେ ମୃତ ଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି, ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।
ଲୋକାଲ ୱାୟାର
Leave a Reply