ଜଗତସିଂହପୁର, ଅଗଷ୍ଟ ୨୮(ଲୋକାଲ ୱାୟାର): ହୀରାକୁଦ ଡ୍ୟାମର ୩୬ଟି ଗେଟ ଖୋଲିବାକୁ କର୍ତୃପକ୍ଷ ନିଷ୍ପତି ନେବା ପରେ ଜଗତସିଂହପୁର ଜିଲ୍ଲାର ନଈକୂଳିଆ ଗ୍ରାମବାସୀ ବନ୍ୟା ଭୟରେ ଆତଙ୍କିତ ହୋଇପଡିଛନ୍ତି ।
ଦୁର୍ବଳ ନଦୀବନ୍ଧ ଯୋଗୁଁ ତିର୍ତ୍ତୋଲ ଓ ଅନ୍ୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ନିକଟରେ ପ୍ରବଳ ବର୍ଷା ଯୋଗୁଁ ରଘୁନାଥପୁର, ତିର୍ତ୍ତୋଲ ଓ ଅନ୍ୟ ବ୍ଲକର ବହୁ ଗାଁ ଜଳବନ୍ଦୀ ହୋଇଥିଲା ।
ତିର୍ତୋଲ ବ୍ଲକ କଟରା ପଂଚାୟତର ଇଟାଙ୍କ ଗାଁରେ ୨ ଶହ ମିଟର ଘାଇ ସୃଷ୍ଟି ହେବାରୁ ୫୦ରୁ ଅଧିକ ପରିବାର ଜଳବନ୍ଦୀ ହୋଇଥିଲେ ।
ଜଳସେଚନ ବିଭାଗ ବାଲିବସ୍ତା ପକାଇ ଘଳିଆ ବନ୍ଦ କରିଥିଲା ।
ସେହିପରି ହଂସୁଆ ନଦୀରେ ବନ୍ୟା ଆସି ରଘୁନାଥପୁର, ବିରିଡ଼ି ଓ ତିର୍ତ୍ତୋଲ ବ୍ଲକର କିଛି ଗାଁ ଜଳବନ୍ଦୀ ହୋଇଛି ।
ତିର୍ତୋଲ, ରଘୁନାଥପୁର ଓ ପାରାଦୀପ ଅଞ୍ଚଳରେ ବର୍ଷା ପାଣି ପଶି ବହୁ ମାଟି ଘର ଭାଙ୍ଗି ଯାଇଛି ।
ତିର୍ତୋଲ ବ୍ଲକ ଇବ୍ରିସିଂ ଗାଁର ବାବାଜୀ ପଣ୍ଡାଙ୍କ ଘରେ ବର୍ଷା ପାଣି ପଶି ଛାତ ଭୁଶୁଡ଼ି ପଡ଼ିଥିଲା ।
ତେବେ ପରିବାରର ତିନି ସଦସ୍ୟ ଅଳ୍ପକେ ମୃତ୍ୟୁ ମୁଖରୁ ରକ୍ଷା ପାଇ ଯାଇଛନ୍ତି ।
ଏଯାଏଁ ସରକାରୀ ସହାୟତା ମିଳି ନଥିବାରୁ ସେମାନେ ଖୋଲା ଆକାଶ ତଳେ ରହୁଛନ୍ତି ।
ଜଗତସିଂହପୁର ଜିଲ୍ଲାରେ ମହାନଦୀ, ଚିତ୍ରୋତ୍ପଳା, ଦେବୀ ଓ ବିଲୁଆଖାଇ ନଦୀ ପ୍ରବାହିତ ହେଉଛି ।
ଜଳସେଚନ ବିଭାଗର ମହାନଦୀ ଦକ୍ଷିଣ ଡିଭିଜନ ମହାନଦୀ ଓ ଚିତ୍ରୋତ୍ପଳା ଦାୟିତ୍ୱରେ ଥିବା ବେଳେ ଜଗତସିଂହପୁର ଜଳସେଚନ ବିଭାଗ ଅଧୀନରେ ଦେବୀ, ବିଲୁଆଖାଇ ଓ ଏହାର ଶାଖା ନଦୀଗୁଡ଼ିକ ରହିଛି ।
ଜଗତସିଂହପୁର ବ୍ଲକର ନଚ୍ଛିପୁର, ନରପରି, ବେହେରାସାହି, ମୁଣ୍ଡିଲୋ, ଘଡିମୂଳ ଗପଡା ଘେରିବନ୍ଧ, ଏକସୁଧା, ପାଟେଣିଗାଁ (ଧୂଳେଶ୍ୱର ମନ୍ଦିର ନିକଟ), ସାଳଂଟି କୋରୁଆ ଘେରିବନ୍ଧ ଚିହ୍ନଟ ହୋଇଥିବା ବେଳେ ନାଉଗାଁ ବ୍ଲକର କୋଲର, ଶାଳଗାଁ, ଫୁଲହାର, ବେଲବଣ, ତୁମ୍ବେଶ୍ୱର, କୁଲାସାଇ, ଅଙ୍ଗେଶ୍ୱରପଡ଼ା, ବଛାଳୋ, ଭାଣ୍ଡିସାହି, ଶିଖର ଆଦି ସ୍ଥାନ ଦେବୀ ଓ ବିଲୁଆଖାଇ ନଦୀର ଦୁର୍ବଳ ସ୍ଥାନ ଭାବେ ଚିହ୍ନଟ ହୋଇଛି ।
ବାଲିକଣିରୁ ଖୋସଲ ପାଂଚ କିଲୋମିଟର ନଦୀବନ୍ଧ, ତାଳଦଣ୍ଡା କେନାଲର ତେରମାଣପୁରରୁ ମଣିଜଙ୍ଗା ବିପଦସଙ୍କୁଳ ଚିହ୍ନଟ ହୋଇଛି ।
ନାଉଗାଁ ବ୍ଲକର କୁଲାସାହି ଓ ଭାଣ୍ଡିସାହି ଦେବୀ ନଦୀବନ୍ଧର ସ୍ଥିତି ଶୋଚନୀୟ ହୋଇପଡ଼ିଛି ।
ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ବି ପ୍ରତିବର୍ଷ ବନ୍ଧ କ୍ଷତିଗ୍ରସ୍ତ ହେଉଛି ।
ଅତୀତରେ ବନ୍ଧର ବହୁ ସ୍ଥାନରେ ଘଳିଆ ପଡିଥିବାରୁ ଚଳିତ ବର୍ଷ ବନ୍ୟା ରୋକିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ଦେବୀ ଓ ବିଲୁଆଖାଇ ନଦୀର ଦୁର୍ବଳ ସ୍ଥାନଗୁଡିକୁ ଶୀଘ୍ର ମରାମତି କରିବାକୁ ଲୋକେ ଦାବି କରିଛନ୍ତି ।
ଦୁର୍ବଳ ସ୍ଥାନ ଚିହ୍ନଟ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ଥିବା ଅଭିଯୋଗ କରି ଉଚ୍ଚସ୍ତରୀୟ କମିଟିକୁ ଏହି ଦାୟିତ୍ୱ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି ।
ଆମେ ଜଗତସିଂହପୁର, ନାଉଗାଁ, ବିରିଡି ବ୍ଲକର ଦଳେଇଘାଇ ଓ ଅନ୍ୟ ବିପଦସଙ୍କୁଳ ସ୍ଥାନ ପରିଦର୍ଶନ କରିଛୁ ।
ନଦୀବନ୍ଧ ସୁଦୃଢ କରିବାକୁ ପଦକ୍ଷେପ ନିଆଯାଇଛି ।
ଭୟଭୀତ ହେବାର କୌଣସି କାରଣ ନାହିଁ । ନାଉଗାଁ ବ୍ଲକର କୁଳସାହି ଓ ଭାଣ୍ଡିସାହିରେ ବାଲି ବସ୍ତା ଗଚ୍ଛିତ ରହିଛି ।
ସେହିପରି ମାଛଗାଁ, ଆଳିପିଙ୍ଗଳ, ଦଳେଇଘାଇ, ବୀରବରପାଟଣାରେ ବାଲିବସ୍ତା ଗଚ୍ଛିତ ରହିଛି ବୋଲି ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ଶତପଥି କହିଛନ୍ତି ।
ଲୋକାଲ ୱାୟାର
Leave a Reply