ସମ୍ବଲପୁର,ଫେବ୍ରୁଆରୀ ୨୨(ଲୋକାଲ ୱାୟାର): ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ତ୍ରିପାଠୀ (୮୧)ଙ୍କର ଶନିବାର ଅପରାହ୍ଣରେ ସମ୍ବଲପୁର ସହରର ପଟ୍ଟନାୟକପଡ଼ା ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇ ଯାଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥାନୀୟ ରାଜଘାଟରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି ।
ଦୈନିକ ସମ୍ବାଦପତ୍ର ‘କୋଶଳ’ର ସମ୍ପାଦକ ଭାବେ ସେ ବେଶ୍ ପରିଚିତ ଥିଲେ । ସମ୍ବଲପୁରୀ ଭାଷା ଓ ସାହିତ୍ୟର ପ୍ରଚାରରେ ତାଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ ।
ଭାରତ ପେସାଦାର ସାମ୍ବାଦିକ ମହାସଂଘ -ଆଇଏଫଡବ୍ଲୁଜେ ଅନୁବନ୍ଧିତ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଦାୟିତ୍ୱରେ ମଧ୍ୟ ଦୀର୍ଘ ଦିନ ସେ ରହିଥିଲେ ।
ଇସକଫ୍ ର ସର୍ବଭାରତୀୟ ଉପସଭାପତି, ଓଡ଼ିଶା ସାଂସ୍କୃତିକ ସମାଜ ଓ ଉତ୍କଳ ସାମ୍ବାଦିକ ସଂଘର ଉପସଭାପତି ମଧ୍ୟ ଥିଲେ ।
ଏକଦା ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର କମିଟି, ଢେଙ୍କାନାଳ ଭାରତୀୟ ଜନସଂଚାର ସଂସ୍ଥାନ ଚୟନ କମିଟି ଆଦି ବିଭିନ୍ନ ସଂସ୍ଥାର ସଦସ୍ୟ ରହିଥିଲେ ।
ସମ୍ବଲପୁର ସହରର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲରେ ଶିକ୍ଷା ପ୍ରାପ୍ତ ପରେ ଗଙ୍ଗାଧର ମେହେର କଲେଜରୁ ସ୍ନାତକ ଏବଂ କଟକ ମଧୁସୂଦନ ଲ’ କଲେଜରୁ ଆଇନ ଶିକ୍ଷା ହାସଲ କରିଥିଲେ ତ୍ରିବିକ୍ରମ ।
ଗଣତନ୍ତ ପରିଷଦ ରାଜନୈତିକ ଦଳରୁ ରାଜନୀତିକୁ ଓହ୍ଲାଇବା ସହ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓଙ୍କର ସହଯୋଗୀ ମଧ୍ୟ ରହିଥିଲେ ।
ସ୍ପତନ୍ତ୍ର ପାର୍ଟିର ଜାତୀୟ ସମ୍ପାଦକ ମଧ୍ୟ ଥିଲେ ।
ତାଙ୍କ ପରଲୋକରେ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ଦଳର ବରିଷ୍ଠ ରାଜନେତାମାନେ ମଧ୍ୟ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।
ଲୋକାଲ ୱାୟାର
Leave a Reply