କେନ୍ଦ୍ରାପଡା, ଜାନୁଆରୀ ୧୯ (ଲୋକାଲ ୱାୟାର): କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଠ ସିପିଆଇ ନେତା ତଥା କୃଷକ ନେତା ବନବିହାରୀ ମିଶ୍ରଙ୍କ ସୋମବାର ରାତିରେ ରାଜକନିକା ସ୍ଥିତ ନିଜ ବାସଭବନରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି ।
ତାଙ୍କୁ ୮୫ ବର୍ଷ ହୋଇଥିଲା । ୧୯୫୦ରେ ସେ ସିପିଆଇରେ ଯୋଗ ଦେଇ ପର୍ଯ୍ୟନ୍ତ ସଦସ୍ୟ ରହିଥିଲେ ।
ବରିଷ୍ଠ କମ୍ୟୁନିଷ୍ଟ ନେତା ଲୋକନାଥ ଚୌଧୁରୀ, ଅର୍ଜୁନ ବେହେରା, ମଦନ ଅଧିକାରୀ ଓ ଅନ୍ୟମାନଙ୍କ ସହ ମିଶି ଜିଲ୍ଲାରେ ଦଳୀୟ ସ୍ଥିତି ମଜବୁତ କରିବାରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ ।
ଚାଷୀଙ୍କ ସମସ୍ୟାର ଗଭୀର ଅନୁଶୀଳନ କରି କୃଷକ ନେତା ଭାବରେ ସେ ନିଜର ନିଆରା ପରିଚୟ ସୃଷ୍ଟି କରିଥିଲେ ।
ସରଳ, ସାଧୁ ଓ ନମ୍ର ବ୍ୟକ୍ତି ଭାବେ ବନବିହାରୀ ମିଶ୍ର ପରିଚିତ ଥିଲେ ବୋଲି ସିପିଆଇ ଜିଲ୍ଲା କମିଟିର ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ କହିଛନ୍ତି ।
ବନବିହାରୀଙ୍କ ମୃତ୍ୟୁରେ ଆଳି ବିଧାୟକ ପ୍ରତାପ ଦେବ, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ସିପିଆଇ ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଶ୍ରମିକ ନେତା ଜଗଜ୍ଜୀବନ ଦାସ, କୃଷକ ନେତା ଉମେଶ ଚନ୍ଦ୍ର ସିଂହ ଓ ଅନ୍ୟମାନେ ଶୋକବ୍ୟକ୍ତ କରିଛନ୍ତି ।
ଲୋକାଲ ୱାୟାର
Leave a Reply