ବଲାଙ୍ଗିର, ଡିସେମ୍ବର ୨୧(ଲୋକାଲ ୱାୟାର): ବଲାଙ୍ଗିର ଟାଉନ ପ୍ଲାନିଂ ଅଫିସର କିରାଣି ଜୀବଦିଶ ପାତ୍ରଙ୍କ ଘରେ ହୋଇଥିବା ଚଢ଼ାଉରେ ମୋଟ ୧ କୋଟି ୨୨ ଲକ୍ଷ ୩୧ ହଜାର ୨୯୦ ଟଙ୍କାର ସ୍ଥାବର/ଅସ୍ଥାବର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
ସୋମବାର ସକାଳେ ବଲାଙ୍ଗିର ସ୍ଥିତ ଶ୍ରୀ ପାତ୍ରଙ୍କ ବାସଭବନ, ବଲାଙ୍ଗିର ସ୍ଥିତ ସମ୍ପର୍କୀୟଙ୍କ ବାସଭବନ, ସଦର ଥାନା ଅନ୍ତର୍ଗତ ଶିଖାବେହଙ୍ଗାସ୍ଥିତ ପୈତୃକ ବାସଭବନ, ବଲାଙ୍ଗିରସ୍ଥିତ ସ୍ପେଶାଲ ପ୍ଲାନିଂ ଅଥରିଟି କାର୍ଯ୍ୟାଳୟ ଆଦି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା ।
ଚଢ଼ାଉ ବେଳେ ବଲାଙ୍ଗିର ଆଦର୍ଶପଡ଼ାରେ ଏକ କୋଠା (୬୩ ଲକ୍ଷ ୩୦ ହଜାର ୯୯୩ ଟଙ୍କା), ବଲାଙ୍ଗିରରେ ଏକ ଜମି (୩୦ ହଜାର ଟଙ୍କା), ଏକ ଚାରିଚକିଆ (୩ ଲକ୍ଷ ୫୭ ହଜାର ୬୮୪ ଟଙ୍କା), ଏକ ବାଇକ (୪୩ ହଜାର ଟଙ୍କା), ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ଥିବା ଜମା (୨୪ ଲକ୍ଷ ୬୮ ହଜାର ୬୨ ଟଙ୍କା), ବିଭିନ୍ନ ବୀମା (୬ ଲକ୍ଷ ୫୬ ହଜାର ୧୭୬ ଟଙ୍କା), ସୁନା ଅଳଙ୍କାର (୧୧ ଲକ୍ଷ ୬୬ ହଜାର ୩୨୮ ଟଙ୍କା), ନଗଦ ୧ ଲକ୍ଷ ୪୭ ହଜାର ୨୫୨ ଟଙ୍କା ଏବଂ ଘରକରଣା ସାମଗ୍ରୀ (୧୦ ଲକ୍ଷ ୩୧ ହଜାର ୭୯୫ ଟଙ୍କା) ଠାବ କରାଯାଇଛି ।
ଲୋକାଲ ୱାୟାର
Leave a Reply