ଭୁବନେଶ୍ୱର, ନଭେମ୍ବର ୨୧(ଲୋକାଲ ୱାୟାର): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କରକୁ ଗଡ଼ିଲା ରାଜ୍ୟ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ ମିନିବସ୍ ।
ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ସକାଳ ୮ଟାରୁ ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡରୁ ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ଅଭିମୁଖେ ଏହା ଯାତ୍ରା କରିବ ।
ପ୍ରଥମ ଦିନ ବହୁ ଯାତ୍ରୀ ଏହି ବସରେ ଯାତ୍ରା କରିଥିଲେ ।
ଗତ ୪ଦିନ ତଳେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଉପସ୍ଥିତିରେ ବଲାଙ୍ଗୀରରୁ ହରିଶଙ୍କର ମଧ୍ୟରେ ପର୍ଯ୍ୟଟନ ବସ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଶ୍ରୀମତୀ ମିଶ୍ର କହିଥିଲେ, ହରିଶଙ୍କରର ଭିତ୍ତଭୂମି ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କୋଟି ଟଙ୍କା ଯୋଗାଇ ଦେବା ପରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ତରଫରୁ ବଲାଙ୍ଗୀରରୁ ହରିଶଙ୍କର ମଧ୍ୟରେ ୨୫ସିଟ୍ ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି ।
ଏବେ ପ୍ରାରମ୍ଭିକ ଭାବେ ବଲାଙ୍ଗୀରସ୍ଥିତ ସରକାରୀ ବସଷ୍ଟାଣ୍ଡରୁ ଏହି ବସ୍ ପ୍ରତି ଶନିବାର ଓ ରବିବାର ଏବଂ ସ୍ୱତନ୍ତ୍ର ଦିନଗୁଡ଼ିକରେ ସକାଳ ୮ଟାରୁ ହରିଶଙ୍କର ଅଭିମୁଖେ ଗସ୍ତ କରିବ ।
ପର୍ଯ୍ୟଟକମାନଙ୍କ ସୁବିଧା ଓ ଆଗ୍ରହକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହି ବସ୍ ବଲାଙ୍ଗୀର ସହରରୁ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳକୁ ମଧ୍ୟ ଚଳାଚଳ କରାଯିବ ।
ସାଧାରଣ ଲୋକ ଚାହିଁଲେ ଆବଶ୍ୟକ ଭଡ଼ା ପୈଠ କରି ଏହି ବସ୍ ସେବା ୱେଡିଂ ଡେଷ୍ଟିନେସନ୍, ପିକନିକ୍ ଓ ଅନ୍ୟ ଜିଲ୍ଲାର ପର୍ଯ୍ୟଟନସ୍ଥଳୀକୁ ବୁଲିବା କାର୍ଯ୍ୟରେ ଉପଯୋଗ କରିପାରିବେ ।
ଏହି ବସର ପରିଚାଳନା ଦାୟିତ୍ୱ ବଲାଙ୍ଗୀର ପର୍ଯ୍ୟଟନ କାର୍ଯ୍ୟାଳୟ ଓ ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ(ଏଏସଆଇଏଚଏମ୍)କୁ ନ୍ୟସ୍ତ ହୋଇଛି ।
ଲୋକାଲ ୱାୟାର
Leave a Reply