କଟକ, ସେପ୍ଟେମ୍ବର ୨୩(ଲୋକାଲ ୱାୟାର): ଜଗତସିଂହପୁର ଜିଲ୍ଲାରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର ଏବଂ ସେ ଗର୍ଭବତୀ ହେବା ଘଟଣାକୁ ନେଇ ହୋଇଥିବା ମାମଲାର ଶୁଣାଣି କରି ବୁଧବାର ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥ ଉଭୟ ପୀଡ଼ିତା ଓ ଆଗକୁ ଜନ୍ମ ହେବାକୁ ଥିବା ତାଙ୍କ ସନ୍ତାନର ସାମାଜିକ ଓ ଆର୍ଥିକ ସୁରକ୍ଷା ପାଇଁ ବିଭିନ୍ନ ନିର୍ଦ୍ଦେଶ ଦେଇଛନ୍ତି ।

ଉକ୍ତ ଭିନ୍ନକ୍ଷମ ଯୁବତୀ ବଳାତ୍କାରର ଶିକାର ହୋଇ ଗର୍ଭବତୀ ହୋଇଥିଲେ । ଏହା ଜଣାପଡ଼ିବା ବେଳକୁ ୨୦ ସପ୍ତାହରୁ ଅଧିକ ହୋଇଯାଇଥିଲା । ତେଣୁ ଗର୍ଭନଷ୍ଟ ସକାଶେ ହାଇକୋର୍ଟଙ୍କ ଅନୁମତି ଲୋଡ଼ିଥିଲେ ତାଙ୍କ ମା’ ।

କିନ୍ତୁ ଜୀବନ ପ୍ରତି ବିପଦ ଥିବାର ଡାକ୍ତରଙ୍କ ରିପୋର୍ଟ ପାଇବା ପରେ ହାଇକୋର୍ଟ ଉଭୟ ପୀଡ଼ିତା ଓ ତାଙ୍କର ଜନ୍ମ ହେବାକୁଥିବା ସନ୍ତାନ ପାଇଁ ପଦକ୍ଷେପ ନେବାକୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପୀଡ଼ିତାଙ୍କୁ ୭ ଦିନ ମଧ୍ୟରେ ୫ ଲକ୍ଷ ଟଙ୍କା ପ୍ରଦାନ ଏବଂ ଏହାକୁ ଏକ ଜାତୀୟକରଣ ବ୍ୟାଙ୍କରେ ଜମା ରଖିବାକୁ ସରକାରଙ୍କୁ କୋର୍ଟ କହିଛନ୍ତି ।

ଏହି ଆକାଉଣ୍ଟର ପାସବୁକ୍ ପୀଡ଼ିତାଙ୍କ ମା’ ପରିଚାଳନା କରିବେ ଏବଂ ଜମା ରାଶିର ସୁଧରେ ପୀଡ଼ିତାଙ୍କ ଖର୍ଚ୍ଚ ଉଠିବ ।

ଆଗକୁ ପୀଡ଼ିତାଙ୍କ ପୁଅ ହେଲେ ୩ ଲକ୍ଷ ଟଙ୍କା କିମ୍ବା ଝିଅ ହେଲେ ୫ ଲକ୍ଷ ଟଙ୍କା ବ୍ୟାଙ୍କରେ ୧୦ ଦିନ ମଧ୍ୟରେ ଜମା କରିବାକୁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଏବେ ପୀଡ଼ିତାଙ୍କ ଚିକିତ୍ସା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବହନ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକାଲ ୱାୟାର