ଭୁବନେଶ୍ୱର, ଜୁଲାଇ ୬(ଲୋକାଲ ୱାୟାର): ଏଇ କିଛି ଦିନ ହେବ ରାଜଧାନୀ ଯୁବପିଢ଼ିଙ୍କୁ ଚଢ଼ିଛି ଏକ ଅଜବ ସଉକ୍ । ନିଜ ଇତିହାସକୁ ପରଖିବାର ନିଶା ଘାରିଛି ସେମାନଙ୍କୁ ।
ନିଜ ସହରକୁ ଚିହ୍ନିବାର ଇଚ୍ଛାରେ ସେମାନେ ଅତିକ୍ରମ କରୁଛନ୍ତି ମାଇଲ୍ ମାଇଲ୍ ରାସ୍ତା । କେତେବେଳେ ଚଉଷଠି ଯୋଗିନୀ ତ ଆଉ କେତେବେଳେ ଏକାଠି ହେଉଛନ୍ତି ପ୍ରାଚୀ ଉପତ୍ୟକାରେ ।
ପୁଣି କେତେବେଳେ ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ୍ ରାସ୍ତାରେ ତ ଆଉ କେତେବେଳେ ଗଜପତି ଜିଲ୍ଲାର ଜିରାଙ୍ଗରେ ପହଞ୍ଚୁଛନ୍ତି ଏମାନେ ।
ରାଜ୍ୟ ପର୍ଯ୍ୟଟନ ବିଭାଗ, ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ କି କୌଣସି ଟୁର୍ ଅପରେଟରଙ୍କ ବିନା ସହାୟତାରେ ଏମାନେ ବାହାରୁଛନ୍ତି ନିଜର ଇପସିତ ଲକ୍ଷ୍ୟରେ ।
ଆଉ ଜାଣିବାର ପ୍ରୟାସ କରୁଛନ୍ତି ଓଡ଼ିଶାର ସମୃଦ୍ଧ ଐତିହ୍ୟ, କଳା , ସଂସ୍କୃତି, ପରିବେଶ ଓ ପର୍ଯ୍ୟଟନକୁ ।
ପ୍ରାଚୀ ଉପତ୍ୟକାରେ ମନ
ହାତରେ ଖଣ୍ଡେ ବାଇକ୍ ଓ ଗାଇଡ ମ୍ୟାପ୍ ଧରି ଓଡ଼ିଶାକୁ ଖୋଜିବାର ମନ ରଖୁଥିବା ଏମିତି ଜଣେ ବ୍ୟକ୍ତି ହେଲେ ଆଶିଷ ଷଡ଼ଙ୍ଗୀ ।
ଆଉ ତାଙ୍କୁ ସାଥ୍ ଦେଇଛନ୍ତି ତାଙ୍କର ତିନି ବନ୍ଧୁ ବିକାଶ ମହାନ୍ତି, ସୁବ୍ରୋଜିତ୍ ରଥ ଓ ତାରିଣୀ ସେନ୍ । ଭିନ୍ନ ଭିନ୍ନ ପେସାରୁ ଆସିଥିଲେ ବି ନିଶା ଏମାନଙ୍କର ବୁଲାବୁଲି । ତେବେ ଟିକେ ନିଆରା ଢଙ୍ଗରେ ।
ଏ ନିଶା ଆଜିର ନୁହେଁ । ବରଂ ୨୦୧୩ ମସିହାରୁ ଚାଲିଛି ଏମିତି ଖୋଜ୍ । ରବିବାର ହେଲେ ବାଇକ୍ ଧରି ବାହାରିପଡ଼ନ୍ତି ଚାରି ବନ୍ଧୁ ।
ଆଉ ଗାଡ଼ି ଯାଇ ଅଟକେ ସେହି ସମାନ ଜାଗାରେ । ପ୍ରାଚୀ ଉପତ୍ୟକାରେ ।
ମହାନଦୀର ଶାଖାନଦୀ ଭାବେ ଜଣାଶୁଣା ଏହି ପ୍ରାଚୀ ନଦୀ ରାଜଧାନୀ ଭୁବନେଶ୍ୱରଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ବେଳେ ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ସ୍ପର୍ଶ କରିଛି ।
ପ୍ରତ୍ନତତ୍ତ୍ୱବିତମାନେ ପ୍ରାଚୀ ଉପତ୍ୟକାରେ ଗଢ଼ି ଉଠିଥିବା ସଭ୍ୟତା ମହେଞ୍ଜୋଦାରୋ ଓ ହରପ୍ପା ସଭ୍ୟତାର ସମସାମୟିକ ବୋଲି ଦାବି କରୁଥିବା ବେଳେ ଏଠାରେ ରହିଛି ବୁଦ୍ଧନାଥ, ଗଙ୍ଗେଶ୍ୱରୀ, ବରାହୀ, ଅଙ୍ଗେଶ୍ୱର, ମାଧବ, ବ୍ରହ୍ମା ଓ ଶୋଭନେଶ୍ୱର ମନ୍ଦିର ।
ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀରୁ ଆରମ୍ଭ କରି ୧୧ଶହ ଶତାବ୍ଦୀ ପର୍ଯ୍ୟନ୍ତ ସମୟ ମଧ୍ୟରେ ନିର୍ମାଣ ହୋଇଥିବା ଏହିସବୁ ମନ୍ଦିର କଳିଙ୍ଗ ମନ୍ଦିର ଗଠନର ଶୈଳୀ ଓ ସମୃଦ୍ଧ ସଂସ୍କୃତିର ପରିଚୟ ଦିଏ ।
ପ୍ରାଚୀ ଉପତ୍ୟକାରେ ଗଢ଼ି ଉଠିଥିବା ଏହି ପୁରାତନ ସଭ୍ୟତା ବାବଦରେ ଅଧିକ ଜାଣିବା ଆଶାରେ ଆଶିଷ ଓ ସାଥୀଙ୍କ ଏହି ଯାତ୍ରା ।
ଆଜିକୁ ୫ ବର୍ଷ ହେଲାଣି ନିୟମିତ ଭାବେ ଆଶିଷ ନିଜର ତିନି ସାଥୀଙ୍କୁ ଧରି ପ୍ରାଚୀ ଉପତ୍ୟକା ଅନ୍ୱେଷଣରେ ଯାଉଥିବା ବେଳେ ୨୦୧୭ରୁ ସେମାନଙ୍କ ସହ ସାମିଲ ହୋଇଛନ୍ତି ଆଉ କିଛି ଯୁବପିଢ଼ି ।
ସେମାନଙ୍କ ମଧ୍ୟରେ କିଛି କର୍ପୋରେଟ ଚାକିରିଆ, କିଛି ସରକାରୀ ଚାକିରିଆ, କିଛି ଛାତ୍ରଛାତ୍ରୀ, ଫଟୋଗ୍ରାଫର ରହିଛନ୍ତି ।
ଏ ବାବଦରେ ଆଶିଷ କହନ୍ତି ଭୁବନେଶ୍ୱର ଉତ୍ତରା ଛକ, ବାଳକାଟି ଦେଇ ଗଲେ ଜଣେ ଏହି ଉପତ୍ୟକାରେ ପହଞ୍ଚି ପାରିବ । ତେବେ ନଖରା, ଅଡ଼ଶପୁର, ଅଠାନ୍ତର, ନିଆଳି ଦେଇ ମଧ୍ୟ ରାସ୍ତା ଅଛି ।
ଆମେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରାସ୍ତାରେ ଏଠାକୁ ଯାଉ । ପ୍ରାଚୀ ଉପତ୍ୟକାର ପ୍ରାୟ ୩୦୦ରୁ ଅଧିକ ପ୍ରାଚୀନ କୀର୍ତ୍ତିରାଜି ଓ ପୁରାତନ ମନ୍ଦିର ରହିଛି ।
ତେଣୁ ଯେତେଥର ଗଲେ ମଧ୍ୟ ଆପଣ ଏକ ଭିନ୍ନ ଅନୁଭୂତି ସାଉଁଟି ପାରିବେ ।
ଏହାଛଡ଼ା ଜଣେ ଚାହିଁଲେ ପ୍ରାଚୀ ଉପତ୍ୟକାର କଟକ ଭାଗ ଭାବେ ମୟୂର ଉପତ୍ୟକା, ସିଦେ୍ଧଶ୍ୱର ମନ୍ଦିର, ରାମେଶ୍ୱର ମନ୍ଦିର ଓ ଧବଳେଶ୍ୱର ମନ୍ଦିର ଦେଖି ପାରିବ ।
ଆକ୍ଟିଭାରେ ଶାମୁକା ଟାପୁ
ବୁଲିବା ପାଇଁ ଦାମିକା ବାଇକ୍ ନୁହେଁ ବରଂ ଝୁଙ୍କ ଥିବା ଦରକାର । ଏମିତି ବିଶ୍ୱାସ ରଖନ୍ତି ଅବିନାଶ ପଟ୍ଟନାୟକ ।
ନିଜ ଆକ୍ଟିଭା ଓ କିଛି ସାଥୀଙ୍କ ସହ ମିଶି ଅବିନାଶ ଖୋଜିଛନ୍ତି କଟକର ବୟାଳିଶ ମୌଜା ଅଞ୍ଚଳରେ ଥିବା ଟର୍ଟଲ୍ ପଏଣ୍ଟ ଓ ପୁରୀ ଚିଲିକା ସମୁଦ୍ର ବେଳାଭୂମିରେ ଶାମୁକା ଆଇଲ୍ୟାଣ୍ଡ ।
ଅଭିନାଶ ପଟ୍ଟନାୟକ, ଦେବାଶିଷ ମହାପାତ୍ର, ସଜଲ ସେଠ, ସମରେଶ ବିଶ୍ୱାଳ, ମନିଷ ମେହତା ଓ ସୁମିତ୍ ଦାଶ ।
ରାଜ୍ୟ ପର୍ଯ୍ୟଟନର ଅନାଲୋଚିତ ଦିଗକୁ ଆବିଷ୍କାର କରିବା ପାଇଁ ଏକାଠି ହୋଇଛନ୍ତି ଏହି ୬ ସାଙ୍ଗ । ଏମାନେ କେହି ସ୍କୁଲ, କି କଲେଜ ବେଳର ସାଥୀ ନୁହେଁ ।
ନୂଆ ଜାଗା ଖୋଜିବାର ଜିଜ୍ଞାସୁ ମନୋବୃତ୍ତି କିନ୍ତୁ ଏକାଠି କରିଛି ଏମାନଙ୍କୁ । ରବିବାର ହେଉ, କି କୌଣସି ସରକାରୀ ଛୁଟିଦିନ ।
ଏମାନେ ବାହାରି ପଡ଼ନ୍ତି ଓଡ଼ିଶା ଅନ୍ୱେଷଣରେ । କେତେବେଳେ ଭୁବନେଶ୍ୱର-କଟକ, ପ୍ରେସ୍ ଛକ-ବୟାଳିଶ ମୌଜା ଗାଁ ଦେଇ ପହଞ୍ଚନ୍ତି ଟର୍ଟଲ୍ ପଏଣ୍ଟରେ ତ ପୁଣି କେତେବେଳେ ସେଠାରୁ ବିରିଡ଼ି-ଜଗତସିଂହପୁର ଦେଇ ଯାଜପୁରର ପୀର ବାବା ଦରଘା ଯାଏଁ ଗାଡ଼ି ଗଡ଼େ ।
୪ ହଜାର ପାହାଚ ଟ୍ରେକିଂ କରି ଏମାନେ ପହଞ୍ଚନ୍ତି ଯାଜପୁର ସହରର ସବୁଠାରୁ ଉଚ୍ଚା ଟାପୁରେ ଥିବା ପୀର ପୀଠରେ । ଯେଉଁଠି ଏବେବି ଓଡ଼ିଶାର ପର୍ଯ୍ୟଟନ ବିଭାଗ ଓ ପର୍ଯ୍ୟଟକ ଅପହଞ୍ଚ ।
କେବଳ ସେଇଠି ନୁହେଁ ପୁରୀରୁ ଚିଲିକା ମୁହାଣ ପର୍ଯ୍ୟନ୍ତ ଯାଇ ଏମାନେ ଖୋଜି ପାଇଛନ୍ତି ଶାମୁକା ଟାପୁ ।
ସମୁଦ୍ର ବେଳାଭୂମିରେ ଦେଖାଯାଉଥିବା ସାଧାରଣ ଶାମୁକା ଅପେକ୍ଷା ଏଠାରେ ମିଳୁଥିବା ଶାମୁକା ସଂଖ୍ୟା ଢେର ଅଧିକ ଥିବା ବେଳେ ଆକାରରେ ମଧ୍ୟ ବଡ଼ । ତେଣୁ ସ୍ଥାନୀୟ ଲୋକ ଏହାକୁ ଶାମୁକା ଟାପୁ ବୋଲି କହିଥାନ୍ତି ।
ଓଡ଼ିଶାକୁ ନିରେଖି ଦେଖିବାର ଆଗ୍ରହ ରଖୁଥିବା ଅବିନାଶ ନିଜର ଏଭଳି ଯାତ୍ରା ସମ୍ପର୍କରେ କୁହନ୍ତି, ପୂର୍ବରୁ ମୁଁ ଏକା ଏକା ବୁଲୁଥିଲି ।
ମାତ୍ର ୨୦୧୭ରୁ ମୋତେ ମୋ ଭଳି ମାନସିକତାର କିଛି ସାଥୀ ମିଳିଲେ । ଆଉ ସେବେଠୁ ବୁଲିବା ଆରମ୍ଭ କରିଛି । ଇତି ମଧ୍ୟରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳ ବୁଲିବାର ସୁଯୋଗ ପାଇଛି ।
ତେବେ ଟ୍ୟାକ୍ସି ଓ କ୍ୟାବରେ ବୁଲିବା ଠାରୁ ବାଇକ୍ ଓ ସ୍କୁଟିରେ ବୁଲିବାର ଏକ ଅଲଗା ମଜା ରହିଛି ।
ଅଫ୍ ରୋଡ ଟ୍ରାଭେଲରେ ଆପଣ କେବଳ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟକୁ ପାଖରୁ ଜାଣିବେନି ବରଂ ଏହା ଆପଣଙ୍କ ଭିତରେ ଭାଇଚାରା ଓ ସୌହାର୍ଦ୍ଦ୍ୟ, ଧୈର୍ଯ୍ୟ ଓ ସଂଯମତା ବଢ଼ାଇବାରେ ସାହାଯ୍ୟ କରିବ ।
ସୁପର ବାଇକରେ ସାରା ଓଡ଼ିଶା
ଏମାନେ କିନ୍ତୁ ଟିକେ ଭିନ୍ନ ଭାବେ ଦେଖନ୍ତି ଓଡ଼ିଶାକୁ । ଓଡ଼ିଶା ବାହାରର ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ସହ ଓଡ଼ିଶାର ଖାଦ୍ୟ, ପାନୀୟ ଓ ପର୍ଯ୍ୟଟନ ସ୍ଥଳୀ ବାବଦରେ ଅବଗତ କରାଇବା ପାଇଁ ଏମାନେ ଧରିଛନ୍ତି ସୁପରବାଇକ୍ ।
ଆଖି ପିଛୁଳାକେ ଅତିକ୍ରମ କରୁଛନ୍ତି ମାଇଲ୍ ମାଇଲ୍ ଯୋଜନ । କେତେବେଳେ ଦେଓମାଳିର ସୁଉଚ୍ଚ ପର୍ବତମାଳା ଭିତରେ ତ ପୁଣି କେତେବେଳେ ଜିରାଙ୍ଗର ଶାନ୍ତ ପରିବେଶ ଭିତରେ ।
ପୁଣି କେତେବେଳେ ସମୁଦ୍ର ବେଳାଭୂମିରେ ତ କେତେବେଳେ ଅପ୍ ଟ୍ରାକରେ କଟକର ମୁଣ୍ଡୁଳିରେ ପହଞ୍ଚନ୍ତି ଏମାନେ । ପେସା ଭିନ୍ନ । ହେଲେ ନିଶା ଓଡ଼ିଶା ଖୋଜ୍ ।
ରାଜଧାନୀରେ ଏବେ ଏମିତି ଏକ ସୁପରବାଇକ୍ କ୍ଲବ୍ ତିଆରି ହୋଇଛି ଯାହାର ମୂଳ ଲକ୍ଷ୍ୟ ଓଡ଼ିଶାର ଅନାଲୋଚିତ ପର୍ଯ୍ୟଟନ ସ୍ଥଳୀକୁ ଖୋଜି ବାହାର କରିବା ।
“ଦ ମୋଟରସାଇକେଲିଷ୍ଟ’ ନାଁରେ ତିଆରି ହୋଇଥିବା ଏହି ଦଳରେ ଏବେ ୧୦୦ରୁ ଅଧିକ ସଦସ୍ୟ । ଯେଉଁମାନେ କି ନିୟମିତ ଭାବେ ସପ୍ତାହର ପ୍ରତି ରବିବାର ବାହାରନ୍ତି କୌଣସି ଏକ ଅଜଣା ଗାଁ ବା ସହରର ଆବିଷ୍କାରରେ ।
ଯାହାର ମୁଖ୍ୟ ନାୟକ ସାଜିଛନ୍ତି ହିମାଂଶୁ ନାୟକ । ‘ଚା ବିସ୍କୁଟ୍’ ଖଟିରୁ ଆରମ୍ଭ ହୁଏ ଯାତ୍ରା । ଆଉ ତାଙ୍କୁ ସାଥ୍ ଦିଅନ୍ତି ସୁମନ୍ ପରିଡା, ଆଶିଷ ଗୁପ୍ତା, ଅଦନାନ୍ ଅଲ୍ଲୀ, ଅଭନାଂଶ ପଣ୍ଡା ।
ଇତି ମଧ୍ୟରେ ଦଳର ସଦସ୍ୟମାନେ ଜିରାଙ୍ଗ, ଦାରିଙ୍ଗବାଡ଼ି, ମହେନ୍ଦ୍ରଗିରି, ଦେଓମାଳି, ସାନଘାଗରା, ବଡଘାଗରା, ମୁଣ୍ଡଳି, କପିଳାସ, ଚନ୍ଦକା, ଚାନ୍ଦିପୁର ଯିବା ସହ ଅନେକ ବିଚ୍ ରାଇଡ ମଧ୍ୟ କରିଛନ୍ତି ।
ଓଡ଼ିଶା ବ୍ୟତୀତ ଦଳର ସଦସ୍ୟମାନେ ଭୁବନେଶ୍ୱରରୁ ରାଜ୍ୟ ବାହାରର ଅନେକ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିଛନ୍ତି ।
ଏ ବାବଦରେ ଦଳର ସୁମନ ପରିଡା କୁହନ୍ତି, ଗତ ୪ ବର୍ଷ ହେଲା ଯୁବପିଢ଼ିଙ୍କ ଭିତରେ ବାଇକ୍ ଟ୍ରାଭେଲର କ୍ରେଜ୍ ବଢ଼ିଛି । ମୋଟରସାଇକେଲ୍ ସବୁ ସ୍ଥାନକୁ ସବୁ ସମୟରେ ପହଞ୍ଚି ପାରିବ ।
ତେଣୁ ଏହା ଏବେ ସମସ୍ତଙ୍କ ପ୍ରଥମ ପସନ୍ଦ । ଏହାଛଡ଼ା ଆପଣ ବାଇକରେ ଗଲେ କୌଣସି ସ୍ଥାନୀୟ ଅଞ୍ଚଳର ଖାଦ୍ୟ, ସେଠାକାର ଲୋକଙ୍କ ସଂସ୍କୃତି ଓ ଆଚାର ବ୍ୟବହାରକୁ ପାଖରୁ ପରଖିବାର ସୁଯୋଗ ପାଇବେ ।
ବାଇକର ମାନେ ରାଜ୍ୟ ପର୍ଯ୍ୟଟନକୁ ନିରବରେ ବିଶ୍ୱ ମଞ୍ଚରେ ପ୍ରଚାର କରୁଛନ୍ତି ।
ଏହାର ଏକ ଉଦାହରଣ ହେଲା ଆମ ବାଇକର ଓ ରାଇଡରମାନଙ୍କ “ପାନ୍ ଇଣ୍ଡିଆ’ ନାମରେ ଏକ ଗ୍ରୁପ୍ ଅଛି । ଯେଉଁଠାରେ ଆମେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ଫଟୋ ଉଠାଇ ଅପଲୋଡ କରୁଛୁ ।
ଫଳସ୍ୱରୂପ ତିନି ବର୍ଷ ଭିତରେ ଓଡ଼ିଶା ବୁଲିବାକୁ ୧୬୦ରୁ ଅଧିକ ସଲୋ ରାଇଡର ଆସିଥିବା ବେଳେ ପାଖାପାଖି ୮୦ ରାଇଡର ବିଭିନ୍ନ ସ୍ଥାନକୁ ଯିବା ବେଳେ ଓଡ଼ିଶାରେ ସ୍ୱଳ୍ପ ରହଣି କରୁଛନ୍ତି ।
ଆଗାମୀ ଦିନରେ ଏହା ନିଶ୍ଚିତ ଭାବେ ବାଇକରଙ୍କ ଡେଷ୍ଟିନେସନ୍ ହୋଇ ପାରିବ ବୋଲି ଆଶା । ଏହାଛଡା ସୁପରବାଇକରଙ୍କ ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ରାସ୍ତା ବହୁତ ଭଲ ।
ତେବେ ବେଳେ ବେଳେ ଆମେ ଅପ୍ ଟ୍ରାକ୍ ରାଇଡ ବି କରୁଛୁ । ସୁପରବାଇକ୍ ଗ୍ରୁପ୍ ତିଆରି କରିବାର ଆଉ ଏକ କାରଣ ହେଲା ଏଠାରେ ଏକ ସାଧାରଣ ବର୍ଗ ଲୋକମାନେ ସଦସ୍ୟ ହୋଇ ପାରିବେ ।
ପର୍ଯ୍ୟଟନ ସ୍ଥଳୀରେ ସ୍ୱଚ୍ଛତା ଓ ପରିମଳ ସମ୍ପର୍କରେ ସେଚତନତା ସୃଷ୍ଟି କରିବା ସହ ଟ୍ରାଫିକ୍ ନିୟମ ମାନିବା ଓ ଶୃଙ୍ଖଳା ବଜାୟ ରଖିବା ଦିଗରେ “ଦ ମୋଟରସାଇକେଲିଷ୍ଟ’ କାର୍ଯ୍ୟ କରୁଛି ।
ଲୋକାଲ ୱାୟାର
Leave a Reply