ଭୁବନେଶ୍ୱର, ଜୁଲାଇ ୧୧(ଲୋକାଲ ୱାୟାର): ବାଇକ୍ ର ଘୁଁ ଘୁଁ ଶବ୍ଦ ତାଙ୍କୁ ଅନ୍ୟମନସ୍କ କରେ । ମନ ଆଉ ଥୟ ଧରେନି ।
ପାଦ ସ୍ଥିର ରହେନି । ଆଖି ପିଛୁଳାକେ ଉଡ଼ିଯିବାକୁ ଇଚ୍ଛା ହୁଏ ମାଇଲ୍ ମାଇଲ୍ ଯୋଜନ ରାସ୍ତା ।
କେତେବେଳେ ରାଜଧାନୀରୁ କୋରାପୁଟ ତ ପୁଣି କେତେବେଳେ କଲିକତା । କୌଣସି ନିର୍ଦ୍ଦିଷ୍ଟ ଗନ୍ତବ୍ୟ ସ୍ଥଳ ନୁହେଁ ।
ମନ ଯେଉଁଠି କହେ ବାଇକ୍ ରେ ବ୍ରେକ୍ ସେଇଠି ଲାଗେ । ଚା’ କପ୍ ର ସିପ୍ ପରି ବାଇକ୍ ପ୍ରତି ତାଙ୍କର ଏ ପ୍ରୀତି । ତା’ ପୁଣି ପିଲାଦିନରୁ ।
ହାତରେ ବାଇକ୍ ଧରିଲେ ତାଙ୍କ ମନ ହୁଏ ପରୀ ରାଇଜରେ ଭ୍ରମଣ ପରି । ଆଉ ହାତରେ କ୍ୟାମେରା ଖଣ୍ଡେ ପଡ଼ିଗଲେ ସୋନେ ପେ ସୁହାଗା ।
ଫ୍ରେମରେ ବନ୍ଧା ପଡ଼ିଯାଏ ଅଭୂଲା ମୂହୁର୍ତ୍ତ ସବୁ । ବାଇକ୍ ରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ କ୍ୟାମେରା ଲେନ୍ସରେ ଧରା ଦିଅନ୍ତି ସୁନ୍ଦର ମୁହୂର୍ତ୍ତ ସବୁ ।ଧଟ
ଆଉ ପରବର୍ତ୍ତୀ ସମୟରେ ଏହା ରୂପ ନିଏ କାହାଣୀର । ମଣିଷଠାରୁ ପ୍ରକୃତି ଯାଏଁ । ପର୍ଯ୍ୟଟନଠାରୁ ପରମ୍ପରା ଯାଏଁ ।
ସଂସ୍କୃତି ଠାରୁ ଖାଦ୍ୟ ଯାଏଁ । ସବୁକିଛି ଜୀବନ୍ତ ହୁଏ ଏ ଯାତ୍ରାରେ ।
ଅଲିଭା ପ୍ରେମର ଏହି ଦାଗକୁ ସବୁଦିନ ସତେଜ ରଖିବାକୁ ଚାହୁଁଥିବା ଏଭଳି ଯୁବତୀ ହେଲେ ମନିଷା ।
ଘର ରାଜଧାନୀରୁ ମାତ୍ର ୨୭ କିଲୋମିଟର ଦୂର ଖୋର୍ଦ୍ଧା ସହରର ବସଷ୍ଟପ୍ ପାଖାପାଖି ଅଞ୍ଚଳରେ ।
ବାଇକର୍ ଛଡା ମନିଷାଙ୍କ ଆଉ ଏକ ପରିଚୟ ହେଲା ସେ ଜଣେ ଟ୍ରାଭେଲ୍ ବ୍ଲଗର୍ ।
ବାଇକ୍ ଗାର୍ଲସ୍ ଆଣ୍ଡ ଷ୍ଟୋରିଜ୍ ବ୍ଲଗ୍ ର ମୁଖ୍ୟ । ମାତ୍ର ୨ ମାସର ଏହି ଯାତ୍ରାରେ ମନିଷା ଛୁଇଁ ପାରିଛନ୍ତି ବିଭିନ୍ନ ବର୍ଗର ପାଠକଙ୍କ ହୃଦୟକୁ ।
କିଏ ତାଙ୍କର ଲେଖାର ପ୍ରେମରେ ପଡ଼ିଛି ତ ଆଉ କିଏ ସେ ଉଠାଇଥିବା ଫଟୋ ପ୍ରେମରେ ।
ଇତି ମଧ୍ୟରେ ମନିଷା ୫୦ରୁ ଅଧିକ ସ୍ଥାନକୁ ଯିବା ସହ ତାଙ୍କ ଭ୍ରମଣ ଅନୁଭୂତିକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରି ସମସ୍ତଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି ।
ମନିଷା ହସି ହସି କହନ୍ତି ଲୋକେ ମୋ ଲେଖା ଓ ଫଟୋ ପ୍ରେମରେ ପଡ଼ିଛନ୍ତି ସିନା ହେଲେ ମୋ ପ୍ରେମ ତ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ପର୍ଯ୍ୟାୟରେ ବଦଳିଛି! ଆଉ ସ୍ଥାନ ବି ବଦଳାଇଛି! କେତେବେଳେ ତିତଲି ନାଁରେ ତ କେତେବେଳେ ସାଇକ୍ଲୋନ୍ ପୁଣି କେତେବେଳେ ହୁଡହୁଡ୍ ଫାନ୍ଦରେ ପଡ଼ିଛି ମୁଁ ।
ହେଲେ ଏସବୁ ବାତ୍ୟା କି ମଣିଷ ନୁହଁନ୍ତି ବରଂ ମୋ ବାଇକ୍ (ତିତଲି), ମୋ ସାଇକଲ୍ (ସାଇକ୍ଲୋନ୍) ଓ ମୋ କାର୍ (ହୁଡହୁଡ୍) ।
ଏମାନଙ୍କ ଭିତରେ ମୋର ସବୁଠୁ ନିବିଡ ପ୍ରେମ ତିତଲି ସହ । ଯେଉଁଦିନ ଓଡ଼ିଶାକୁ ତିତଲି(ଝଡ) ଆସିଥିଲା, ସେଇଦିନ ମୁଁ ବାଇକ୍ କିଣି ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଏଁ ପହଞ୍ଚିଥିଲି ।
ସେଇଥିପାଇଁ ତା’ ନାଁ ତିତଲି ଦେଲି । ମୁଁ ମୋ ବାଇକକୁ ଏତେ ଭଲପାଏ ଯେ ଘରେ ବ୍ରାହ୍ମଣ ପୂଜା କଲାବେଳେ ଅନ୍ୟ ସଦସ୍ୟଙ୍କ ନାଁ ସହ ମୋ ତିତଲି ନାଁ ବି ଧରିଥାନ୍ତି ।
ମନିଷା କହନ୍ତି ବାଇକ୍ ସହ ମୋ ପ୍ରେମ ପିଲାବେଳୁ । ବୋଧହୁଏ ମୁଁ ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲି ସେତେବେଳୁ ।
ବାପାଙ୍କ ପୁରୁଣା ସ୍ପ୍ଲେଣ୍ଡର ଗାଡି ଗଡ଼ଉ ଗଡ଼ଉ ମୋର ତା’ ସହ ଏ ଭାବ । ମୋର ଜନ୍ମ କୋରାପୁଟରେ ।
ବାପା (ଶଙ୍ଖାଳି ବେହେରା) ସରକାରୀ ଚାକିରି କରୁଥିବାରୁ ଆମେ ସେତେବେଳେ କୋରାପୁଟରେ ରହୁଥାଉ ।
ମୁଁ ଷଷ୍ଠ ଶ୍ରେଣୀରେ ପଢ଼ିଲା ବେଳେ ସବୁ ସାଙ୍ଗମାନଙ୍କ ପାଖରେ ସାଇକେଲ୍ ଥାଏ । ହେଲେ ମୋ ପାଖରେ ନଥିଲା ।
ବାପାଙ୍କ ପାଖେ ଜିଦ୍ କଲି । ହେଲେ ବାପା କହିଲେ ପ୍ରଥମ ହେଲେ ସାଇକେଲ କିଣିଦେବେ । ମୁଁ କିନ୍ତୁ ଶ୍ରେଣୀରେ ତୃତୀୟ ହେଲି ।
ତେଣୁ ସାଇକେଲ୍ ସ୍ୱପ୍ନ ଅଧାରେ ରହିଗଲା । ହେଲେ ମୁଁ ଅଟକିଲିନି । ବାପା, ବୋଉ ଶୋଇଥିବା ବେଳେ ଘରୁ ଗାଡ଼ି କାଢ଼ି ଗଡ଼ାଏ ।
ପୁଣି ସକାଳ ହେବା ଆଗରୁ ଗାଡ଼ି ଆଣି ଘରେ ଥୋଇଦିଏ ।
ଏଭିତରେ ବାପାଙ୍କ ବଦଳି ରଣପୁରକୁ ହୋଇଗଲା । ଆମେ ୪ ଭାଇଭଉଣୀ, ବାପା, ବୋଉ ସବୁ ରଣପୁର ପଳାଇ ଆସିଲୁ ।
ସେଠାରେ ମୋର ଆଦର୍ଶ ବିଦ୍ୟାମନ୍ଦିରରେ ସପ୍ତମ ଶ୍ରେଣୀରେ ନାଁ ଲେଖାହେଲା । ସେତେବେଳକୁ ମୁଁ ବୁଝି ଯାଇଥାଏ ଯେ ନ୍ୟୁଟ୍ରାଲରେ ଗାଡି ଗଡ଼େ ।
ପିଲାବେଳୁ ମୁଁ କ୍ରିକେଟ୍, ବ୍ୟାଡମିଣ୍ଟନ୍ ଖେଳେ, ଘରେ ଦଣ୍ଡେ ଚୁପଚାପ୍ ବସି ପାରେନି । ଗାଡ଼ି ଦେଖିଲେ ତ ଯେମିତି ମୋର ନୂଆ ଜନ୍ମ ହୁଏ ।
ମୋର ଜଣେ ସମ୍ପର୍କୀୟ ଦାଦା ମୋତେ ଗାଡ଼ି ଚଲା ଶିଖାନ୍ତି । ଯେବେ ଦାଦା ରଣପୁର ଆସନ୍ତି ମୁଁ ତାଙ୍କଠାରୁ ଗାଡ଼ି ଶିଖେ ।
ପାଖ ପଡ଼ିଶା ଲୋକ ଏଥିପାଇଁ କେତେ କଥା କୁହନ୍ତି । ଝିଅପିଲାଟା କାହିଁ ଏମିତି ହଉଛୁ ବୋଲି ତାଗିଦ୍ କରନ୍ତି ।
କେହି କେହି ତ କହନ୍ତି ନିଜେ ତ ଯାହା ହଉଛୁ ଆମ ପିଲାଙ୍କୁ ବି ନଷ୍ଟ କରୁଛୁ ବୋଲି କହନ୍ତି । ଏମିତିରେ ୧୦ମ ଶ୍ରେଣୀ ସରିଯାଏ ।
ଆମେ ସପରିବାରେ ଖୋର୍ଦ୍ଧା ପଳାଇ ଆସିଲୁ । ଘରେ ବାପାଙ୍କ ଗାଡ଼ି ବ୍ୟତୀତ ଆଉ କିଛି ନଥିବାରୁ ଘରୁ ବାହାରିଲେ ଖୋଜାପଡ଼େ ବାପାଙ୍କ ବାଇକ୍ ।
ଏ ଭିତରେ ପରିବାର ଲୋକ, ବିଶେଷ କରି ମୋ ବୋଉ (ବିଜୟଲକ୍ଷ୍ମୀ ବେହେରା)ବି ମୋ ଗାଡ଼ି ଚଲାକୁ ନେଇ ଅଭ୍ୟସ୍ତ ହୋଇଗଲେ ।
କାହାର ଆଉ ଅଭିଯୋଗ ରହିଲା ନାହିଁ । ସାହି ପଡ଼ିଶା ଲୋକ ବି ଧୀରେ ଧୀରେ ଚୁପ୍ ହୋଇଗଲେ ।
ସମାଲୋଚନା ସବୁ ବନ୍ଦ ହୋଇଗଲା । ଏପରିକି ବାପା ଘରୁ ଗଲେ ମୋତେ କୁହନ୍ତି ଗାଡ଼ି ତୁ ଚଲା । ମୁଁ ବସିବି ।
ଭୁବନେଶ୍ୱରର ଏକ ଘରୋଇ କଲେଜରେ ଯୁକ୍ତଦୁଇ ପଢ଼ିବା ପରେ ମୋର ଆଇଆଇଟି ଭୁବନେଶ୍ୱରରେ ହୋଇଯାଏ ।
ସେଠାରେ ଡିଗ୍ରୀ କଲା ବେଳକୁ ମୁଁ କ୍ୟାମ୍ପସରେ ସାଙ୍ଗସାଥୀ, ଉପର କ୍ଲାସ୍ ପିଲାମାନଙ୍କ ବାଇକ୍ ଚଲାଇବା ଆରମ୍ଭ କଲି ।
ବେଳେ ବେଳେ ତ ଏଭଳି ହୋଇଛି ବାଇକ୍ ଭଡ଼ା ନେଇ ଦୂର ଦୂର ବାଟଯାଏଁ ବୁଲିବାକୁ ପଳାଇଛି ।
ଚାକିରି କରି ସୁପରବାଇକ୍ ୟାମ୍ମାହା ଆର୍-୩ ବି କିଣିଦେଲି । ହେଲେ ମନ ବୁଝୁନଥାଏ ।
କିଛି ଗୋଟେ ସବୁବେଳେ ଖାଲି ଖାଲି ଥାଏ । ସେତେବେଳକୁ ଓଡ଼ିଶାରେ ବାଇକରନି କ୍ଲବ୍ ଆରମ୍ଭ ହୋଇଯାଇଥାଏ ଓ କିଛି ବାଇକର୍ ନିଜର ବ୍ଲଗ୍ ବି ଆରମ୍ଭ କରି ଦେଇଥାନ୍ତି ।
ସେତେବେଳେ ମୋ ମନରେ ବି ବ୍ଲଗ୍ କରିବାର ଇଚ୍ଛା ଆରମ୍ଭ ହେଲା । ଏମିତି କିଛି ଦିନ ଗଲା ପରେ ମୋର ଦେଖାହୁଏ ମୋ ବନ୍ଧୁ ପ୍ରଜ୍ଞା ସାହୁଙ୍କ ସହ ।
ଜଣେ ବନ୍ଧୁଙ୍କ ବିବାହରେ । ଆମେ ପରସ୍ପରଠାରୁ ବହୁତ ଭିନ୍ନ । ହେଲେ ପରସ୍ପରର ପ୍ରଶଂସା କରିବାକୁ ଓ ପରସ୍ପରକୁ ଉତ୍ସାହିତ କରିବାକୁ ଅବସର ଖୋଜୁଥାଉ ।
ମୋର ବାଇକିଂ ଓ ଫଟୋଗ୍ରାଫି ପ୍ୟାଶନ୍ ଥିବା ବେଳେ ପ୍ରଜ୍ଞା ଜଣେ କଣ୍ଟେଣ୍ଟ ରାଇଟର ଓ ଏମଏସଡବ୍ଲୁ ବିଜେବି କଲେଜ ଛାତ୍ରୀ ।
ମୁଁ ବୁଲିବାକୁ ଓ ସେ ଲେଖିବାକୁ ଭଲ ପାଉଥିବାରୁ ଜନ୍ମ ନେଲା ବାଇକ୍ ଗାର୍ଲସ୍ ଓ କାହାଣୀ.. ।
ଲୋକାଲ ୱାୟାର
Leave a Reply