ପାରଳାଖେମୁଣ୍ଡି, ସେପ୍ଟେମ୍ବର ୭ (ଲୋକାଲ ୱାୟାର): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୁଲିସ ଏକ ବାଇକ୍ ଚୋର ଗ୍ୟାଙ୍ଗର ୬ ସଦସ୍ୟଙ୍କୁ ଗିରଫ କରିବା ସହ ୨୪ ଚୋରା ବାଇକ୍ ଉଦ୍ଧାର କରିଛି ।
ଗିରଫ ବ୍ୟକ୍ତିମାନେ ମୋହନା ନିକଟସ୍ଥ ବାହାଦୂରପଦରର ଅଜିତ ମାଲି (୨୩) , ଗ୍ୟାଙ୍ଗ ଲିଡର ସୁଧାକାର ପାତିକି (୨୬), ଗୁରାଣ୍ଡିର ରବୀନ୍ଦ୍ର ମିଶାଲ (୨୦), ନୂଆଗଡର ସମୀର ସିଂହ (୪୦), ଶେରଙ୍ଗର ଗଙ୍ଗା ପ୍ରଧାନ (୨୫) ଓ ଜି. ଉଦୟଗିରିର ମିଖା ଗମାଙ୍ଗୋ (୨୧) ବୋଲି ଚିହ୍ନଟ ହୋଇଛନ୍ତି ।
ମାଲି ଓ ତାଙ୍କ ସହଯୋଗୀମାନେ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରର ଜନଗହଳି ସ୍ଥାନରୁ ବାଇକ୍ ଚୋରି କରୁଥିବା ବେଳେ ଅନ୍ୟମାନେ ଚୋରି ବାଇକ ବିକ୍ରି କରିବାକୁ ଗ୍ରାହକ ଯୋଗାଡ କରୁଥିଲେ ବୋଲି ଗଜପତି ଏସପି ତପନ କୁମାର ପଟ୍ଟନାୟକ କହିଛନ୍ତି ।
ଜବତ ବାଇକଗୁଡ଼ିକ ଗତ ଛଅ ମାସ ମଧ୍ୟରେ ଲୁଟ ହୋଇଥିଲା ।
ଅପରାଧୀମାନେ ବାଇକର ରେଜିଷ୍ଟ୍ରେସନ ନମ୍ବର ବଦଳାଇ ନକଲି କାଗଜପତ୍ର ପ୍ରସ୍ତୁତ କରି ବିକ୍ରି କରୁଥିଲେ ।
ବାଇକ୍ ଚୋରି ଓ ବିକ୍ରିରେ ସହାୟତା କରୁଥିବା ଏହି ଗ୍ୟାଙ୍ଗର ଆଉ ୧୦ ସଦସ୍ୟଙ୍କୁ ଗିରଫ କରିବା ପାଇଁ ପୁଲିସ ତନାଘନା ଜାରି ରଖିଛି ।
ଚୋରି ବାଇକ୍ ବିକ୍ରି କରିବାକୁ ମାଲି ପାରଳାଖେମୁଣ୍ଡିରୁ ମୋହନା ଆସୁଥିବା ଖବର ପାଇ ପୁଲିସ ଟିମ୍ ତାକୁ ଅପେକ୍ଷା କରି ରହିଥିଲା ।
ପୁଲିସ ତାକୁ ଅଟକିବା ପାଇଁ କହିବା ବେଳେ ସେ ଫେରାର ହେବାକୁ ଉଦ୍ୟମ କରିଥିଲା ।
ତେବେ ପୁଲିସ ଗୋଡ଼ଇ ଗୋଡ଼େଇ ତାକୁ ଧରିଥବା ପାରଳାଖେମୁଣ୍ଡି ଥାନାର ଆଇଆଇସି ବିବେକାନନ୍ଦ ସ୍ୱାଇଁ କହିଛନ୍ତି ।
ସେ ଚଲାଉଥିବା ବାଇକଟି ଚୋରା ବୋଲି ତଦନ୍ତରୁ ଜଣାପଡ଼ିଥିଲା । ଗାଡ଼ିର ନକଲି ଡକ୍ୟୁମେଂଟ ଜବତ କରିଛୁ ।
ଜେରା ବେଳେ ସେ ଅନ୍ୟ ସଦସ୍ୟମାନଙ୍କ ସମ୍ପର୍କରେ ସୂଚନା ଦେଇଥିଲା ବୋଲି ସେ କହିଛନ୍ତି ।
ଲୋକାଲ ୱାୟାର
Leave a Reply