ଭୁବନେଶ୍ଵର, ଡିସେମ୍ବର ୨୪ (ଲୋକାଲ ୱାୟାର): ମଙ୍ଗଳବାର ‘ଉତ୍କଳ ସାହିତ୍ୟ’ର ସ୍ରଷ୍ଟା ବାଗ୍ମୀ ବିଶ୍ଵନାଥ କରଙ୍କ ୧୫୬ତମ ଜୟନ୍ତୀ ପାଳିତ ହେଉଥିବାବେଳେ ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଜଣା ଅଜଣା କଥା ।
୧- ୧୮୬୪ ମସିହା ଡିସେମ୍ବର୍୨୪ରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ମୂଳବସନ୍ତ ଗାଁରେ ଜନ୍ମଗ୍ରହଣ କରିଥିଲେ ବିଶ୍ବନାଥ କର।
ତାଙ୍କ ପିତାଙ୍କ ନାମ ନାରାୟଣ କର ଓ ମାଆ ବୈଦେହୀ ଦେବୀ ।
୨- ୧୮୮୦ ମସିହାରେ ସେ ସପ୍ତମ ଶ୍ରେଣୀ ପାସ କରି କଟକସ୍ଥିତ ପ୍ୟାରୀମୋହନ ଏକାଡେମୀରେ ନାମ ଲେଖାଇଥିଲେ ।
୧୮୮୪ ମସିହାରେ ଏଣ୍ଟ୍ରାନ୍ସ ପାସ୍ କରିବା ସହ ଦୁଇ ବର୍ଷ ମଧ୍ୟରେ ବିରୋଳ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ଅବସ୍ଥାପିତ ହୋଇଥିଲେ ।
୩- ଓଡ଼ିଆ ସାହିତ୍ୟର ବିକାଶ ସାଙ୍ଗକୁ ନୂଆ ନୂଆ ଲେଖକ ସୃଷ୍ଟି କରିବା ପାଇଁ ସେ ୧୮୯୬ ମସିହା ପଣା ସ˚କ୍ରାନ୍ତିରେ ‘ଉତ୍କଳ ସାହିତ୍ୟ’ ପତ୍ରିକାର ପ୍ରକାଶନ ଆରମ୍ଭ କରିଥିଲେ।
ଏହି ପତ୍ରିକାକୁ ସମୟ ଦେବା ପାଇଁ ସେ ୧୮୯୯ ମସିହା ନଭେମ୍ବରରେ ଚାକିରିରୁ ଇସ୍ତଫା ପ୍ରଦାନ କରିଥିଲେ।
ଆର୍ଥିକ ଅବସ୍ଥା ଭଲ ନଥିଲେ ମଧ୍ୟ ୧୯୦୦ ମସିହା ଜାନୁଆରୀ ୧୦ରେ ସେ କଟକରେ ଉତ୍କଳ ସାହିତ୍ୟ ପ୍ରେସ ସ୍ଥାପନ କରିଥିଲେ ।
୪- ଉତ୍କଳ ସାହିତ୍ୟ ପ୍ରେସରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ‘ଛମାଣ ଆଠ ଗୁଣ୍ଠ’, ରାଧାନାଥ ରାୟଙ୍କ ‘ଦରବାର’, ଗଙ୍ଗାଧର ମେହେରଙ୍କ ‘ମହିମା’, ନନ୍ଦକିଶୋର ବଳଙ୍କ ‘ପୁଷ୍ପ’, ଗୋପାଳ ପ୍ରହରାଜଙ୍କ ‘ଦୁନିଆର ହାଲଚାଲ’ ଆଦି ପୁସ୍ତକ ପ୍ରକାଶ ପାଇଥିଲା।
୫- ସେ ସମୟରେ ଓଡିଆ ଭାଷା ସାହିତ୍ୟର ବିକାଶ ଦିଗରେ କାର୍ଯ୍ୟ କରୁଥିବା ଉତ୍କଳ ସାହିତ୍ୟ ସମାଜର ପ୍ରଥମ ସଭାପତି ଥିଲେ ଭକ୍ତକବି ମଧୂସୁଦନ ରାଓ ଏବଂ ଏହାର ପ୍ରଥମ ସଂପାଦକ ଥିଲେ ବିଶ୍ବନାଥ କର।
୬- ୧୯୩୪ ମସିହା, ଅର୍ଥାତ୍ ନିଜ ମୃତ୍ୟୁ ପର୍ଯ୍ୟନ୍ତ ଆର୍ଥିକ ଦୁରବସ୍ଥା ସତ୍ତ୍ବେ ବିଶ୍ବନୁାଥ କର ତାଙ୍କ ପତ୍ରିକା ପ୍ରକାଶ କରିଥିଲେ।
୭- ତାଙ୍କ ରଚିତ ଆଲୋକ, ଜ୍ୟୋତ୍ସ୍ନା, କୌମୁଦୀ ଆଦି ସ୍କୁଲ ଓ କଲେଜ ପିଲାଙ୍କୁ ପ୍ରଭାବିତ କରିଥିଲା ।
ଏହାଛଡ଼ା ତାଙ୍କ ‘ବିବିଧ ପ୍ରସଙ୍ଗ’ ପ୍ରବନ୍ଧ ସଙ୍କଳନ ଓ ‘ଆତ୍ମ ପରିଚିତି’ ପୁସ୍ତକ ଏବେବି ପାଠକଙ୍କୁ ଆକର୍ଷିତ କରେ।
୮- ସ୍ଵାଧୀନତା ସଂଗ୍ରାମୀ ଭାବେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ସେ ଓଡିଶା- ବିହାର କାଉନସିଲର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ।
୯- ସେତେବେଳେ ବ୍ରିଟିଶ ସରକାରଙ୍କ ରାୟ ସାହେବ ଉପାଧିକୁ ପ୍ରତ୍ୟାଖାନ କରିବା ସହ ବଙ୍ଗଭଙ୍ଗ ଆନ୍ଦୋଳନରେ ସାମିଲ ହୋଇଥିଲେ।
ସେ ବ୍ରାହ୍ମ ଧର୍ମ ଗ୍ରହଣ କରି ବାଲ୍ୟ ବିବାହ, ବିଧବା ବିବାହ ସମେତ ଅନେକ କୁସଂସ୍କାର ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ।
ତାଙ୍କ ଭାଷଣରେ ପ୍ରଭାବିତ ହୋଇ ବଙ୍ଗକବି ରବୀନ୍ଦ୍ରନାଥ ଠାକୁର ଓ ଅନ୍ୟ ପ୍ରମୁଖ ବ୍ୟକ୍ତିତ୍ବ ତାଙ୍କୁ ଉତ୍କଳର ସୁରେନ୍ଦ୍ରନାଥ ବୋଲି ସମ୍ବୋଧନ କରୁଥିଲେ ।
୧୦- ଓଡ଼ିଶା-ବିହାର କାଉନସିଲର ସଦସ୍ୟ ଦାୟିତ୍ଵରେ ରହିବାର ସାତ ବର୍ଷ ପରେ ୧୯୩୪ ମସିହା ଅକ୍ଟୋବର ୧୯ ବିଜୟା ଦଶମୀ ତିଥିରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଲୋକାଲ ୱାୟାର
Leave a Reply