ଭୁବନେଶ୍ୱର, ଡିସେମ୍ବର ୨୪(ଲୋକାଲ ୱାୟାର): ବିଶ୍ୱନାଥ କର ମାହାଙ୍ଗା ନିକଟବର୍ତ୍ତୀ ମୂଳବସନ୍ତ ଗ୍ରାମରେ ୨୪ ଡିସେମ୍ବର ୧୮୬୪ରେ ଜନ୍ମ ହୋଇଥିଲେ ।
ତାଙ୍କ ବାପାଙ୍କ ନାଁ ଥିଲା ନାରାୟଣ କର ଓ ମାତାଙ୍କ ନାମ ବୈଦେହୀ ଦେବୀ । ଶ୍ରୀ କର ହାଇସ୍କୁଲ ଶିକ୍ଷା ସମାପ୍ତ ପରେ ଶିକ୍ଷକତାକୁ ଆଦରି ନେଇ ବିରୋଳ ଗ୍ରାମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ପାଇଲେ ।
ସେ ଜଣେ ସମାଜ ସଂସ୍କାରକ, ସମ୍ପାଦକ, ପ୍ରାବନ୍ଧିକ, ବାଗ୍ମୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୯୬ରେ ବିବିଧ ପ୍ରବନ୍ଧ ପୁସ୍ତକ ରଚନା କରିଥିଲେ ।
୧୮୯୯ ମସିହାରେ ଶିକ୍ଷକତା ପଦ ଛାଡ଼ି ସେ ଉକ୍ରଳ ସାହିତ୍ୟ ପ୍ରେସ୍ କଟକ ଠାରେ ସ୍ଥାପନ କରିଥିଲେ ।
ସେ ଥିଲେ ଉତ୍କଳ ସାହିତ୍ୟ ସମାଜର ପ୍ରଥମ ପ୍ରତିଷ୍ଠାତା ସମ୍ପାଦକ । ଆଇନ ଅମାନ୍ୟ ଆନେ୍ଦାଳନ ସମୟରେ ସତ୍ୟ ସମାଚାର ପତ୍ରିକା ପ୍ରକାଶ କରି ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଜନ ଆନ୍ଦୋଳନ ନିମନ୍ତେ ନେତୃତ୍ୱ ନେଇଥିଲେ ।
ଓଡ଼ିଶା-ବିହାର କାଉନସିଲର ସଭ୍ୟ ଥିବା ସମୟରେ ବ୍ୟବସ୍ଥାପକ ସଭାରେ ସେ ନିଜ ମାତୃଭାଷା ଓଡ଼ିଆରେ ଭାଷଣ ଦେଇଥିଲେ ।
ସେହି ସଭାରେ ସେ କହିଥିଲେ, ଓଡ଼ିଆ ଏକ ସ୍ୱୀକୃତ ପ୍ରାଚୀନ ଭାଷା, ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ ।
ମୋର ଓଡ଼ିଆ ଜିଭକୁ କାଟିଦେବାର ଅଧିକାର ଏଠାରେ କୌଣସି ସଭ୍ୟଙ୍କର ନାହିଁ । ୧୯୩୪ମସିହା ଅକ୍ଟୋବର ୧୯ ବିଜୟାଦଶମି ତିଥିରେ ତାଙ୍କର ଦେହାନ୍ତ ହୋଇଥିଲା ।
ଏହି ମହାନ ସ୍ରଷ୍ଟାଙ୍କ ଜୟନ୍ତୀ ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ଲୋକାଲ ୱାୟାର
Leave a Reply