କଟକ,ଡିସେମ୍ବର ୫ (ଲୋକାଲ ୱାୟାର): ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ଗୁରୁବାର ଗୋଟିଏ ଦିନର ମାତ୍ର ୧୫ ମିନିଟ ମଧ୍ୟରେ ସମସ୍ତ ଅନ୍ଲାଇନ ଟିକଟ ଶେଷ ହୋଇଯାଇଥିବା ଓଡିଶା କ୍ରିକେଟ ଆସୋସିଏସନର ଜଣେ ପଦାଧିକାରୀ କହିଛନ୍ତି।
୨ ବର୍ଷର ବ୍ୟବଧାନରେ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଥିବାରୁ ଏହି ଖେଳ ଉପଭୋଗ କରିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି।
ଅନଲାଇନ ଟିକେଟ ବିକ୍ରି ପାଇଁ ମୁମ୍ବାଇର ୱେଷ୍ଟଲାଣ୍ତ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡକୁ ଦାୟିତ୍ବ ଦିଆଯାଇଥିଲା।
ଅନ୍ଲାଇନ୍ରେ ଗ୍ୟାଲେରୀ ନମ୍ବର ୧, ୩, ୫, କର୍ପୋରେଟ ବକ୍ସ ଟିକଟକୁ ବାଦ୍ ଦିଆଯାଇଥିଲା ବେଳେ ୫୦୦ ଟଙ୍କିଆ ୨ ଓ ୪ ନମ୍ବର ଗ୍ୟାଲେରୀରୁ ୩ ହଜାର ଲେଖାଏଁ ବିକ୍ରି ପାଇଁ ଛଡ଼ାଯାଇଥିଲା।
ଏହାବ୍ୟତୀତ ୪୦୦ ଟଙ୍କିଆ ୬ ନମ୍ବର ଗ୍ୟାଲେରୀର ୧୫୦୦ ଟିକଟ, ୫ହଜାର ଟଙ୍କିଆ ନିଉ ପାଭିଲିୟନର ୫୦ ଟିକଟ, ୩ ହଜାର ଟଙ୍କିଆ ସ୍ପେଶାଲ ଏନ୍କ୍ଲୋଜର-ଏ’ର ୫୦୦ ଟିକଟ, ୫ହଜାର ଟଙ୍କିଆ ୪ ନମ୍ବର ଗ୍ୟାଲେରୀ ଏସି ବକ୍ସର ୧୦୦ ଟିକଟ ଅନ୍ଲାଇନ୍ ବିକ୍ରି ପାଇଁ ଛଡ଼ାଯାଇଥିଲା।
ଗୁରୁବାର ଅପରାହ୍ନ ୫ଟା ୧୫ ମିନିଟ୍ରେ ଅନ୍ଲାଇନ୍ ସାଇଟ୍ରେ ଲିଙ୍କ୍ ଦିଆଗଲା। ଏହାର ଠିକ୍ ୧୫ ମିନିଟ୍ ପରେ ଗ୍ୟାଲେରୀ ଟିକଟ ଶେଷ ହୋଇଥିଲା। ଯେଉଁମାନେ ଅନ୍ଲାଇନ୍ରେ ଟିକଟ କିଣିଛନ୍ତି, ସେମାନେ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ କେମ୍ବ୍ରିଜ ସ୍କୁଲ୍ କାଉଣ୍ଟରୁ ଟିକଟ ସଂଗ୍ରହ କରିପାରିବେ।
୧୪ ଓ ୧୫ ତାରିଖରେ ଓସିଏ ଅନୁବନ୍ଧିତ ଜିଲ୍ଲା, ସ୍କୁଲ୍, କଲେଜ ଓ କ୍ଲବମାନଙ୍କୁ ଏବଂ ୨୦ ଓ ୨୧ ତାରିଖରେ କାଉଣ୍ଟରରେ ସାଧାରଣ ଲୋକଙ୍କ ପାଇଁ ଅଫ ଲାଇନ ଟିକଟ ବିକ୍ରି କରାଯିବ। ସାଧାରଣ ଲୋକ ଜଣ ପିଛା ଦୁଇଟି ଟିକେଟ ସଂଗ୍ରହ କରି ପାରିବେ।
ଲୋକାଲ ୱାୟାର
Leave a Reply