ଜଗତସିଂହପୁର, ଜାନୁଆରୀ ୪ (ଲୋକାଲ ୱାୟାର): ବାହାର ଲୋକଙ୍କୁ ବାଲିଘାଟ ଠିକା ପ୍ରଦାନକୁ ବିରୋଧ କରି ଜଗନ୍ନାଥ ଶ୍ରମିକ ସମବାୟ ସମିତି ପକ୍ଷରୁ ଧାରଣା ପ୍ରଦର୍ଶନ ସହ ରଘୁନାଥପୁର ତହସିଲ ଅଫିସ ଘେରାଉ ହୋଇଛି ।
ରଘୁନାଥପୁର ତହସିଲ ଅଧୀନରେ ଥିବା ତିନିଟି ବାଲିଘାଟ ମଧ୍ୟରୁ ଗତ ଡିସେମ୍ବର ୧୪ରେ ଜଇପୁର ଓ ନୂଆପଡ଼ା ବାଲିଘାଟ ନିଲାମ ହୋଇଛି ।
ନିୟମ ଉଲ୍ଲଂଘନ କରି ଅଧିକ ଖୋଳା ଯାଇଥିବାରୁ ତାରପୁର ବାଲିଘାଟ ନିଲାମ ହୋଇନାହିଁ ।
ତେବେ ଏହି ନିଲାମ ପ୍ରକ୍ରିୟା ବାତିଲ କରିବା ପାଇଁ ଜଗନ୍ନାଥ ଶ୍ରମିକ ସମବାୟ ସମିତି ଚାରିଦିନ ହେଲା ଆନ୍ଦୋଳନ କରୁଛି ।
ବାହାର ଲୋକଙ୍କୁ ବାଲିଘାଟ ନିଲାମ ଦିଆ ଯାଇଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଜୀବିକା ପ୍ରଭାବିତ ହେବାର ଆଶଙ୍କା ରହିଛି ।
ଅନୁରୋଧ ସତ୍ତ୍ୱେ କର୍ତ୍ତୃପକ୍ଷ ସମିତିକୁ ଠିକା ଦେଇନାହାନ୍ତି । ଆମ ଅନୁପସ୍ଥିତିରେ ଟେଣ୍ଡର ବାକ୍ସ ଖୋଲାଯାଇଛି ।
ତେଣୁ ଟେଣ୍ଡର ପ୍ରକ୍ରିୟା ବାତିଲ କରିବାକୁ ଦାବି କରୁଛୁ ବୋଲି ସମିତିର ସମ୍ପାଦକ ଯୁଧିଷ୍ଠିର ସେଠି କହିଛନ୍ତି ।
ସୋମବାର ସମିତି ପକ୍ଷରୁ ତହସିଲ ଅଫିସ ଘେରାଉ ହୋଇଥିଲା । ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ।
ଉପଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ମଧ୍ୟ ସ୍ଥିତି ସ୍ୱାଭାବିକ ହୋଇନାହିଁ । ଟେଣ୍ଡର ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିବାରୁ ବାତିଲର ପ୍ରଶ୍ନ ଉଠୁନାହିଁ ବୋଲି ରଘୁନାଥପୁର ତହସିଲଦାର ରୂପାଲିକା ଦାସ କହିଛନ୍ତି ।
ଲୋକାଲ ୱାୟାର
Leave a Reply