ବ୍ରହ୍ମପୁର, ଅଗଷ୍ଟ ୨୩ (ଲୋକାଲ ୱାୟାର): ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଋଷିକୂଲ୍ୟା ନଦୀରୁ ବାଲି ଚାଲାଣକୁ ନେଇ ବାଲି ଗାଡ଼ି ପୋଡି ଦେଇଥିବା ଘଟଣାରେ ପୁଲିସ୍ ୧୦ ଜଣଙ୍କୁ ଅଟକ ରଖିଥିବା ବେଳେ ଏହାର ପ୍ରତିବାଦ କରି ଥାନା ଆଗରେ ଧାରଣା ଦେଇଥିବା କୋଳିଦାଶପୁର ଗ୍ରାମର ଲୋକଙ୍କ ଉପରେ ରବିବାର ପୁଲିସ୍ ଲାଠି ଚାର୍ଜ କରିଛି ।
ଆନ୍ଦୋଳନକାରୀ ପୁଲିସ ଉପରକୁ ଢେଲାପଥର ମାଡ଼ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ପୁଲିସର ଲାଠିଚାର୍ଜ ପରେ ଆନ୍ଦୋଳନକାରୀ ଛତ୍ରଭଙ୍ଗ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ କୋଳିଦାସପୁରରେ ବାଲିଚାଲାଣକୁ ବିରୋଧ କରି ଗତ ଶୁକ୍ରବାର ବିଳମ୍ବିତ ରାତିରେ ଗୋଟିଏ ଗୋଷ୍ଠୀ ବାଲି ଚାଲାଣ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ବିରୋଧ କରିଥିଲେ।
ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇ ୬ଟି ଗାଡ଼ି ପୋଡ଼ା ଯାଇଥିବା ସ୍ଥାନୀୟ ପୁଲିସ ଶନିବାର କହିଥିଲା ।
ଏହାକୁ ନେଇ ଗ୍ରାମବାସୀ ଦୁଇ ଗୋଷ୍ଠୀ ହୋଇ ମୁହାଁମୁହିଁ ହୋଇଥିଲେ । ଗୋଟିଏ ଗୋଷ୍ଠୀ ବାଲି ଚାଲାଣ କରୁଥିବା ୩ଟି ଟ୍ରକ, ଗୋଟିଏ ଟ୍ରାକ୍ଟର ଓ ବେପାରୀଙ୍କର ୨ଟି ବାଇକ୍ ଜାଳି ଦେଇଥିଲେ ।
ଗୋଟିଏ ଜେସିବିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଶନିବାର ସକାଳେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ରାତିରେ ୧୦ ଜଣଙ୍କୁ ଅଟକ ରଖିଥିଲା । ଯାହାକୁ ନେଇ ଏବେ ମଧ୍ୟ ଚାପା ଉତ୍ତେଜନା ଜାରି ରହିଛି ।
ଲୋକାଲ ୱାୟାର
Leave a Reply