ଭୁବନେଶ୍ୱର, ଡିସେମ୍ବର ୧୩(ଲୋକାଲ ୱାୟାର): ବୁଣାକାରମାନଙ୍କୁ ବଜାର ସୁବିଧା ଯୋଗାଇ ଦେବା ସହ ସେମାନଙ୍କ ମଧ୍ୟରେ ଭାବ ବିନିମୟ ପାଇଁ ରାଜ୍ୟ ହସ୍ତତନ୍ତ ବିଭାଗ ବରଗଡ଼ ଜିଲ୍ଲା ବାଲିଯୋରିଠାରେ ଏକ ମୁକ୍ତାକାଶ ହାଟ ନିର୍ମାଣ କରୁଛି ।
ଯେଉଁଠି ଗ୍ରାହକଙ୍କ, ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଚାଷୀ, ତନ୍ତୀ, ବୁଣାକାର ସମସ୍ତଙ୍କ ପାଇଁ ବିଶ୍ୱସ୍ତରୀୟ ସୁବିଧା ମିଳିବ ।
ଅଢ଼େଇ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ଏହି ମୁକ୍ତାକାଶ ହସ୍ତତନ୍ତ ହାଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହା ଏସିଆର ସର୍ବବୃହତ ମୁକ୍ତାକାଶ ହସ୍ତତନ୍ତ ହାଟ କରିବାକୁ ବିଭାଗ ଯୋଜନା କରିଛି ।
ମଣିପୁର ପରେ ଓଡ଼ିଶାରେ ଏଭଳି ଏକ ହସ୍ତତନ୍ତ ହାଟର ପରିକଳ୍ପନା କରାଯାଇଛି । ଗ୍ରାହକ ଓ ଚାଷୀ, ବୁଣାକାରଙ୍କ ସୁବିଧା ପାଇଁ ଏଠାରେ ୮୦ରୁ ୧୦୦ଟି ପିଣ୍ଡି ନିର୍ମାଣ ହେଉଛି ।
ଭିନ୍ନ ଭିନ୍ନ କରିଡର ଦ୍ୱାରା ଚାଷୀ, ବ୍ୟବସାୟୀ ଓ ଗ୍ରାହକଙ୍କୁ କିପରି ସୂତାଠାରୁ ଆରମ୍ଭ କୁକୁନ୍ ଯାଏଁ ପୁଣି ଫ୍ୟାବ୍ରିକରୁ ଆରମ୍ଭ କରି ଶାଢ଼ୀ, ରଙ୍ଗ, ଟାଏ ଆଣ୍ଡ ଡାଏ ସାମଗ୍ରୀ ଯାଏଁ ସବୁକିଛି ମିଳିବ ସେଥିପାଇଁ ବ୍ୟବସ୍ଥା ହେଉଛି ।
ଗ୍ରାହକ, ଚାଷୀ, ବୁଣାକାର, ବ୍ୟବସାୟୀ, ଇ- କମର୍ସ ଅଧିକାରୀଙ୍କ ପାଇଁ ଏଠାରେ ସମସ୍ତ ପ୍ରକାର ସୁବିଧା କରାଯାଉଛି । ହାଟ ପାଇଁ ବିଲଡିଂ କାମ ଶେଷ ପର୍ଯ୍ୟାୟରେ ଥିବା ବେଳେ ପାଚେରୀ ଓ ପାର୍କିଂ କାମ ବି ସରିଛି ।
ବରଗଡ଼ ଜିଲ୍ଲା ମୁଖ୍ୟାଳୟଠାରୁ ୧୨ କିଲୋମିଟର ଦୂରରେ ପଡୁଥିବା ଏହି ହାଟ ପ୍ରତି ଶୁକ୍ରବାର ଦିନ ହୋଇଥାଏ । ସକାଳ ୪ଟାରୁ ଦିନ ୧୦ ଭିତରେ ଏହି ହାଟରେ ପାଖାପାଖି ୫ କୋଟି ଟଙ୍କାର ବ୍ୟବସାୟ ହୋଇଥାଏ ।
ବର୍ତ୍ତମାନ ସାପ୍ତାହିକ ଶୁକ୍ରବାର ଏହି ହାଟ ହେଉଥିବା ବେଳେ ଏଠାରୁ ବର୍ଷକୁ ୬୦ କୋଟି ବ୍ୟବସାୟ ହେଉଛି ।
ହସ୍ତତନ୍ତ ସହ ଜଡ଼ିତ ସମସ୍ତ ସାମଗ୍ରୀ ଗୋଟିଏ ଛାତ ତଳେ ଉପଲବ୍ଧ ହେଉଥିବାରୁ ଓଡ଼ିଶା ବ୍ୟତୀତ ମଧ୍ୟପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗରୁ ବି ବ୍ୟବସାୟୀମାନେ ଏଠାରେ ଆସି ଜମା ହୁଅନ୍ତି ।
ତେଣୁ ଆଗାମୀ ଦିନରେ ଏହା ବିଶ୍ୱସ୍ତରୀୟ ହେଲେ ଆୟ ମଧ୍ୟ ବଢ଼ିବ ବୋଲି ରାଜ୍ୟ ହସ୍ତତନ୍ତ ବିଭାଗ ଆଶା କରିଛି ।
କେବଳ ସେତିକି ନୁହେଁ ରାଜ୍ୟ ହସ୍ତତନ୍ତ ବିଭାଗ ରାଜ୍ୟ ପର୍ଯ୍ୟଟନ ବିଭାଗ ସହ ମିଶି ଗ୍ରାମୀଣ ପର୍ଯ୍ୟଟନ ଆଧାରରେ ଓ ଓଡ଼ିଶା ବାଏ ରୋଡରେ ଏହାକୁ ଯୋଡ଼ିବାକୁ ଚିନ୍ତା କରିଛି ।
ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର ୧୫ କିଲୋମିଟର ଦୂରରେ ରାସ୍ତା କଡ଼ରେ ଏହି ହାଟ ପଡୁଥିବାରୁ ଓ ଏହା ଓଡ଼ିଶାର ପାରମ୍ପରିକ ହସ୍ତତନ୍ତର ଏକ ମୁକ୍ତାକାଶ ହାଟ ହୋଇଥିବାରୁ ଏଥିପ୍ରତି ପର୍ଯ୍ୟଟକ ଆକୃଷ୍ଟ ହେବେ ।
ଲୋକାଲ ୱାୟାର
Leave a Reply