ଭୁବନେଶ୍ୱର, ଡିସେମ୍ବର ୧୧(ଲୋକାଲ ୱାୟାର): ନିକଟରେ ଭାରତର ପାରମ୍ପରିକ କଣ୍ଢେଇରେ ବାଲେଶ୍ୱରର ଜଉ କଣ୍ଢେଇ ଏକ ସ୍ୱତନ୍ତ୍ର ମାନ୍ୟତା ପାଇଥିବାରୁ ବାଲେଶ୍ୱରର କଳା, ସଂସ୍କୃତିପ୍ରେମୀ ତଥା କଳାକାରମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା ।
ବହୁ ଲୋକ ଏହି ଜଉ କଣ୍ଢେଇ ବିଷୟରେ ଅଧିକ ଜାଣିବା ପାଇଁ ଆଗ୍ରହୀ ହେବାରୁ ବାଲେଶ୍ୱର କଳା କେନ୍ଦ୍ର ତରଫରୁ ଅନଲାଇନରେ ଏକ ‘ଭାରତର ପାରମ୍ପରିକ କଣ୍ଢେଇରେ ବାଲେଶ୍ୱରୀ ଜଉ କଣ୍ଢେଇ ଅନନ୍ୟ’ ଶୀର୍ଷକ ୱେବିନାର୍ ଆୟୋଜନ ହୋଇଥିଲା ।
ଓଡ଼ିଶାର ପ୍ରାଚୀନ, ପାରମ୍ପରିକ ତଥା କାରୁକାର୍ଯ୍ୟପୂର୍ଣ୍ଣ ବାଲେଶ୍ୱରର ଜଉ କଣ୍ଢେଇ ଓ ନବରଙ୍ଗପୁରର ଲାଖ କାମକୁ ଜିଆଇ ମାନ୍ୟତା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରାଯିବା ଉଚିତ ବୋଲି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଅତିଥିମାନେ କହିଛନ୍ତି ।
ଏଥିରେ ମୁଖ୍ୟ ଅତିଥି ଭାବରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ. ଶିବ ପ୍ରସାଦ ଅଧିକାରୀ, ଓଡ଼ିଅ ଆର୍ଟ ସେଣ୍ଟର ତଥା ପୂର୍ବାଶା ଆଦିବାସୀ ଓ ଲୋକକଳା ସଂଗ୍ରହାଳୟର ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାଶ, ବାଲେଶ୍ୱର ଜଉ କଣ୍ଢେଇ ବାହାଘର ଉତ୍ସବ କମିଟିର ସମ୍ପାଦକ ଡ. କୁମାର ଗୋପାଲ, ଓଡ଼ିଶା ଲଳିତ କଳା ଏକାଡେମୀର ସମ୍ପାଦକ ଗଜେନ୍ଦ୍ର ପ୍ରସାଦ ସାହୁ, ହ୍ୟାଣ୍ଡିକ୍ରାଫ୍ଟର ଡେପୁଟି ଡିରେକ୍ଟର ଶିଶିର କୁମାର ରଥ, ଓଡ଼ିତା ଟ୍ରଷ୍ଟର ମୁଖ୍ୟ ଡ. ଅନୀତା ସାବନ ଓ ଓଡ଼ିଶା ଶିଳ୍ପୀ ମହାସଂଘର ସମ୍ପାଦକ ପ୍ରିୟରଞ୍ଜନ କର ଆଲୋଚନାରେ ଅଂଶଗ୍ରହଣ କରି ନିଜ ମତ ରଖିଥିଲେ ।
ବାଲେଶ୍ୱରର ଏହି ପାରମ୍ପରିକ ଲୋକ କଳାକୁ ବାଲେଶ୍ୱରର ଶଙ୍ଖାରୀ ଜାତିର ଲୋକମାନେ କୌଳିକ ବୃତ୍ତି ଭାବେ ବଞ୍ଚାଇ ରଖିଛନ୍ତି ।
ମାତ୍ରା ଆଧୁନିକତାର କଷାଘାତରେ ଏହି କଳା ବୁଡ଼ିବାକୁ ଯାଉଥିବା ବେଳେ ଦୁଇ ଦଶନ୍ଧି ଧରି ବାଲେଶ୍ୱରର କଳାକାର, କଳାପ୍ରେମୀ, ବୁଦ୍ଧିଜୀବୀମାନେ ଏହାକୁ ଉଜ୍ଜୀବିତ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ବୋଲି ବାଲେଶ୍ୱରୀ କଳା କେନ୍ଦ୍ରର ମୁଖ୍ୟ ଶିଳ୍ପୀ କେଶୁ ଦାସ ୱେବିନାର୍ ପରିଚାଳନା ଅବସରରେ କହିଛନ୍ତି । ଶେଷରେ ଯୁବ ଚିତ୍ରଶିଳ୍ପୀ ପ୍ରିତମ ନାୟକ ଧନ୍ୟବାଦ ଦେଇଥିଲେ ।
ଲୋକାଲ ୱାୟାର
Leave a Reply