ବାଲେଶ୍ୱର, ଅକ୍ଟୋବର ୩୧(ଲୋକାଲ ୱାୟାର): ନଭେମ୍ବର ୩ ତାରିଖରେ ହେବାକୁ ଥିବା ବାଲେଶ୍ୱର ସଦର ଉପନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ସମାପନ କରିବାକୁ ଜିଲ୍ଲା ପୁଲିସ ପ୍ରସ୍ତୁତ ବୋଲି କହିଛନ୍ତି ଡିଆଇବି ଇନ-ଚାର୍ଜ ଡିଏସପି ସଂଗ୍ରାମ କେଶରୀ ବେହେରା ।
ଏହି ନିର୍ବାଚନମଣ୍ଡଳୀର ୩୪୬ଟି ବୁଥରେ ୨ ଲକ୍ଷ ୨୬ ହଜାର ୫୮୨ ଜଣ ଭୋଟର ମତଦାନ କରିବେ । ମୋଟ ବୁଥରୁ ୮୫ଟି ସମ୍ବେଦନଶୀଳ ହୋଇଥିବା ବେଳେ ୨୬୧ଟି ସାଧାରଣ ବୁଥ୍ ।
ଶୁକ୍ରବାର ଡିଜିପି ଅଭୟ ପୁଲିସ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ନିର୍ବାଚନରେ ୫ ଜଣ ଅତିରିକ୍ତ ଏସପି ଏବଂ ଡିଏସପି, ୨୨ ଜଣ ଇନ୍ସପେକ୍ଟର, ୧୫୨ ଜଣ ଏସଆଇ ଏବଂ ଏଏସଆଇ, ୩୫୨ ଜଣ ଏପିଆର ଓ ୧୯୦ ରିଜର୍ଭ ପୁଲିସ, ୩୩୯ ଜଣ ହାବିଲଦାର, ୯ ପ୍ଲାଟୁନ କେନ୍ଦ୍ରୀୟ ବଳ, ୨୬ ପ୍ଲାଟୁନ ସିଆରପିଏଫ, ୩୧ଟି ମୋବାଇଲ ଟିମ୍ ଏବଂ ୧୦ ଜଣ ସେକ୍ଟର ଅଫିସର ମୁତୟନ ରହିବେ ।
ଏହି ଉପନିର୍ବାଚନରେ ୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ପୁତ୍ର ମାନସ କୁମାର ଦତ୍ତ, ଭାରତୀୟ ଜାତୀୟ କଂଗ୍ରେସର ମମତା କୁଣ୍ଡୁ, ବିଜେଡିର ସ୍ୱରୂପ କୁମାର ଦାସ ।
ବେଣୁଧର ବାରିକ, ଭାଗ୍ୟ ଉଦିତ୍ତ ଦାସପଟ୍ଟନାୟକ ଏବଂ ମହମ୍ମଦ ନୁମାନ ଖାନ୍ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ଲୋକାଲ ୱାୟାର
Leave a Reply