ଭୁବନେଶ୍ୱର, ଡିସେମ୍ବର ୧୨(ଲୋକାଲ ୱାୟାର): ବାହା ହୋଇଛନ୍ତି ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ।
ଭୁବନେଶ୍ୱର ପଟିଆ ନିକଟ ଇନଫୋସିଟି ଅଞ୍ଚଳରେ ଥିବା ସୁରଜ୍ ପ୍ୟାଲେସରେ ତାଙ୍କ ବିବାହ ସମ୍ପନ୍ନ ହୋଇଛି ।
ପରିବାର ଲୋକଙ୍କ ସହମତି ଓ ଉପସ୍ଥିତିରେ ଦୀପ୍ତିରେଖା ଖୋର୍ଦ୍ଧା ଅଞ୍ଚଳର ଜଣେ ଶିଳ୍ପୋଦ୍ୟୋଗୀ ସୌମ୍ୟରଞ୍ଜନ ଶତପଥୀଙ୍କ ହାତ ଧରିଛନ୍ତି ।
ମହାମାରୀ କରୋନା କଟକଣା ଭିତରେ ତାଙ୍କ ବାହାଘର ଅନୁଷ୍ଠିତ ହୋଇଥିବାରୁ ବିଶେଷ କଳାକାର ଓ କଣ୍ଠଶିଳ୍ପୀଙ୍କୁ ଦେଖିବାକୁ ମିଳିନଥିଲା ।
ତଥାପି ତାଙ୍କ ସଙ୍ଗୀତ ଗୁରୁ ପ୍ରଦୀପ କୁମାର ଦାସ, ସଙ୍ଗୀତ ନିଦେ୍ର୍ଦଶକ ପ୍ରେମ୍ ଆନନ୍ଦ, କଣ୍ଠଶିଳ୍ପୀ ଆଶୁତୋଷ, ଲୋକପ୍ରିୟ ବିୟୁଟିଫୁଲ୍ ଭାଇ, ଯୁବ ସାହିତି୍ୟକ ତଥା ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା ଓ ଅନ୍ୟମାନେ ଯୋଗଦେଇ ଦୀପ୍ତିରେଖାଙ୍କୁ ନୂତନ ଜୀବନ ଆରମ୍ଭ ଅବସରରେ ଶୁଭେଚ୍ଛା ଜ୍ଞାପନ କରିଥିଲେ ।
ଅତି ନିରାଡ଼ମ୍ବରପୂର୍ଣ୍ଣ ଭାବରେ ଦୀପ୍ତିରେଖାଙ୍କ ବିବାହ ହୋଇଛି । ଭଦ୍ରକ ଅଞ୍ଚଳର ଦୀପ୍ତିରେଖା ନିଜ ପରିବାର ସହ ଜନ୍ମରୁ ଭୁବନେଶ୍ୱରରେ ରହି ଆସୁଥିଲେ । ଏଠାରେ ପାଠ ପଢ଼ା ସହ ସଙ୍ଗୀତ ଶିକ୍ଷା ଶେଷ କରିଥିଲେ ।
ପରେ ବିଭିନ୍ନ ଭଜନ, ଆଲବମ୍ ଓ ଆଧୁନିକ ଗୀତ ଗାଇ ଲୋକପ୍ରିୟତା ଅର୍ଜନ କରିଥିଲେ ।
କଣ୍ଠଦାନ ସହିତ ଓଡ଼ିଆ ଟେଲି ଧାରାବାହିକ ‘ରାଜକନ୍ୟା’ରେ ନଜର ଆସିଥିଲେ । ତା’ପରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବେ ନଜର ଆସିଥିଲେ ।
ଲଭ୍ ଡଟ୍ କମରୁ ସେ ସଙ୍ଗୀତର ଯାତ୍ରା ଆରମ୍ଭ କରିଥିଲେ । ପରିବାରର ପ୍ରେରଣା ଓ ଗୁରୁଙ୍କ ଆଶୀର୍ବାଦରୁ ସେ ଆଜି ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀ । ଆଗକୁ ବି ସେ ତାଙ୍କ ସଙ୍ଗୀତର ଯାତ୍ରା ଜାରି ରଖିବେ ବୋଲି କହିଛନ୍ତି ।
ଲୋକାଲ ୱାୟାର
Leave a Reply