ଭଦ୍ରକ, ଏପ୍ରିଲ ୧୧ (ଲୋକାଲ ୱାୟାର): କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ସରକାର ଲକ୍ଡାଉନ୍ ଘୋଷଣା ଅବଧି ଏପ୍ରିଲ୍ ୩୦ ଯାଏଁ ବୃଦ୍ଧି କରିଥିବା ଜାଣିବା ପରେ ଭଦ୍ରକ ଧାମରାର ଚନ୍ଦିନିପାଳ ଶୁଖୁଆ ଚାଷୀଙ୍କ ଚିନ୍ତା ବଢିଯାଇଛି ।
ଗତ କିଛି ମାସ ଧରି ଚାଷୀମାନେ ଶୁଖୁଆ ଖଳାରେ ଉତ୍ପାଦନ କରିଥିବା ଶୁଖୁଆ ଲକ୍ଡାଉନ୍ ଯୋଗୁଁ ବାହାରକୁ ବିକ୍ରି ପାଇଁ ଯାଇପାରୁ ନାହିଁ । ଫଳରେ ଟନ୍ ଟନ୍ ଶୁଖୁଆ ଗୋଦାମ ଘରେ ପଡି ରହିଛି ।
ଚନ୍ଦିନିପାଳ ଶୁଖୁଆ ଖଳାରୁ ଉତ୍ପାଦିତ ଶୁଖୁଆ ଦେଶର ବିଭିନ୍ନ ରାଜ୍ୟ ଯଥା ଆସାମ, ତାମିଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଚାଲାଣ ହୁଏ ।
ହେଲେ ଏବେ ଲକ୍ଡାଉନ୍ ଯୋଗୁଁ ଗୋଦାମ ଘରେ ଶୁଖୁଆ ପଡିପଡି ଗୁମ ଖାଇବା ଆରମ୍ଭ କଲାଣି ।
ସ୍ଥାନୀୟ ଲୋକେ ଏହି ଶୁଖୁଆ ଚାଷ ଉପରେ ନିର୍ଭର କରୁଥିବାବେଳେ ଏବେ ସେମାନେ ତାଙ୍କ ଜୀବିକା ହରାଇଲେଣି ।
ତିହିଡି, ଚାନ୍ଦବାଲି, ବାସୁଦେବପୁର, ମାଟିଆସାହି, ବାହାବଳପୁର, ଗୋବିନ୍ଦପୁର, ସାହାପୁର, ଚରଦିଆ ଆଦି ଅଂଚଳର ଲୋକେ ଯାଇ ବର୍ଷର ୬ ମାସ ଏଠାରେ ରହି ଶୁଖୁଆ ଚାଷ କରିଥିବାବେଳେ ବଜାରକୁ ବିକ୍ରି ହେବାକୁ ଯାଇ ନ ପାରିବାରୁ ତାଙ୍କ ରୋଜଗାର ଉପରେ ପ୍ରଭାବ ପଡିଛି ।
ଲୋକାଲ ୱାୟାର
Leave a Reply