କଟକ, ଜାନୁଆରୀ ୩(ଲୋକାଲ ୱାୟାର): କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ବିଜେପି ନେତା କୁଳମଣି ବରାଳ ଓ ତାଙ୍କର ଜଣେ ସହଯୋଗୀଙ୍କ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୩ ଜଣଙ୍କ ନାମରେ ଏତଲା ଦିଆଯିବା ପରେ ମାମଲା ରୁଜୁ ହୋଇଥିବା ସ୍ଥାନୀୟ ବରିଷ୍ଠ ପୁଲିସ ଅଫିସର କହିଛନ୍ତି ।
ତେବେ ଘଟଣାର ତଦନ୍ତ ଚାଲିଛି ଏବଂ ଆବଶ୍ୟକ ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତିି କଟକ ଗ୍ରାମାଞ୍ଚଳ ଏସପି ବି. ଯୁଗଳ କିଶୋର ।
କୌଣସି ଦୋଷୀଙ୍କୁ ଛଡ଼ା ଯିବ ନାହିଁ ଏବଂ ଡିଏସପି ଓ ଏଏସପିଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତକାଲି ସନ୍ଧ୍ୟାରେ କୁଳମଣି ତାଙ୍କର ଜଣେ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହ ବାଇକରେ ଯାଉଥିବା ବେଳେ କେତେକ ଦୁର୍ବୃତ୍ତଙ୍କ ଅତକ୍ରିତ ଆକ୍ରମଣରେ ଉଭୟେ ପ୍ରାଣ ହରାଇଥିଲେ ।
ଏହା ରାଜନୈତିକ ହତ୍ୟାକାଣ୍ଡ ବୋଲି ବିଜେପି ନେତୃବୃନ୍ଦ ଅଭିଯୋଗ କରିଛନ୍ତି । ଆଇନ ମନ୍ତ୍ରୀଙ୍କ ନାମରେ ମାମଲା ହୋଇଥିବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି ।
ତେବେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ଜଗନ୍ନାଥ ରାଜ୍ୟ ଓଡ଼ିଶାରେ ହିଂସାର ସ୍ଥାନ ନାହିଁ । ଯେକୌଣସି ହତ୍ୟାକୁ ସେ ଦୃଢ଼ ଭାବେ ନିନ୍ଦା କରନ୍ତି ।
ଏହି ଘଟଣାରେ ଦୋଷୀମାନେ ଯେପରି ଆଇନ ପରିସରକୁ ଆସିବେ ସେ ପ୍ରତ୍ୟକ୍ଷ ଭାବେ ନଜର ଦେବେ ବୋଲି କହିଛନ୍ତି ।
ଲୋକାଲ ୱାୟାର
Leave a Reply