ଭୁବନେଶ୍ୱର, ନଭେମ୍ବର ୨୪(ଲୋକାଲ ୱାୟାର): ବିଧାନସଭାରେ ବୁଧବାର ସୀମା ବିବାଦ ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି ।
ଗୃହରେ ବୁଧବାର ସୀମା ବିବାଦ ନେଇ ଆଗତ ମୁଲତବି ଆଲୋଚନାରେ ଅଂଶ ଗ୍ରହଣ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ରାଜ୍ୟର ୧୪ ଜିଲ୍ଲା ସୀମାରେ ପଡ଼ୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ ଛତିଶଗଡ଼ ସହ ବିବାଦ ରହିଛି ।
୧୯୬୮ ମସିହାରେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଫଇସଲା ହୋଇପାରିନାହିଁ ।
ବିଜେପି ସଭ୍ୟ ବିଷ୍ଣୁ ସେଠୀ, କେ ନାରାୟଣ ରାଓ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ପ୍ରମୁଖ ରାଜ୍ୟ ସରକାରଙ୍କ ହେଳାରୁ ପଡ଼ୋଶୀ ରାଜ୍ୟ ମାନେ ଧସେଇ ପଶୁଛନ୍ତି ।
ତୁରନ୍ତ ଗୃହ କମିଟି ଗଠନ କରି ବିଭିନ୍ନ ଜିଲ୍ଲାକୁ ଅନୁଧ୍ୟାନ ପାଇଁ ପଠାଇବାକୁ ସେମାନେ ଦାବି କରିଥିଲେ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ପୂର୍ବରୁ ସୀମା ବିବାଦର ସମାଧାନ ପାଇଁ ଗଠନ ହୋଇଥିବା ଗୃହ କମିଟି ଏ ପର୍ଯ୍ୟନ୍ତ କ’ଣ କରିଛି ବୋଲି ପ୍ରଶ୍ନ କରିଥିଲେ ।
କଂଗ୍ରେସ ସଭ୍ୟମାନଙ୍କୁ କହିବା ପାଇଁ ଆବଶ୍ୟକ ସମୟ ଦିଆଯାଉ ନଥିବା ପ୍ରତିବାଦରେ ଦଳର ସଭ୍ୟ ମାବେ କକ୍ଷତ୍ୟାଗ କରିଥିଲେ ।
ମୁଲତବି ଆଲୋଚନାର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଣି କହିଥିଲେ, ନିକଟରେ ବାଲେଶ୍ୱର ଓ କୋରାପୁଟ ଜିଲ୍ଲା ସୀମାରେ ସୃଷ୍ଟି ହୋଇଥିବା ବିବାଦ ସରକାରଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇ ଯାଇଛି ।
ରାଜ୍ୟ ସରକାର ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କ ବିକାଶକୁ ସର୍ବଦା ଅଗ୍ରାଧିକାର ଦେଉଛନ୍ତି ।
ଲୋକାଲ ୱାୟାର
Leave a Reply