ଭୁବନେଶ୍ୱର, ଅକ୍ଟୋବର ୧ (ଲୋକାଲ ୱାୟାର) : ଆଜି ବିଧାନସଭା ସମ୍ମୁଖରେ ଜଣେ ଯୁବକ ନିଜ ମା’ର ବେକରେ ଛୁରୀ ଲଗାଇ ତଣ୍ଟିକାଟିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଯୁବକକୁ କାବୁ କରି ନେଇଛି ।
ପୁଅ କବଳରୁ ମା’ଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ୍କୁ ନାକେଦମ୍ ହେବାକୁ ପଡିଥିଲା । ମା’ଙ୍କୁ ଉଦ୍ଧାର କରିବା ପରେ ପୁଅକୁ ନିଜ ହେପାଜତକୁ ନେଇଛି ପୁଲିସ ।
ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି ।
ଯୁବକ ଜଣକ କାହିଁକି ଏଭଳି କାଣ୍ଡ କରିଛି, ସେ ନେଇ ତଦନ୍ତ ଚଳାଇଛି ।
ପୁଲିସ୍ ପଚରାଉଚରା ବେଳେ ମହିଳା ଜଣକ କହିଛନ୍ତି, ଯୁବକ ଜଣକ ତାଙ୍କ ପୁଅ । ସେ ତାଙ୍କୁ ଡାକ୍ତରଖାନାକୁ ନେଇ ଆସିଥିଲେ ।
କିନ୍ତୁ ହଠାତ ବିଧାନସଭା ଆଗରେ ଆସି ତାଙ୍କ ବେକରେ ଛୁରୀ ଲଗାଇ ଚିତ୍କାର କରିଥିଲେ ।
ଘଟଣାସ୍ଥଳରେ କିଛି କାଗଜପତ୍ର ମିଳିଥିବା ବେଳେ ଯୁବକ ଜଣକ କିଛି ନେତା ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ମଧ୍ୟ କରିଥିବା ସୂଚନା ମିଳିଛି ।
ବିଧାନସଭା ଚାଲିଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହା ସତ୍ତ୍ୱେ ବିଧାନସଭା ସମ୍ମୁଖରେ ଏଭଳି ଘଟଣା କେମିତି ଘଟିଲା ସେ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି ।
କଂଗ୍ରେସ ବିଧାୟକ ସୁର ରାଉତରାୟ ବିଧାନସଭା ସୁରକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିବା ସହ ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡି ପଡିଥିବା କହିଛନ୍ତି ।
ସେ କହିଛନ୍ତି, ଆଜି ଯଦି ଉକ୍ତ ଯୁବକ ଜଣକ ମୁଖ୍ୟମନ୍ତ୍ରୀ, କେଉଁ ମନ୍ତ୍ରୀ, ବିଧାୟକ ବା ମୋ ବେକରେ ଛୁରୀ ଲଗାଇଥାନ୍ତା, ତେବେ ଆଜି କ’ଣ ଅବସ୍ଥା ହୋଇଥାନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି ।
ଘଟଣା ଅତ୍ୟନ୍ତ ନିନ୍ଦନୀୟ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସୁର ରାଉତରାୟ କହିଛନ୍ତି ।
ଘଟଣାପରେ କମିଶନରେଟ୍ ପୁଲିସ ଟ୍ୱିଟ୍ କରି କହିଛି ଯେ, ଘଟଣାଟି ବିଧାନସଭା ସିକ୍ୟୁରିଟି ପରିଧି ବାହାରରେ ଘଟିଥିଲା । ପୁଲିସ ଧୌର୍ଯ୍ୟର ସହ ମୁକାବିଲା କରି ମହିଳାଙ୍କୁ ମୁକୁଳାଇ ଥିଲା।
ଧୌର୍ଯ୍ୟ ଓ ବୃତ୍ତିଗତ ଦକ୍ଷତା ପାଇଁ ସଂପୃକ୍ତ ପୁଲିସକୁ ପ୍ରୋତ୍ସାହିତ କରାଯିବ । ମାନସିକ ବିକାରଗ୍ରସ୍ତ ସଂପୃକ୍ତ ଯବୁକଙ୍କୁ ଚିକିତ୍ସା ପାଇଁ କଟକ ଏସ୍ସିବି ମେଡିକାଲକୁ ପଠାଇ ଦିଆଯାଇଛି । କୌଣସି ସୁରକ୍ଷା ଭଙ୍ଗ ହୋଇନି ବୋଲି କମିଶନରେଟ୍ ପୁଲିସ ସ୍ପଷ୍ଟ କରିଛି ।
ଲୋକାଲ ୱାୟାର
Leave a Reply