ନବରଙ୍ଗପୁର, ଅଗଷ୍ଟ ୧୮(ଲୋକାଲ ୱାୟାର): ନବରଙ୍ଗପୁର ଜିଲ୍ଲାରୁ ତିନି ଥର ବିଧାୟକ ହୋଇଥିବା ମନୋହର ରନ୍ଧାରୀ ଏବେ ବିଲରେ କରୁଛନ୍ତି ଚାଷ ।
କେତେବେଳେ ଟ୍ରାକ୍ଟରରେ ତ ଆଉ କେତେବେଳେ ହଳ ଲଙ୍ଗଳ ଧରି ବଳଦ ଅଡ଼ାଉଛନ୍ତି ।
ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ପ୍ରଶଂସା କରିଛନ୍ତି ଉପରାଷ୍ଟ୍ରପତି ଏମ. ଭେଙ୍କିୟାନାଇଡ଼ୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଉପରାଷ୍ଟ୍ରପତି ଲେଖିଛନ୍ତି, ଓଡ଼ିଶାର ବିଧାୟକ ମନୋହର ରନ୍ଧାରୀ ପ୍ରତିବର୍ଷ ଦୁଇମାସ ତାଙ୍କ ଧାନ ବିଲରେ କାମ କରନ୍ତି ।
ଯୁବକମାନେ କ୍ଷେତରେ କାମ କରିବାକୁ କୁଣ୍ଡା ପ୍ରକାଶ କରିବା ଅନୁଚିତ ବୋଲି ସେ କହିଥାନ୍ତି ।
ଏହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।
ଉପରାଷ୍ଟ୍ରପତିଙ୍କ ଟ୍ୱିଟର ରିଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ମନୋହର ରନ୍ଧାରୀ ଜମିରେ କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
ଚାଷକାମକୁ ଗର୍ବର ସହ ସେ ଗର୍ବର ସହ କରୁଛନ୍ତି ।
ଉଲ୍ଲେଖଷଯାଗ୍ୟ, ଚାଷବାସରେ ପରିଶ୍ରମ ତୁଳନାରେ ଲାଭ କମ ଥିବାରୁ ଲୋକେ ଧୀରେ ଧୀରେ ସେଥିରୁ ଦୂରେଇ ଯାଉଥିବା ବେଳେ ବିଧାୟକ ମନୋହର ରନ୍ଧାରୀ ପ୍ରତିବର୍ଷ ଅତି କମରେ ଦୁଇ ମାସ ଚାଷବାସ କରିଥାନ୍ତି ।
ଏ ବର୍ଷ ଖରିଫ ଋତୁରେ ବର୍ଷା ପରେ ଧାନ ଚାଷ ପାଇଁ ସ୍ଥିତି ଅନୁକୂଳ ହେବା ପରେ ଡାବୁଗାଁର ବିଜୁ ଜନତା ଦଳ ବିଧାୟକ ମନୋହର ରନ୍ଧାରି ପୂଜାରିପଡ଼ାରେ ଥିବା ନିଜ ଜମିରେ ତଳି ରୋଇଛନ୍ତି ।
ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ତଳି ରୁଆ ସାରିବା ପାଇଁ କିଛି ଶ୍ରମିକଙ୍କୁ ଧରି ଲାଗି ପଡ଼ିଛନ୍ତି ବିଧାୟକ ।
ଫଟୋ ଉଠାଇବାକୁ ଚାଷ କରେନାହିଁ । ଲୋକଙ୍କ ସେବା କରିବାକୁ ବିଧାୟକ ହୋଇଛି, ହେଲେ ଚାଷ ମୋ ପେସା ।
ଏକମାତ୍ର ପୁଅ ହୋଇଥିବାରୁ ପିଲାବେଳୁ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରୁଥିଲି । ବାପା ଚାଷ କଥା ବୁଝୁଥିଲେ ।
ଗତବର୍ଷ ତାଙ୍କର ମୃତ୍ୟୁ ପରେ ଚାଷବାସର ସବୁ ଦାୟିତ୍ୱ ମୋତେ ତୁଲାଇବାକୁ ପଡୁଛି ବୋଲି ୪୫ ବର୍ଷୀୟ ବିଧାୟକ କହିଛନ୍ତି ।
ପୂଜାରୀପଡ଼ା, କେସରିଗୁଡ଼ା, ଭଟିଗାଁ ଭଳି ବର୍ଷା ପ୍ଳାବିତ ଅଞ୍ଚଳରେ ବିଧାୟକଙ୍କର ୨୫ ଏକର ଜମି ଅଛି ।
ତାଙ୍କର ଏକମାତ୍ର ଭଉଣୀ ତଥା କୋଟପାଡ଼ ବିଧାୟିକା ପଦ୍ମନୀ ଦିଆନ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଅଛନ୍ତି ।
ସାଧାରଣତଃ ଟ୍ରାକ୍ଟରରେ ଜମି ଚାଷ କରେ । ହେଲେ ଯେଉଁଠିକୁ ଟ୍ରାକ୍ଟର ଯାଇପାରେ ନାହିଁ ସେଠାରେ ବଳଦ ନେଇ ହଳ କରେ ବୋଲି ବିଧାୟକ କହିଛନ୍ତି ।
୨୦୦୯ ଓ ୨୦୧୪ରେ ନବରଙ୍ଗପୁରରୁ ବିଧାୟକ ହୋଇଥିବା ମନୋହର ରନ୍ଧାରି ୨୦୧୯ରେ ଡାବୁଗାଁରୁ ନିର୍ବାଚନ ଜିତିଛନ୍ତି ।
ଅଗଷ୍ଟ ମାସ ଓ ଶୀତଋତୁରେ ଅମଳ ପୂର୍ବରୁ ମାସଟିଏ ସେ ପ୍ରତ୍ୟକ୍ଷ ଭାବେ ଚାଷବାସ କରନ୍ତି ।
ଚାଷବାସ କଲେ ବି ବିଧାୟକ ଭାବେ ମୋ କାମ ପ୍ରଭାବିତ ହୁଏ ନାହିଁ । ସନ୍ଧ୍ୟାବେଳେ ବହୁ ସମୟ ପର୍ଯ୍ୟନ୍ତ ନିର୍ବାଚନମଣ୍ଡଳୀର ଲୋକଙ୍କ ସହ ଆଲୋଚନା କରେ ।
ଭେଟିବାକୁ ଆସୁଥିବା ଲୋକଙ୍କ ଖାଇବା ପାଇଁ ପ୍ରାୟ ୧୦ କ୍ୱିଣ୍ଟାଲ ଚାଉଳ ରଖି ଚାଷବାସରୁ ରନ୍ଧାରୀ ବାର୍ଷିକ ୭ରୁ ୮ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ।
ସମସ୍ତେ ଚାଷବାସ କରିବା ଉଚିତ । ଚାଷବାସରୁ ନିଜ ଆବଶ୍ୟକତା ପୂରଣ କରି ବଳକା ଉତ୍ପାଦ ବଜାରରେ ବିକି ଅନ୍ୟକୁ ଖାଦ୍ୟ ଯୋଗାଇ ହେବ ।
ଆଶା କରୁଛି ମୋ କାମ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ।
ଚାଷୀ ଅଧିକ ଉତ୍ପାଦନ କରି କଞ୍ଚା ମାଲ ମହଜୁଦ ରଖିପାରିଲେ କୃଷିଭିତ୍ତିକ ଶିଳ୍ପ ଆଗେଇବ ବୋଲି ବିଧାୟକ କହିଛନ୍ତି ।
ନିଜକୁ ଚାଷୀ ବୋଲି ପରିଚୟ ଦେବାରେ କେବେ ବି କୁଣ୍ଠବୋଧ କରେ ନାହିଁ ।
ଯୁବପିଢ଼ି ଚାଷ କରିବାକୁ ଆଗେଇ ଆସିଲେ ସମାଜରେ ସେମାନଙ୍କୁ ଭିନ୍ନ ପରିଚିତି ମିଳିବ ବୋଲି ସେ କହିଛନ୍ତି ।
ଲୋକାଲ ୱାୟାର
Leave a Reply