ଭୁବନେଶ୍ୱର, ଅଗଷ୍ଟ ୭ (ଲୋକାଲ ୱାୟାର) : କରୋନା ମହାମାରୀ ସମୟରେ ଆଗଧାଡିର ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ସରକାର ଅଣଦେଖା କରୁଥିବା ଅଭିଯୋଗ କରି ଶୁକ୍ରବାର ଓଡ଼ିଶା ଆଶା କର୍ମୀ ସଂଘ ୧୭ଟି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ବୋଲି ସଂଘର ସଭାପତି ଲୋଭାକାନ୍ତ ସ୍ୱାଇଁ କହିଛନ୍ତି ।
କାର୍ଯ୍ୟରେ ଥିବା ଆଶା କର୍ମୀମାନେ କଳାବ୍ୟାଜ୍ ପିନ୍ଧି ବିରୋଧ ପ୍ରଦର୍ଶନ କରୁଛନ୍ତି ।
ଅନ୍ୟମାନେ ବ୍ୟାନର ଏବଂ ପ୍ଲାକାର୍ଡ ଧରି ସାମାଜିକ ଦୂରତା ନିୟମ ପାଳନ କରିବା ସହ ମାସ୍କ ପିନ୍ଧି ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ସେମାନେ କାମ କରୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏମାନଙ୍କୁ ସ୍ୱତନ୍ତ୍ରଧ୍ୟାନ, ସହାୟତା ଓ ସାମାଜିକ ନିରାପତା ନ ଦେବାରୁ ଆଶା କର୍ମୀଙ୍କୁ ପରିବାର ଅସୁରକ୍ଷିତ ଥିବା ଶ୍ରୀ ସ୍ୱାଇଁ କହିଛନ୍ତି ।
ଆଶା କର୍ମୀମାନେ ଚାକିରୀର ସ୍ଥାୟୀ ମାନ୍ୟତା ସହ ମାସିକ ୨୧ ହଜାର ଟଙ୍କା, ୧୦ ହଜାର ପେନସନ ସହ ଇଏସ୍ଆଇ ଓ ଇପିଏଫ, ଲକ୍ ଡାଉନ୍ରେ କ୍ଷତି ସହିଥିବା ଆଶାକର୍ମୀଙ୍କୁ ୬ମାସ ଯାଏଁ ରାସନ୍ ଏବଂ ୭୫୦୦ ଟଙ୍କା ଯୋଗାଇ ଦେବାକୁ ସଙ୍ଗଠନ ଦାବି କରିଛି ।
ଲୋକାଲ ୱାୟାର
Leave a Reply