ଭୁବନେଶ୍ୱର, ଫେବ୍ରୁଆରୀ ୨୧(ଲୋକାଲ ୱାୟାର): ବିଶିଷ୍ଟ ଅନୁବାଦକ ଯୁଗଳ କିଶୋର ଦତ୍ତଙ୍କର ଶୁକ୍ରବାର ପରଲୋକ ହୋଇଯାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।
ତାଙ୍କୁ ୯୨ବର୍ଷ ହୋଇଥିଲା । ନିଜର ଅନୁବାଦ ଦକ୍ଷତା ବଳରେ ସେ ଭାରତୀୟ ସାହିତ୍ୟର ଅନେକ ଲୋକପ୍ରିୟ ଗ୍ରନ୍ଥକୁ ଓଡ଼ିଆରେ ଅନୁବାଦ କରି ଓଡ଼ିଆ ସାହିତ୍ୟ ବାଣୀଭଣ୍ଡାରକୁ ସମୃଦ୍ଧ କରିଥିଲେ ।
ବହୁ ଓଡ଼ିଆ ଗଳ୍ପକୁ ବଙ୍ଗଳା ଭାଷାକୁ ଅନୁବାଦ କରି ଓଡ଼ିଆ କଥା ସାହିତ୍ୟକୁ ପଡ଼ୋଶୀ ରାଜ୍ୟର ସାହିତ୍ୟ ପରିସରରେ ପରିଚିତ କରାଇଥିଲେ ।
୫ ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ ଧରି ସେ ଓଡ଼ିଆ ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖିଥିଲେ ।
୧୯୨୮ମସିହା, ୨୪ଡିସେମ୍ବରରେ ଯାଜପୁର ମହେଶ୍ୱରପୁରରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ଦତ୍ତ । ପିତା ନଦିୟା ଚାନ୍ଦ ଓ ମା’ କିରଣବାଳାଙ୍କ ସୁପୁତ୍ର ଥିଲେ ସେ ।
ପୁରୀ, ବାଲେଶ୍ୱର, କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁନୁଷ୍ଠାନରେ ଶିକ୍ଷାଗ୍ରହଣ କରିଥିଲେ । ସମବାୟ ଇନ୍ସପେକ୍ଟର ଭାବେ ସରକାରୀ ଚାକିରିରୁ ଅବସର ଗ୍ରହଣ କରି ସାହିତ୍ୟ ସାଧନା ଓ ସଙ୍ଗଠକ ଭାବେ କାର୍ଯ୍ୟ କରିଥିଲେ ।
ଶ୍ରୀ ଦତ୍ତ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ବିଶିଷ୍ଟ ଅନୁବାଦକ ଥିଲେ । ଅନୁବାଦ ବ୍ୟତୀତ୍ ସେ ମୌଳିକ ସାହିତ୍ୟ ରଚନା ମଧ୍ୟ କରିଥିଲେ ।
୧୫୦ରୁ ଊର୍ଦ୍ଧ୍ୱ ପୁସ୍ତକ ରଚନା କରିଥିବା ଶ୍ରୀ ଦତ୍ତ ‘ଆସାମୀ ହାଜିର’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଅନୁବାଦ ପୁସ୍ତକ ‘ଜନଗଣମନ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସୌଭାଗ୍ୟକୁ ଦୁଇଟିଯାକ ପୁରସ୍କାର ତାଙ୍କୁ ୧୯୯୭ମସିହାରେ ହିଁ ପ୍ରାପ୍ତ ହୋଇଥିଲା ।
ଗୋଟିଏ ବର୍ଷରେ ଦୁଇଟି ପୁରସ୍କାର ପାଇବାରେ ସେ ଥିଲେ ଅଦିତୀୟ । ଭୁବନେଶ୍ୱର ପୁସ୍ତକ ମେଳାର ପ୍ରତିଷ୍ଠାତା ସଦସ୍ୟ ଭାବେ ଶ୍ରୀ ଦତ୍ତ ୧୫ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସମ୍ପାଦକ ରହିଥିଲେ ।
ଶ୍ରୀ ଦତ୍ତ ୧୯୪୮ମସିହାରୁ ଲେଖାଲେଖି ଆରମ୍ଭ କରିଥିଲେ । କଲେଜ ପଢ଼ିବା ସମୟରେ ସେ ‘ଦିଗନ୍ତ’ ପତ୍ରିକା ସମ୍ପାଦକ ମଣ୍ଡଳୀରେ ରହିଥିଲେ ।
୧୯୫୦ମସିହାରେ ତାଙ୍କର ପ୍ରଥମ ପୁସ୍ତକ ‘ଶତାବ୍ଦୀର ପ୍ରେମ’ ପ୍ରକାଶ ପାଇଥିଲା । ୧୯୫୧ରେ ପ୍ରକାଶ ପାଇଥିଲା ‘ମାନସୀ’ । ‘ଡଗର’ ଆଦି ପତ୍ରିକାରେ ତାଙ୍କ ଲେଖା ନିୟମିତ ପ୍ରକାଶ ପାଉଥିଲା ।
ଭଦ୍ରକରେ ରହିବା ସମୟରେ ସେ ‘ସାହିତ୍ୟ ଆସର’ ନାମରେ ଏକ ସାହିତ୍ୟ ଚର୍ଚ୍ଚା ଗୋଷ୍ଠୀ ଆରମ୍ଭ କରିଥିଲେ । ବଙ୍ଗଳା ଡିଟେକ୍ଟିଭ୍ ଉପନ୍ୟାସ ପଢ଼ିବାରେ ତାଙ୍କର ବିଶେଷ ସଉକ ଥିଲା ।
ଅନୁବାଦକ ଲକ୍ଷ୍ମୀକାନ୍ତ ମହାନ୍ତିଙ୍କଠାରୁ ପ୍ରୋତ୍ସାହନ ପାଇ ସେ ବଙ୍ଗଳା ଉପନ୍ୟାସର ଓଡ଼ିଆ ଅନୁବାଦ କରିବା ଆରମ୍ଭ କରିଥିଲେ । ବିମଳ ମିତ୍ରଙ୍କର ‘ଆମେରିକା’ ଥିଲା ତାଙ୍କ ଦ୍ୱାରା ଅନୁବାଦିତ ପ୍ରଥମ ପୁସ୍ତକ ।
ବିମଳ ମିତ୍ରଙ୍କର ପ୍ରାୟ ସବୁ ପୁସ୍ତକ ସେ ଓଡ଼ିଆରେ ଅନୁବାଦ କରିଛନ୍ତି ।
ବିମଳଙ୍କ ବ୍ୟତୀତ୍ ରବୀନ୍ଦ୍ରନାଥ ଟାଗୋର, ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ, ସମରେଶ ମଜୁମଦାର, ଶଙ୍କର, ସୁନୀଲ ଗଙ୍ଗୋପାଧ୍ୟାୟ ଓ ତସଲିମା ନସରିନ ଆଦିଙ୍କ ବଙ୍ଗଳା ପୁସ୍ତକକୁ ସେ ଓଡ଼ିଆରେ ଅନୁବାଦ କରିଛନ୍ତି ।
ତାଙ୍କ ରଚିତ ପୁସ୍ତକ ମଧ୍ୟରେ ‘ଜନଗଣମନ’, ‘ସେଇ ସମୟ-୧’, ‘ଶତାବ୍ଦୀର ପ୍ରେମ’, ‘ମାନସୀ’, ‘ଗାଁ ହସେ’, ‘ନିଶି ବିହଙ୍ଗୀ’, ‘ଏକାନ୍ତ ସତ୍ୟ’ ସହିତ ଗଳ୍ପ ସଙ୍କଳନ ଓ ଏଗାରଟି ଅନୁବାଦ ଗଳ୍ପ ଅନ୍ୟତମ ।
ଶ୍ରୀ ଦତ୍ତ ସାହିତ୍ୟ ରଚନା ସାଙ୍ଗକୁ ଜଣେ ସଂଗ୍ରାହକ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।
ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଦସ୍ତଖତ ସଂଗ୍ରହ କରିଥିଲେ । ଜବାହରଲାଲ ନେହରୁ ଏବଂ ଏସ୍ ରାଧାକ୍ରିଷ୍ଣନଙ୍କ ଭଳି ବ୍ୟକ୍ତିବିଶେଷଙ୍କ ଦସ୍ତଖତ ସଂଗ୍ରହ କରିପାରିଥିଲେ । ଏମିତିକି ଦିଆସିଲି ଖୋଳ ସଂଗ୍ରହ ବି କରିଥିଲେ ।
ଦୀର୍ଘ ୧୯୪୧-୪୨ମସିହାରୁ ସେ ସଂଗ୍ରହ ଆରମ୍ଭ କରିଥିଲେ । ପାଖାପାଖି ୩୦୦ରୁ ଊର୍ଦ୍ଧ୍ୱ ଦିଆସିଲି ଖୋଳ ସେ ସଂଗ୍ରହ କରିପାରିଥିଲେ ।
ନିକଟରେ ଲେଖାଲେଖି ପକ୍ଷରୁ ଶ୍ରୀ ଦତ୍ତଙ୍କ ୯୧ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା ।
ଏଥିରେ ପ୍ରଥମ କରି ବିଶିଷ୍ଟ ଅନୁବାଦିକା ଭାରତୀ ନନ୍ଦୀଙ୍କୁ ଯୁଗଳ କିଶୋର ଦତ୍ତ ଅନୁବାଦ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । ଶ୍ରୀ ଦତ୍ତଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି ।
ଲୋକାଲ ୱାୟାର
Leave a Reply