ଭୁବନେଶ୍ୱର, ଓଡ଼ିଶା ୧୮(ଲୋକାଲ ୱାୟାର): ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ବିଶିଷ୍ଟ ଭାସ୍କର୍ଯ୍ୟ ତଥା ଚିତ୍ରଶିଳ୍ପୀ ପ୍ରମୋଦ ମହାନ୍ତିଙ୍କ ବିୟୋଗରେ ଶୁକ୍ରବାର ଏକାଡେମୀ କାର୍ଯ୍ୟାଳୟରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା ।
ସ୍ୱର୍ଗତ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।
ସ୍ୱର୍ଗତ ଶିଳ୍ପୀ ୧୯୫୧ ମସିହାରେ କଟକ ଜିଲ୍ଲାର ବଡ଼ଚଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଖଲ୍ଲିକୋଟରୁ ୧୯୭୧ ମସିହାରେ ଚିତ୍ରକଳାରେ ଡିପ୍ଲୋମା ହାସଲ କରିବା ପରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନରେ ଉଚ୍ଚତର ଅଧ୍ୟୟନ କରିଥିଲେ ।
ଦୀର୍ଘଦିନ ଧରି କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ଚିତ୍ରଶିଳ୍ପୀ ଭାବେ ଚାକିରି କରି ଅବସର ଗ୍ରହଣ କରିଥିଲେ ।
ତାଙ୍କର ଭାସ୍କର୍ଯ୍ୟ ତଥା ଚିତ୍ରକଳା କ୍ଷେତ୍ରରେ ଥିବା ସ୍ୱତନ୍ତ୍ର ଅବଦାନ ପାଇଁ ସେ ଏକାଡେମୀରୁ ୧୯୯୦ମସିହାରେ ରାଜ୍ୟ ପୁରସ୍କାର ତଥା ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଥିଲେ ।
ଏହି ମହାନ ବ୍ୟକ୍ତିଙ୍କ ବିୟୋଗରେ କଳାକ୍ଷେତ୍ରରେ ଓଡ଼ିଶା ଜଣେ ମହାନ ଚିତ୍ରଶିଳ୍ପୀଙ୍କୁ ହରାଇଛି ବୋଲି ଶୋକସଭାରେ ଉପସ୍ଥିତ ଶିଳ୍ପୀ, କଳାପ୍ରେମୀ ମତ ପ୍ରକାଶ କରିଥିଲେ ।
ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକସଭାରେ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ଶିଳ୍ପୀଙ୍କ ବିଷୟରେ ସମ୍ୟକ୍ ଆଲୋକପାତ କରିଥିଲେ ।
ସଂସ୍କୃତି ବିଭାଗ ଯୁଗ୍ମ ଶାସନ ସଚିବ ମନସ୍ୱିନୀ ସାହୁ, ବରିଷ୍ଠ ସିନେ ସାମ୍ବାଽଦକ ଦିଲ୍ଲୀପ ହାଲି ଓ ବରିଷ୍ଠ ଶିଳ୍ପୀବୃନ୍ଦ ଏବଂ ଏକାଡେମୀର କର୍ମଚାରୀଗଣ ଉପସ୍ଥିତ ରହି ଶିଳ୍ପୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଲୋକାଲ ୱାୟାର
Leave a Reply