ଭୁବନେଶ୍ବର, ଜାନୁଆରୀ ୧୫ (ଲୋକାଲ ୱାୟାର): ମକର ସଂକ୍ରାନ୍ତି ପାଇଁ ବୁଧବାର ଦେବାଳୟରେ ଭିଡ଼ ଲାଗିଥିବାବେଳେ ଅନେକ ସ୍ଥାନରେ ସ୍ବତନ୍ତ୍ର ସୂର୍ଯ୍ୟପୂଜାର ଆୟୋଜନ ହୋଇଛି।
ସହରଠାରୁ ଆରମ୍ଭ କରି ଜଙ୍ଗଲ ମୁଲକରେ ରହୁଥିବା ଆଦିବାସୀମାନେ ମଧ୍ୟ ବେଶ୍ ଜାକଜମକରେ ଏହି ଉପଲକ୍ଷେ ସେମାନଙ୍କ ପର୍ବ ପାଳନ କରୁଛନ୍ତି।
ତେବେ ଆସନ୍ତୁ ଜାଣିବା ମକର ସଂକ୍ରାନ୍ତି ସଂପର୍କରେ କିଛି ଜଣା ଅଜଣା ତଥ୍ୟ-
୧- ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଏହିଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରନ୍ତି, ଅର୍ଥାତ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡ଼କୁ ଢଳିଥାଏ ।
ମକର ସଂକ୍ରାନ୍ତିରୁ ଥଣ୍ଡାର ପରିମାଣ କମି ଗରମ ଅନୁଭୂତ ହୋଇଥାଏ।
୨- ଏହିଦିନଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହେଉଥିବାରୁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟ ଦେବତାଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ।
୩- ବିଶେଷତଃ ଜଳବାୟୁ, କୃଷି ପରିବେଶ, ସାଂସ୍କୃତିକ ପୁଷ୍ଠଭୂମି ଓ ଅବସ୍ଥାନକୁ ଆଧାର କରି ଏହି ପର୍ବ ପାଳନ କରାଯାଏ ।
ଏହିଦିନ ଗଙ୍ଗାସ୍ନାନ କଲେ ଆତ୍ମା ଶୁଦ୍ଧି ହୁଏ ବୋଲି ଲୋକ ବିଶ୍ବାସ ରହିଛି।
୪- ନୂଆ ଚାଉଳ, ଆଖୁରସ, ଗୁଡ଼, ନଡ଼ିଆ, କଦଳୀ, ଛେନା, କ୍ଷୀର ଓ ବିଭିନ୍ନ ପ୍ରକାର ଫଳ ମିଶେଇ ଭୋଗ ପ୍ରସ୍ତୁତ କରାଯାଏ, ଯାହାକୁ ମକର ଚାଉଳ ବୋଲି କୁହାଯାଏ ।
ଲୋକେ ପରସ୍ପର ମଧ୍ୟରେ ମକର ଚାଉଳ ବାଣ୍ଟି ବନ୍ଧୁତା ସ୍ଥାପନ କରୁଥିବା ବା ମକର ବସିବା ପରମ୍ପରା ମଧ୍ୟ ଓଡ଼ିଶାରେ ରହିଛି ।
୫- ଏହିଦିନଠାରୁ କୃଷକ କୃଷି କାମ ସାରି ନୂଆ ଧାନ ଅମଳ କରିଥାଏ, ତେଣୁ ଘରେ ଏକ ପ୍ରକାର ଖୁସିର ପରିବେଶ ସୃଷ୍ଟି ହୋଇଥାଏ ।
ନୂଆ ଧାନରେ ସୂର୍ଯ୍ୟଙ୍କୁ ମକର ଭୋଗ ଲାଗି ପରେ ପରିବାରର ସମସ୍ତେ ଏହାକୁ ଗ୍ରହଣ କରନ୍ତି।
୬- ମକର ସଂକ୍ରାନ୍ତିରେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ଉତ୍ତରାୟଣ ଯାତ୍ରା ଓ ଜଗନ୍ନାଥଙ୍କୁ ଉତ୍ତରାୟଣ ବନ୍ଦାପନା କରାଯାଏ।
ପୂର୍ବଦିନ ଓ ଏହି ଦିନ ମହାପ୍ରଭୁଙ୍କ ଲୋକପ୍ରିୟ ନବାଙ୍କ ବେଶ ଦେଖିବାକୁ ଭକ୍ତଙ୍କ ଭିଡ ଜମିଥାଏ ।
ମାନ୍ୟତା ଅନୁସାରେ, ଏହି ଦିନଠାରୁ କୁମ୍ଭ ମେଳା ଆରମ୍ଭ ହୁଏ।
୭- ମକର ସଂକ୍ରାନ୍ତିର ଶୁଭମୁହୂର୍ତ୍ତରେ ସ୍ନାନ ଓ ଦାନ-ପୁଣ୍ୟ କରିବାର ବିଶେଷ ମହତ୍ତ୍ବ ରହିଥିବାବେଳେ ଅନେକ ସ୍ଥାନରେ ପୂର୍ବପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଖେଚୁଡି ଦାନ କରାଯାଏ ।
ଖାଲି ଏତିକି ନୁହେଁ, ଏହି ଶୁଭ ଅବସରରେ ରାଶି ଓ ଗୁଡର ପ୍ରସାଦ ମଧ୍ୟ ବଣ୍ଟାଯାଏ ।
୮- ରାଜ୍ୟର ଅନେକ ସ୍ଥାନରେ ଏହି ଦିନରେ ଲୋକେ ଗୁଡ଼ି ଉଡ଼ାଇ ମଉଜମସ୍ତି କରିଥାଆନ୍ତି।
ଗୁଡ଼ିଉଡ଼ା ପ୍ରତିଯୋଗିତା ମଧ୍ୟ ହୋଇଥାଏ ଓ ବିଭିନ୍ନ ସ୍ଥାନରେ ମକର ମେଳା ମଧ୍ୟ ଆୟୋଜିତ ହୁଏ ।
ମକର ସଂକ୍ରାନ୍ତିରେ କଟକରେ ଗୁଡ଼ିଉଡ଼ା ଏକ ପର୍ବ ଭଳି ପାଳିତ ହୁଏ।
୯- ଏହି ଦିନ ସୂର୍ଯ୍ୟ ଉତ୍ତର ଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ,ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭ କାର୍ଯ୍ୟ କରାଯାଏ ।
୧୦- ଏହି ସମୟରେ କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାର କୁଡୁମି ସଂପ୍ରଦାୟର ଲୋକେ ତିନିଦିନ ପର୍ଯ୍ୟନ୍ତ ଟୁସୁ ପର୍ବ ପାଳନ କରିଥାନ୍ତି, ଯେଉଁଥିରେ ବିଶେଷକରି ମହିଳାମାନେ ସାମିଲ ହୁଅନ୍ତି।
ପ୍ରତି ଘରକୁ ବନ୍ଧୁକୁଣିଆ ଆସିବା ସହ ଘରଦ୍ଵାର ସଫା ସୁତୁରା କରାଯାଏ ଏବଂ ସମସ୍ତେ ନୂଆ ପୋଷାକ ପିନ୍ଧି ଭୋଜିଭାତ ଆଉ ନାଚଗୀତରେ ମସଗୁଲ ରହନ୍ତି।
ଲୋକାଲ ୱାୟାର
Leave a Reply