ଟିଟିଲାଗଡ଼, ଫେବ୍ରୁଆରି ୨୬ (ଲୋକାଲ ୱାୟାର): ଦେଶର ଅନ୍ୟତମ ଉତ୍ତପ୍ତ ସହର ଭାବେ ଜଣାଶୁଣା ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ସହରର ଅନ୍ୟତମ ଆକର୍ଷଣ ହେଉଛି କୁମୁଡ଼ା ପାହାଡ଼।
ଟିଟିଲାଗଡ଼ର ଅସମ୍ଭାଳ ତାପମାତ୍ରା ପାଇଁ ବର୍ଷ ବର୍ଷ ଧରି ନଣ୍ଡା ହୋଇ ରହିଥିବା ଏହି ପାହାଡ଼କୁ କେହି କେହି ଦାୟୀ କରିଆସୁଥିବାବେଳେ ଏବେ ଏହି ପାହାଡ଼ରେ ବନୀକରଣ ପରେ ସୌନ୍ଦର୍ଯ୍ୟ ବୃଦ୍ଧି ଘଟିବା ଆଶା ରହିଛି।
ଏହି ପାହାଡ଼ର ଗୁମ୍ଫାରେ ଥିବା ଧବଳେଶ୍ବର ଶୈବପୀଠ ମଧ୍ୟ ଏକ ବ୍ୟତିକ୍ରମ, କାରଣ ଯେତେବେଳେ ପାହାଡ଼ ଉପରେ ତାପମାତ୍ରା ପଚାଶ ଡିଗ୍ରୀ ଥାଏ, ସେତେବେଳେ ଏହି ମନ୍ଦିର, ଅର୍ଥାତ୍ ସେହି ପାହାଡ଼ର ଗୁମ୍ଫା ଭିତରକୁ ପଶିଗଲେ ତାପମାତ୍ରା ୧୦ ଡିଗ୍ରୀ ରହିଥାଏ।
ଏଭଳି ଏକ ବିସ୍ମୟକର ପାହାଡ଼ ସଂପର୍କରେ ଆସନ୍ତୁ ଜାଣିବା।
କୁମୁଡ଼ା ପାହାଡ଼ର ଅବସ୍ଥିତି
ଟିଟିଲାଗଡ଼ ସହରଠାରୁ ଦୁଇ କିଲୋମିଟର ଦୂରରେ ରହିଛି କୁମୁଡ଼ା ପାହାଡ଼।
ଏହାର ଲମ୍ବା ପ୍ରାୟ ଏକ କିଲୋମିଟର ଏବଂ ଓସାର ଅଧ କିଲୋମିଟର ହେବ।
ଏକ କିଲୋମିଟର ଲମ୍ବ ଏହି ପାହାଡ଼କୁ ପୂର୍ବରୁ ପଶ୍ଚିମ କରି ଦେଖିଲେ ଏହା ଏକ ବିରାଟକାୟ ବୃଷଭ ଭଳି ଦେଖାଯାଏ।
ଏହି ପାହାଡ଼କୁ ନେଇ ଅନେକ ଲୋକକଥା ଓ କିମ୍ବଦନ୍ତୀ ରହିଛି।
ଗବେଷକ ଡକ୍ଟର ଦୋଳଗୋବିନ୍ଦ ବିଶିଙ୍କ କହିବା ଅନୁସାରେ, ପୂର୍ବରୁ ଏହା କୁମର୍ଦ୍ଧା ନାଁରେ ପରିଚିତ ଥିଲା, ଯାହା ଥିଲା ଏକ ତନ୍ତ୍ର ପୀଠ।
ପରେ କୁମର୍ଦ୍ଧାରୁ ଏହା କୁମୁଡ଼ା ହୋଇଥାଇପାରେ ବୋଲି ସେ କହନ୍ତି।
ସେହିପରି ପାହାଡ଼ର ଦକ୍ଷିଣରେ କୁମୁଡ଼ା ଗାଁ ରହିଥିବାରୁ ଏହି ଗାଁର ନାମ ହିସାବରେ ଏହାକୁ କୁମୁଡ଼ା ପାହାଡ଼ କୁହାଯାଉଥିବା ଅନୁମାନ କରାଯାଏ।
କେବଳ ଏତିକି ନୁହେଁ, ଏହି ପାହାଡ଼ ଆଖପାଖରେ ୪ଟି ଜଳାଶୟ ଦେଖିବାକୁ ମିଳେ, ଯାହାକୁ ସ୍ଥାନୀୟ ଭାଷାରେ ବନ୍ଧ ବୋଲି କୁହାଯାଏ।
ତେବେ ଏହି ପାହାଡ଼ର ସବୁଠାରୁ ଦର୍ଶନୀୟ ଏକ ବିସ୍ମୟକର ପୀଠ ହେଉଛି ବାବା ଧବଳେଶ୍ବରଙ୍କ ମନ୍ଦିର।
ଧବଳେଶ୍ୱର ପୀଠର ଉତ୍ପତ୍ତି
ଧବଳେଶ୍ବର ପୀଠ ପ୍ରାୟ ତିରିଶ ହଜାର ବର୍ଷର ପ୍ରାଚୀନ ମନ୍ଦିର ବୋଲି କେହି କେହି ମତ ଦିଅନ୍ତି।
ସେହିପରି ଆଉ ଏକ ଲୋକବିଶ୍ବାସ ଅନୁସାରେ, ସମ୍ରାଟ ଅଶୋକ ତାଙ୍କ ସେନା ବାହିନୀ ସହ ଟିଟିଲାଗଡ଼ ଦେଇ ଯାଉଥିବାବେଳେ କୁମୁଡ଼ା ପାହାଡ଼ ନିକଟରେ ବିଶ୍ରାମ ନେଇଥିଲେ।
ସେତେବେଳେ ଏଠାରେ ଏକ ବିରାଟ ଗୁମ୍ଫାରେ ଶିବଲିଙ୍ଗଟିଏ ପୋତିହୋଇ ରହିଥିବାର ସେ ଦେଖିବାକୁ ପାଇଥିଲେ ଓ ଶିବଲିଙ୍ଗଙ୍କୁ ଉଦ୍ଧାର କରି ସେଠାରେ ଏକ ମନ୍ଦିର ନିର୍ମାଣ କରାଇଥିଲେ।
ଆଉ କେହି କେହି କୁହନ୍ତି, ପାହାଡ଼ ଶିଖରରେ ଥିବା ଗୁମ୍ଫାରେ ଆଦିବାସୀମାନେ ପ୍ରଥମେ ଶିବଙ୍କୁ ପୂଜା କରୁଥିଲେ ଏବଂ ପରେ ସୋମବଂଶୀ ରାଜାମାନେ ଏଠାରେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ।
ଗୁମ୍ଫା ଭିତରେ ମହାଦେବ
କୁମୁଡ଼ା ପାହାଡ଼ର ଗୁମ୍ଫା ଭିତରେ ବାବା ଧବଳେଶ୍ବରଙ୍କ ଲିଙ୍ଗ ରହିଛି।
ତିନି ଫୁଟ ଛଅ ଇଞ୍ଚ ଉଚ୍ଚତାର ଏକ ମଣ୍ଡପ ଉପରେ ଏହି ଶିବଲିଙ୍ଗ ଥିବାବେଳେ ପାର୍ଶ୍ବ ଦେବତା ଭାବେ ଘଣ୍ଟେଶ୍ବରୀ ପୂଜା ପାଆନ୍ତି।
ସେହିପରି ଏଠାରେ ଦେବୀ ପାର୍ବତୀ, ଗଣେଶ, କାର୍ତ୍ତିକେଶ୍ୱର, ପଞ୍ଚ ବୃଷଭ ମୂର୍ତ୍ତି ଦେଖିବାକୁ ମିଳେ।
ଲୋକବିଶ୍ବାସ ଅନୁସାରେ, ଏହି ଗୁମ୍ଫା ଭିତର ଦେଇ ପ୍ରାୟ ୪୫ କିଲୋମିଟର ଦୂରରେ ଥିବା ରାଣୀପୁର ଝରିଆଲ ପର୍ଯ୍ୟନ୍ତ ଏକ ଗୁପ୍ତ ସୁଡ଼ଙ୍ଗ ରହିଛି।
ଧବଳେଶ୍ୱର ପୀଠର ସୌନ୍ଦର୍ଯ୍ୟ
ଧବଳେଶ୍ବର ପୀଠରେ ବ୍ୟାଘ୍ର ଗୁମ୍ଫା ନାମକ ଏକ ଗୁମ୍ଫା ରହିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏକଦା ଏହି ଗୁମ୍ଫାରେ ବାଘ ରହୁଥିଲା ଓ ସେ ଭକ୍ତମାନଙ୍କଠାରୁ କ୍ଷୀର ଓ ଫଳମୂଳ ଖାଉଥିଲା।
ବ୍ୟାଘ୍ର ଗୁମ୍ଫାକୁ ବାଦ୍ ଦେଲେ କୁମୁଡ଼ା ପାହାଡ଼ ଉପରେ ଏକ ପୋଖରୀ ସମେତ ରାଣୀ କୂଅ ଓ ରଜା କୂଅ ନାମକ ଦୁଇଟି କୂଅ ରହିଛି, ଯାହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।
ସେହିପରି ଧବଳେଶ୍ବରଙ୍କ ପୀଠର ଉତ୍ତର ଦିଗରେ ପ୍ରସିଦ୍ଧ ଦେବନ୍ଧ ପୋଖରୀ ରହିଛି।
ଏହି ପୋଖରୀ ୯ ଏକର ପରିବ୍ୟାପ୍ତ।
ଏଠାରେ ଏବେ ପାର୍କ ସମେତ ହନୁମାନ ମନ୍ଦିର, ଗଣେଣ ମନ୍ଦିର ପ୍ରହରୀ ମଣ୍ଡପ ତିଆରି ହୋଇଛି।
ବାହାରେ ୫୦, ଭିତରେ ୧୦
ଧବଳେଶ୍ୱର ମହାଦେବଙ୍କୁ ଚମତ୍କାରୀ ଦେବତା ଭାବେ ଶ୍ରଦ୍ଧାଳୁମାନେ ପୂଜା କରନ୍ତି।
କାରଣ ଯେତେବେଳେ କୁମୁଡ଼ା ପାହାଡ଼ ଉପରେ ଖରାଦିନରେ ୫୦ ଡିଗ୍ରୀ ତାପମାତ୍ରା ଥାଏ, ସେତେବେଳେ ଧବଳେଶ୍ବରଙ୍କ ଗୁମ୍ଫା ଭିତରକୁ ଗଲେ ଆପଣ ଶୀତଳା ଅନୁଭବ କରିପାରିବେ, ଅର୍ଥାତ୍ ସେତେବେଳେ ଗୁମ୍ଫା ଭିତରର ତାପମାତ୍ରା ପ୍ରାୟ ୧୦ ଡିଗ୍ରୀ ରହିଥାଏ।
ଶ୍ରଦ୍ଧାଳୁମାନେ ଏହାକୁ ଦେବ ଦେବ ମହାଦେବଙ୍କ ମହିମା କହୁଥିବାବେଳେ କେହି କେହି ଏହି ଚମତ୍କାରିତା ପଛରେ ବାସ୍ତୁଶାସ୍ତ୍ର ରହିଥିବା କହନ୍ତି।
ଅନେକ ଐତିହାସିକ ଓ ନୃତତ୍ତ୍ଵବିତ୍ ଏହାରି ଉପରେ ଗବେଷଣା କରିଥିଲେ ମଧ୍ୟ କୌଣସି ନିଷ୍କର୍ଷରେ ପହଞ୍ଚିପାରିନହାନ୍ତି।
ପୂଜାବିଧି ଓ ଅନ୍ୟ ଆକର୍ଷଣ
ରୀତିନୀତି ଅନୁସାରେ ପ୍ରତିଦିନ ଏଠାରେ ବାବା ଧବଳେଶ୍ବରଙ୍କ ପୂଜା ସଂପନ୍ନ କରାଯାଏ।
ତେବେ ମନ୍ଦିରର ମୁଖ୍ୟ ପର୍ବ ହେଉଛି ମହାଶିବରାତ୍ରି।
ଏହି ଅବସରରେ ଏଠାରେ ଏକ ସପ୍ତାହ ମେଳା ଲାଗେ ଏବଂ ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସି ପୂଜାର୍ଚ୍ଚନା କରନ୍ତି।
ସେହିପରି ଶ୍ରାବଣ ମାସ ସୋମବାରରେ ଏହି ପୀଠକୁ ଲକ୍ଷାଧିକ ବୋଲ୍ବମ୍ ଭକ୍ତଙ୍କ ଧାଡ଼ି ଲମ୍ବିଥାଏ।
୨୦୧୯ ମସିହାରୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପୀଠର ବିକାଶ କାର୍ଯ୍ୟ ଚାଲିଛି।
ସେହିପରି କୁମୁଡ଼ା ପାହାଡ଼ରେ ବନୀକରଣ ପାଇଁ ରାଜ୍ୟ ସରକାର ଗତବର୍ଷ ୫ କୋଟି ଟଙ୍କା ମଂଜୁର କରିଛନ୍ତି।
କେମିତି ପହଞ୍ଚିବେ କୁମୁଡ଼ା ପାହାଡ଼
ଟିଟିଲାଗଡ଼ରେ ରେଳ ଜଙ୍କସନ୍ ରହିଥିବାବେଳେ ରାଜ୍ୟର ପ୍ରାୟ ସବୁ ଅଂଚଳରୁ ଏଠାକୁ ଟ୍ରେନ ଯୋଗେ ଆସିହେବ।
ସେହିପରି ଏଠାକୁ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରୁ ସିଧାସଳଖ ଟ୍ରେନ୍ ସୁବିଧା ରହିଛି।
ଷ୍ଟେସନରୁ ଏହି ସ୍ଥାନକୁ ପାଦରେ ଚାଲି ଚାଲି ମଧ୍ୟ ଯାଇହେବ।
ଲୋକାଲ୍ ଓ୍ବାୟାର୍
Leave a Reply