ଭୁବନେଶ୍ବର, ଜାନୁଆରୀ ୨୧ (ଲୋକାଲ ୱାୟାର): ମଙ୍ଗଳବାର ଦେଶର ସର୍ବୋଚ୍ଚ ସାରସ୍ବତ ସମ୍ମାନ ଜ୍ଞାନପୀଠ ପୁରସ୍କାର ବିଜୟିନୀ ପ୍ରତିଭା ରାୟଙ୍କ ୭୫ତମ ଜନ୍ମଦିବସ।
ଭାରତୀୟ କଥା ସାହିତ୍ୟର ଅନ୍ୟତମ ଶିଖର ବ୍ୟକ୍ତିତ୍ବ ପ୍ରତିଭାଙ୍କ ସଂପର୍କରେ ଆସନ୍ତୁ ଜାଣିବା କିଛି କଥା-
୧- ଡକ୍ଟର ପ୍ରତିଭା ରାୟ ୧୯୪୪ ମସିହା ଜାନୁଆରୀ ୨୧ରେ ଜଗତସିଂହପୁର ଜିଲ୍ଲା ବାଲିକୁଦାର ଅଳାବୋଳ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।
ବାପା ପର୍ଶୁରାମ ଦାସଙ୍କ ସ୍ଵାଧୀନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ସେ ପିଲାଦିନୁ ଲେଖାଲେଖି କରିବାକୁ ଭଲ ପାଉଥିଲେ ।
ତାଙ୍କ ମା ଥିଲେ ମନୋରମା ଦେବୀ।
୨- ବାପା ବାଲିକୁଦା ହାଇସ୍କୁଲରେ ପ୍ରଧାନଶିକ୍ଷକ ଥିବା ସମୟରେ ପ୍ରତିଭା ସେଠାରେ ପାଠପଢା ଆରମ୍ଭ କରିଥିଲେ ।
୯ ବର୍ଷ ବୟସରେ ସେ ଲେଖାଲେଖି ଆରମ୍ଭ କରିଥିଲେ ।
୩- ବାପାମାଙ୍କ ଅଜାଣତରେ ଅନେକ କବିତା ଲେଖୁଥିଲେ ଓ ଏକଦା ସେହି କବିତାକୁ ସେ ସେତେବେଳର ପ୍ରମୁଖ ଖବରକାଗଜ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଁ ଦେଇଥିଲେ ।
ଏହା ପ୍ରଜାତନ୍ତ୍ରର ସଂପାଦକ ହରେକୃଷ୍ଣ ମହତାବଙ୍କୁ ମଧ୍ୟ ଆକର୍ଷିତ କରିଥିଲା।
୪- ଛୋଟବେଳୁ ସାହିତ୍ୟ ରଚନାରେ ମନ ଦେଇଥିବା ପ୍ରତିଭା ରେଭେନ୍ସା ଜୁନିୟର କଲେଜରେ ବିଜ୍ଞାନ ପଢିଥିଲେ ।
ଡାକ୍ତରୀ ପଢିବା ପାଇଁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସ୍ଵପ୍ନ ପୂରଣ ପାଇଁ ରେଭେନ୍ସାରେ ସ୍ନାତକ କରିଥିଲେ ।
୫- ସ୍ନାତକ ସରିବା ପରେ ତାଙ୍କ ପରିବାରଲୋକେ ଇଞ୍ଜିନିୟର ଅକ୍ଷୟ ଚନ୍ଦ୍ର ରାୟଙ୍କ ସହ ତାଙ୍କ ବିବାହ କରିଦେଇଥିଲେ ।
ବିବାହ ପରେ ସେ କଟକରେ ରହି ତିନିଟି ସନ୍ତାନର ଜନନୀ ହେଲା ପରେ ମଧ୍ୟ ଏଜୁକେସନରେ ସ୍ନାତକୋତ୍ତର ଲାଭ କରିଥିଲେ ।
୬- ଏହାପରେ ଆଦିବାସୀଙ୍କ ଉପରେ ଗବେଷଣା କରି ଶୈକ୍ଷିକ ମନସ୍ତତ୍ତ୍ଵରେ ଡକ୍ଟରେଟ ହାସଲ କରିଥିଲେ ।
୭- ସେ ପ୍ରଥମେ ବିଦ୍ୟାଳୟର ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଓ ପରେ ପ୍ରାଧ୍ୟ୍ୟାପିକା ଭାବେ କାର୍ଯ୍ୟ କରିଥିଲେ ।
୧୯୯୮ ମସିହାରେ ଚାକିରିରୁ ଅବସର ନେଇ ସେ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)ରେ ସଦସ୍ୟ ଭାବେ ଯୋଗ ଦେଇଥିଲେ ।
୮- ପ୍ରତିଭା ରାୟ ଶତାଧିକ ପୁସ୍ତକ ରଚନା କରିଛନ୍ତି।
ଏହାରି ଭିତରେ ରହିଛି ଉପନ୍ୟାସ, କ୍ଷୁଦ୍ରଗଳ୍ପ ସଂକଳନ, ଭ୍ରମଣ କାହାଣୀ, କବିତା ସଂକଳନ ଓ ଅନେକ ପ୍ରବନ୍ଧ।
୯- ବହୁ ଲୋକପ୍ରିୟ କଥାକାର ପ୍ରତିଭା ତାଙ୍କ ଲେଖା ପାଇଁ ଶହ ଶହ ପାଠକ ସୃଷ୍ଟି କରିଛନ୍ତି।
ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ ଯାଜ୍ଞସେନୀ ପାଇଁ ସେ ମୂର୍ତ୍ତିଦେବୀ ପୁରସ୍କାର ଲାଭ କରିବା ସହ ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି।
ଏହା ପରେ ପରେ ସେ ଜ୍ଞାନପୀଓଠ ପୁରସ୍କାର ମଧ୍ୟ ଲାଭ କରିଛନ୍ତି।
୧୦ – ୧୯୮୫ ମସିହାରେ ଯାଜ୍ଞସେନୀ ପାଇଁ ସେ ଶାରଳା ପୁରସ୍କାର ପାଇଥିବାବେଳେ ୨୦୦୦ ମସିହାରେ ସେ ଉଲ୍ଲଂଘନ ଗଳ୍ପ ସଂକଳନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।
୨୦୦୭ରେ ସେ ସମ୍ମାନଜଣକ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ।
ଲୋକାଲ ୱାୟାର
Leave a Reply