ଘଟକେଶ୍ୱର, ଫେବ୍ରୁଆରି ୨୬ (ଲୋକାଲ ୱାୟାର):ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର ଆଦିବାସୀ ଅଧ୍ୟୁଷିତ ଘଟକେଶ୍ୱର ଗାଁ ଏବେ ବେଶ ଚର୍ଚ୍ଚାରେ ରହିଛି ।
ଗୋଟିଏ ପାଶ୍ୱର୍ରେ ବାରମାସୀ ଗହକଟା ନାଳ ବୋହି ଯାଉଥିବା ବେଳେ ଅନ୍ୟ ପଟେ ଗାଁକୁ ଘେରି ରହିଛି ପୂର୍ବଘାଟ ପର୍ବତମାଳାର କେରାଣ୍ଡିମାଳ ପାହାଡ ।
ପାହାଡ ଉପରେ ରହିଛି ପ୍ରାକୃତିକ ଦୃଶ୍ୟରେ ଭରା ପ୍ରଭୁ ଘଟକେଶ୍ୱର (ମହାଦେବ)ଙ୍କ ପ୍ରାଚୀନ ମନ୍ଦିର । ସ୍ଥାନଟି ପିକନିକ ପାଇଁ ବେଶ ଅନୁକୂଳ ବ୍ରହ୍ମପୁର-ଚିକିଟି ରାସ୍ତାରେ ଥିବା ଘଟକେଶ୍ୱରରେ ବର୍ଷସାରା ପ୍ରାକୃତିକ ଦୃଶ୍ୟରାଜି ପରିଲକ୍ଷିତ ହୁଏ ।
ଶୀତ ଦିନେ, ବିଶେଷ କରି ଶ୍ରାବଣ ଓ କାର୍ତିକ ମାସରେ ଏହି ସ୍ଥାନକୁ ପର୍ଯ୍ୟଟକଙ୍କ ଆଗମନ ଅଧିକ ହୋଇଥାଏ ।
ସେହିପରି ଶିବରାତ୍ରୀ ଉପଲକ୍ଷେ ଶହ ଶହ ଭକ୍ତଙ୍କ ଗହଳି ପ୍ରଭୁ ଘଟକେଶ୍ୱରଙ୍କ ପୀଠରେ ଜମିଥାଏବୋଲି ଘଟକେଶ୍ୱର ବିକାଶ କମିଟିର ସମ୍ପାଦକ ରବୀନ୍ଦ୍ର ନାଥ ସାହୁ କହିଛନ୍ତି ।
ବ୍ରହ୍ମପୁର ଅଂଚଳର ପ୍ରାଚୀନ ମନ୍ଦିରଗୁଡିକ ମଧ୍ୟରୁ ଅନ୍ୟତମ ପ୍ରଭୁ ଘଟକେଶ୍ୱରଙ୍କ ମନ୍ଦିର ମହୁରୀ ରାଜାନାରାୟଣ ନରେନ୍ଦ୍ର ଦେବଙ୍କ ଦ୍ୱାରା ପ୍ରାୟ ୫ ଶହ ବର୍ଷ ପୂର୍ବେ ଜଙ୍ଗଲ ଭିତରେ ନିର୍ମିତ ହୋଇଥିଲା ।
ରାଜ୍ୟକୁ ପ୍ରଭାବିତ କରିଥିବା ଅନେକ ବାତ୍ୟା ଓ ସମୟର ମୁକସାକ୍ଷୀ ଏହି ମନ୍ଦିରଟି । ଶାନ୍ତ ବାତାବରଣ ପାଇଁ ଲୋକେ ସ୍ଥାନଟିକୁ ପସନ୍ଦ କରିଥାନ୍ତି ବୋଲି କହିଛନ୍ତି ଘଟକେଶ୍ୱର ବିକାଶ କମିଟିର ଉପସଭାପତି ଚନ୍ଦ୍ରଧ୍ୱଜ ସାହୁ ।
ବୟସ୍କ ଲୋକେ କହନ୍ତି ଦିନେ ଏହି ଅଂଚଳରେ ମହାବଳ ବାଘ, ହାତୀ, ଚିତାବାଘ, ବିଭିନ୍ନ ପ୍ରକାରର ସାପ ଓ ଅନ୍ୟ ଜୀବଜନ୍ତୁ ବିଚରଣ କରୁଥିଲେ ।
ଆଖପାଖ ଗାଁ ଲୋକେ ମୁଖ୍ୟ ରାସ୍ତା ଠାରୁ ମାତ୍ର ୩୦୦ ମିଟର ଦୂରତାରେ ଥିବା ମନ୍ଦିରକୁ ରାସ୍ତା ନିର୍ମାଣ କରିବା ସହ ସ୍ଥାନଟି ସଫା କରିଛନ୍ତି ।
ଘଂଚ ଜଙ୍ଗଲ ଘେରା ଏହି ସ୍ଥାନଟି ପରିବେଶ ପର୍ଯ୍ୟଟନ ପ୍ରେମୀଙ୍କ ପସନ୍ଦର ସ୍ଥାନ ପାଲଟିଛି । ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ହରିଣ ଦେଖିବା ଅନ୍ୟତମ ଆକର୍ଷଣ ।
ଏହା ବ୍ୟତୀତ ବଣୁଆ କୁକୁର, ବିଲୁଆ, ଜଙ୍ଗଲୀ ବିଲେଇ ଆଦି ଏହି ଅଂଚଳରେ ବସବାସ କରନ୍ତି । ସ୍ଥାନଟିକୁ ପରିବେଶ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବାକୁ ଆମେ ସରକାରଙ୍କୁ ପ୍ରସ୍ତାବ ଦେଇଛୁ ବୋଲି ବିକାଶ କମିଟି ସମ୍ପାଦକ କହିଛନ୍ତି ।
ଏଠାରେ ରହିବାର ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକମାନେ ବର୍ଷାଦିନେ ବେଶ ଅସୁବିଧା ଭୋଗିଥାନ୍ତି । ସରକାର ଗୃହ ନିର୍ମାଣ ପାଇଁ ୩୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।
ଏବେ ନିର୍ମାଣ କାମ ଚାଲିଛି । ସ୍ଥାୟୀ ପାନୀୟ ଜଳ ପ୍ରକଳ୍ପ ଓ ସୌରଶକ୍ତି ଚାଳିତ ବିଦ୍ୟୁତ ବ୍ୟବସ୍ଥାର ଆବଶ୍ୟକତା ରହିଛି ।
ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ହରିଣ ପାର୍କ ବ୍ୟତୀତ ପିଲାଙ୍କ ମନୋରଞ୍ଜନ ପାଇଁ ମଧ୍ୟ ପାର୍କ ନିର୍ମାଣର ଆବଶ୍ୟକତା ରହିଛି ।
ଘଟକେଶ୍ୱର ମନ୍ଦିର ବୁଲିବାକୁ ଆସିଥିବା ବେଳେ ପର୍ଯ୍ୟଟକମାନେ ମହୁରୀକାଳୁଆ, କେରାଣ୍ଡିମାଳରେ ଥିବା ଦେବୀଙ୍କ ମନ୍ଦିର, ପଂଚାମାରେ ଥିବା ପ୍ରାଚୀନ ଗଣେଶ ମନ୍ଦିର ଓ ମା ସିଦ୍ଧ ଭୈରବୀ ମନ୍ଦିର ଆଦି ବୁଲିପାରିବେ ।
Leave a Reply