ଭୁବନେଶ୍ୱର, ଜାନୁଆରୀ ୨୮(ଲୋକାଲ ୱାୟାର): ଛଉ ନୃୃତ୍ୟର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶାର ଛଉ ନୃତ୍ୟ ଗୁରୁ ଶଶଧର ଆଚାର୍ଯ୍ୟ ପଦ୍ମଶ୍ରୀ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି ।
ଗୁରୁ ଶ୍ରୀ ଆଚାର୍ଯ୍ୟଙ୍କ ପରିବାର ପୂର୍ବରୁ ପୁରୀରେ ରହୁଥିଲେ । ପରବର୍ତ୍ତୀ କାଳରେ ତାଙ୍କ ପରିବାର ଝାଡ଼ଖଣ୍ଡରେ ରହି ଛଉ ନୃତ୍ୟ ପ୍ରତି ସମର୍ପିତ ରହିଛନ୍ତି ।
ପ୍ରଥମ ଥର ପାଇଁ ଇତିହାସରେ ଏତେସଂଖ୍ୟକ ଓଡ଼ିଆ (୧୨ ଜଣ)ପଦ୍ମଶ୍ରୀ ପାଇପାରିଛନ୍ତି । ସେଥିରେ ୪ଜଣ ଓଡ଼ିଶା ବାହାରେ ରହୁଥିବା ପ୍ରତିଭାବାନ ଓଡ଼ିଆ ବ୍ୟକ୍ତି ରହିଛନ୍ତି ।
ବହୁ ବର୍ଷ ପୂର୍ବେ ଶ୍ରୀ ଆଚାର୍ଯ୍ୟଙ୍କ ପୂର୍ବପିଢ଼ି ରାଜାଙ୍କ ନିମନ୍ତ୍ରଣ ପାଇ ଷଢ଼େଇକଳା ଚାଲିଯାଇଥିଲେ । ସେଠାରେ ଏହି ଛଉ ନୃତ୍ୟର ପ୍ରଚାର, ପ୍ରସାର କରିଥିଲେ ।
୧୯୬୦ ମସିହାରେ ଷଢ଼େଇକଳାରେ ଏକ ପାରମ୍ପରିକ ନୃତ୍ୟ ଶିଳ୍ପୀ ପରିବାରରେ ଶ୍ରୀ ଆଚାର୍ଯ୍ୟଙ୍କ ଜନ୍ମ । ପ୍ରଥମେ ପିତା ଗୁରୁ ଲିଙ୍ଗରାଜ ଆଚାର୍ଯ୍ୟଙ୍କ ଠାରୁ ଏହି ନୃତ୍ୟକଳାକୁ ଆୟତ୍ତ କରିବା ପରେ ନୃତ୍ୟକୁ ପେସା ଭାବେ ଗ୍ରହଣ କରି ସେ ଦିଗରେ ଆଗେଇ ଚାଲିଲେ ।
ପରେ ନଟଶେଖର ବିବି ପଟ୍ଟନାୟକ, ସୁଧେନ୍ଦ୍ର ନାରାୟଣ ସିଂହଦେଓ, ବିକ୍ରମ କୁମ୍ଭକାର, କେଦାରନାଥ ସାହୁଙ୍କଠାରୁ ନୃତ୍ୟ ପ୍ରଶିକ୍ଷଣ ନେଲେ ।
୧୯୯୦-୯୩ ମସିହା ମଧ୍ୟରେ ଆଲୋକ ନିରଞ୍ଜନ ବିଶୋୟୀଙ୍କଠାରୁ ମୟୂରଭଞ୍ଜ ଛଉ ନୃତ୍ୟ ଓ ସୂରମୁଖୀଙ୍କଠାରୁ ଢୋଲ ବାଦ୍ୟ ପରିବେଷଣ ସମ୍ପର୍କରେ ତାଲିମ୍ ଗ୍ରହଣ କଲେ ।
ପରେ ସରକାରଙ୍କ ଷଢ଼େଇକଳା ଛଉ ନୃତ୍ୟ କେନ୍ଦ୍ରର ନିର୍ଦ୍ଦେଶକ ସହ ନ୍ୟାସନାଲ ସ୍କୁଲ୍ ଅଫ୍ ଡ୍ରାମା(ଏନଏସଡି) ସମେତ ବିଭିନ୍ନ ନାଟ୍ୟ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରି ପ୍ରଶଂସିତ ହୋଇଛନ୍ତି । ଦୀର୍ଘବର୍ଷ ଧରି ସେ ଏହି ପ୍ରଶିକ୍ଷଣ ଦେଇ ଆସୁଛନ୍ତି ।
ଜଣେ ଉଚ୍ଚକୋଟୀର ଶିଳ୍ପୀ ତଥା ଶିକ୍ଷକ ଭାବେ ବିଶ୍ୱବିଦିତ ଶ୍ରୀ ଆଚାର୍ଯ୍ୟ ଓଡ଼ିଶାର କୋଣାର୍କ ନୃତ୍ୟ ମହୋତ୍ସବ ସମେତ ବିଭିନ୍ନ ସ୍ଥାନରେ ସାଥୀ ଶିଳ୍ପୀଙ୍କୁ ନେଇ ଅତି ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରିଛନ୍ତି ।
ଛଉ ନୃତ୍ୟକୁ ନେଇ ସିସିଆରଟି ସହଯୋଗରେ ଫିଚର୍ ଫିଲ୍ମ ନିର୍ମାଣ କରିଛନ୍ତି । ଏଥିସହ ଆଧୁନିକ ଓ ପାରମ୍ପରିକ ନାଟକ ସମ୍ପର୍କରେ ବିଭିନ୍ନ ମଞ୍ଚ, ଅନୁଷ୍ଠାନରେ ଶିକ୍ଷା ପ୍ରଦାନ କରି ଆସୁଛନ୍ତି ।
ଯୁବପିଢ଼ିଙ୍କ ଭିତରେ ଛଉ ନୃତ୍ୟର କିପରି ଅଧିକରୁ ଅଧିକ ପ୍ରଚାର, ପ୍ରସାର ହୋଇପାରିବ ସେଥିପାଇଁ ଉଦ୍ୟମ ଜାରି ରଖିଛନ୍ତି । ନିଜର ଅବଦାନ ପାଇଁ ଶ୍ରୀ ଆଚାର୍ଯ୍ୟ ସାଧନାର ସ୍ୱୀକୃତି ସ୍ୱରୂପ ବହୁ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ଯେଉଁ ଗୁଡ଼ିକ ମଧ୍ୟରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ଅନ୍ୟତମ ।
ଲୋକାଲ ୱାୟାର
Leave a Reply