କେନ୍ଦ୍ରାପଡା, ଡିସେମ୍ବର ୧୨ (ଲୋକାଲ ୱାୟାର): କେନ୍ଦ୍ରାପଡ଼ା ଜିଲ୍ଲାର ଦିଲାରପୁର, ବଡ଼ହାଟ, ରଣପଡ଼ା, ଫକୀରାବାଦ, ଚଉଦକୁଲାଟ, ଦୋବନ୍ଧା, ତେଣ୍ଡାକୁଡ଼ା, ମାଧପୁର, ମହିପାଳ ଆଦି ଗାଁର ପ୍ରାୟ ୪ ହଜାର ବିଡ଼ି ଶ୍ରମିକଙ୍କ ପାଇଁ କରୋନା କାଳ ସାଜିଛି ।
ବିଡ଼ି ତିଆରି କରି ସେମାନେ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ଓ କଟକରେ ଥିବା ବିଡି କମ୍ପାନୀକୁ ଦେଇଥାନ୍ତି । ହେଲେ କରୋନା ଯୋଗୁଁ ୯ ମାସ ହେଲା କମ୍ପାନୀ କେନ୍ଦୁପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପଠାଉ ନଥିବାରୁ କାମ ବନ୍ଦ ରହିଛି ।
କରୋନା ଯୋଗୁଁ ବିଡି କମ୍ପାନୀଗୁଡ଼ିକ କେନ୍ଦୁପତ୍ର କିଣି ପାରିନାହାନ୍ତି ବୋଲି କହିଛନ୍ତି କେନ୍ଦ୍ରାପଡ଼ାର ବିଡ଼ି ବିକ୍ରେତା ସରାଫତ ଅଲ୍ଲି ।
୭ରୁ ୧୦ ଘଂଟା ବସି ୧ ହଜାର ବିଡି ତିଆରି କଲେ ଶହେ ଟଙ୍କା ମିଳେ ବୋଲି କହିଛନ୍ତି ଦିଲାରପୁର ଗାଁର ବିଡ଼ି ଶ୍ରମିକ ରୋଜି ବିବି ।
ଦୁଇ ଦଶନ୍ଧି ହେଲା ବିଡ଼ି ତିଆରି କରୁଛି । ହେଲେ ଏମିତି ପରିସ୍ଥିତି କେବେ ଦେଖିନଥିଲି ବୋଲି କହନ୍ତି ଦିଲାରପୁର ଗାଁର ସଂଖ୍ୟାଲଘୁ ସମ୍ପ୍ରଦାୟର ବିଡ଼ି ଶ୍ରମିକ ହସିନା ବିବି ।
ବିଡି କମ୍ପାନୀ ଶ୍ରମିକମାନଙ୍କୁ କେନ୍ଦୁପତ୍ର, ତମାଖୁ ଓ ଅନ୍ୟାନ୍ୟ ସାମଗ୍ରୀ ଦେଇଥାନ୍ତି । ଦିନସାରା ତମାଖୁ ସଂସ୍ପର୍ଶରେ ଆସି ଅଧିକାଂଶ ବିଡି ଶ୍ରମିକ ଶ୍ୱାସ, ଚର୍ମ, ଆସ୍ଥମା, ଟିବି, ଆଣ୍ଠୁ ସମସ୍ୟା ଆଦିରେ ପୀଡ଼ିତ ହେଉଛନ୍ତି ।
କରୋନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ୟାକେଜ ଘୋଷଣା କରିଥିଲେ ମଧ୍ୟ ବିଡ଼ି ଶ୍ରମିକଙ୍କୁ କୌଣସି ସହାୟତା ମିଳିନାହିଁ ବୋଲି କେନ୍ଦ୍ରାପଡ଼ା ଶ୍ରମିକ ନେତା ଜଗଜ୍ଜୀବନ ଦାସ କହିଛନ୍ତି ।
ବିଡ଼ି ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା ନାହିଁ । ବିଡି ଶ୍ରମିକ କଲ୍ୟାଣ ସେସ୍ ନିୟମ, ୧୯୭୬ ଅନୁଯାୟୀ ବିଡ଼ି ଶ୍ରମିକମାନେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଘର ତିଆରି ଋଣ ପାଇପାରିବେ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ମହେଶ୍ୱର ନାୟକ କହିଛନ୍ତି ।
ଲୋକାଲ ୱାୟାର
Leave a Reply