ବ୍ରହ୍ମପୁର, ମାର୍ଚ୍ଚ ୧୪ (ଲୋକାଲ ୱାୟାର): ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁରରେ ଶନିବାର ଠାରୁ ବୟସ୍କ ଓ ପକ୍ଷାଘାତଗ୍ରସ୍ତ ବ୍ୟକ୍ତିଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବା ଆଣିବା କରିବାକୁ ବ୍ୟାଟେରି ଯାନ ଚଳପ୍ରଚଳ ଆରମ୍ଭ ହୋଇଛି ।

ରୋଗୀମାନଙ୍କୁ ଏହି ସେବା ମାଗଣାରେ ମିଳିବ ।

ଦିନରାତି ସବୁବେଳେ ଏହା ଉପଲବ୍ଧ ହେବ ବୋଲି ଡାକ୍ତରଖାନା ଅଧୀକ୍ଷକ ସନ୍ତୋଷ କୁମାର ମିଶ୍ର କହିଛନ୍ତି ।

ପୂର୍ବରୁ ଆଟେଣ୍ଡାଣ୍ଟ ଓ ଡାକ୍ତରଖାନା କର୍ମଚାରୀମାନେ ରୋଗୀଙ୍କୁ ଷ୍ଟ୍ରେଚରରେ ନେବା ଆଣିବା କରୁଥିଲେ ।

ତେବେ ବର୍ଷା ହେଲେ ସେମାନେ ଅସୁବିଧା ଭୋଗୁଥିଲେ । ଡାକ୍ତରଖାନା ପକ୍ଷରୁ ଭୁବନେଶ୍ୱରର ଏକ ସଂସ୍ଥାକୁ ଏହି ସେବା ପ୍ରଦାନ ପାଇଁ ନିଯୁକ୍ତ କରାଯାଇଛି ।

ପ୍ରତ୍ୟେକ ବ୍ୟାଟେରି ଚାଳିତ ଯାନ ପାଇଁ ମେଡିକାଲ କଲେଜ ମାସକୁ ୧.୨୦ ଲକ୍ଷ ଟଙ୍କା ପ୍ରଦାନ କରିବ ।

ପ୍ରତି ଯାନରେ ଜଣେ ଡ୍ରାଇଭର ଓ ଦୁଇ ଜଣ ସହାୟକ ରହିବେ । ସେମାନେ ସିଫ୍ଟରେ କାମ କରିବେ ବୋଲି ବ୍ୟାଟେରି ଚାଳିତ ସଂସ୍ଥାର ଭାରପ୍ରାପ୍ତ ଅଧିକାରୀ ସଞ୍ଜୀବ ଦାସ କହିଛନ୍ତି ।

ଲୋକାଲ ୱାୟାର