ଭୁବନେଶ୍ୱର, ଜାନୁଆରୀ ୨୮(ଲୋକାଲ ୱାୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଲୋକସେବା ଭବନରେ ଭର୍ଚୁଆଲ ପୁଲିସ ଷ୍ଟେସନର ଉଦଘାଟନ କରିଛନ୍ତି । ଏହାଦ୍ୱାରା ଏଣିକି ଗାଡ଼ି ଚୋରି ହେଲେ ଲୋକମାନେ ଅନଲାଇନରେ ଏତଲା ଦାଖଲ କରିପାରିବେ ।
୫-ଟି ସଂସ୍କାର ପଦକ୍ଷେପରେ ରାଜ୍ୟ ସରକାର ତିନୋଟି ସ୍କଂସ୍କାରମୂଳକ କାର୍ଯ୍ୟକ୍ରମ (ଭର୍ଚୁଆଲ ପୁଲିସ ଷ୍ଟେସନ, ରୋଡ ଆକ୍ସିଡେଣ୍ଟ କେସ ଡକ୍ୟୁମେଣ୍ଟସ୍ ମଡ୍ୟୁଲ ଏବଂ ମେଡିକୋ ଲିଗାଲ ଓପନିଅନ ସିଷ୍ଟମ) ଆରମ୍ଭ କରିଛନ୍ତି ।
ନୂତନ ଯୋଜନାନୁସାରେ ଭର୍ଚୁଆଲ ପୁଲିସ ଷ୍ଟେସନ ଅନଲାଇନରେ କାମ କରିବ ।
ରାଜ୍ୟ କ୍ରାଇମ ରେକର୍ଡସ ବ୍ୟୁରୋ କ୍ୟାମ୍ପସ ପରିସରରେ ଏହା ସେବା ଦେବ । ଗାଡ଼ି ଚୋରି ହେଲେ ଲୋକମାନେ ଥାନାକୁ ନଯାଇ ସିଟିଜେନସ ପୋର୍ଟାଲ କିମ୍ବା ସହାୟତା ମୋବାଇଲ ଆପରେ ଏତଲା ଦେଇପାରିବେ ।
୨୧ ଦିନ ମଧ୍ୟରେ ଚୋର ଧରା ନପଡ଼ିଲେ ଏହା ସିସିଟିଏନଏସରେ ରେକର୍ଡ ହେବ । ଏହାଦ୍ୱାରା ବୀମା ରାଶି ପାଇବା ଲୋକଙ୍କ ପାଇଁ ସହଜ ହୋଇପାରିବ ।
ରୋଡ ଆକ୍ସିଡେଣ୍ଟ କେସ୍ ଡକ୍ୟୁମେଣ୍ଟସ ମୋଡ୍ୟୁଲରେ ବୀମା କମ୍ପାନି ଏତଲା, ଚୂଡ଼ାନ୍ତ ଫର୍ମ, ଏମଭିଆଇ ରିପୋର୍ଟ ପାଇ ବୀମା ରାଶି ଶୀଘ୍ର ଦେଇପାରିବେ ।
ମେଡିକୋ ଲିଗାଲ ଓପନିଅନ୍ ସିଷ୍ଟମରେ ପୁଲିସ ଅନଲାଇନରେ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପାଇଁ ସୁପାରିଶ କରିବା ସହ ରିପୋର୍ଟ ମଧ୍ୟ ଅନଲାଇନରେ ପାଇବାର ସୁବିଧା ରହିବ ବୋଲି ଶୁଭାରମ୍ଭ କାର୍ଯ୍ୟକ୍ରମ ପରେ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଲୋକାଲ ୱାୟାର
Leave a Reply