ବଲାଙ୍ଗିର, ଅଗଷ୍ଟ ୨୩(ଲୋକାଲ ୱାୟାର: ପ୍ରତିବର୍ଷ ଗଣେଶ ଚତୁର୍ଥୀ ପରଦିନ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପାଳିତ ହୁଏ । ଲୋକମାନଙ୍କ ମଧ୍ୟରେ ଭାଇଚାରା ସୁଦୃଢ଼ କରିବା ଏହି କୃଷିଭିତ୍ତିକ ଗଣପର୍ବ ପାଳନର ଉଦ୍ଦେଶ୍ଯ ।
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଭାଦ୍ରବ ମାସରେ ଋଷି ପଞ୍ଚମୀ (ଗଣେଶ ଚତୁର୍ଥୀ ପରଦିନ)ରେ ଅମଳ ହୋଇଥିବା ଚାଉଳ ଦେବଦେବୀଙ୍କୁ ଅର୍ପଣ କରିବା ପରେ ଲୋକେ ଖାଇଥାନ୍ତି ।
ଅକ୍ଷୟ ତୃତୀୟାରେ ଅନୁକୂଳ ହୋଇଥିବା ସରିଆଁ ପ୍ରଜାତି ଧାନ ଅମଳ କରାଯାଇ ନବାନ୍ନ ଲାଗିହୁଏ ।
ପଶ୍ଚିମ ଓଡ଼ିଶାର ଚାଷୀମାନେ ଶହ ଶହ ବର୍ଷ ଧରି ଅମଳ ହୋଇଥିବା ଧାନକୁ ପ୍ରଥମେ ସ୍ଥାନୀୟ ଦେବଦେବୀଙ୍କୁ ଅର୍ପଣ କରିଥାନ୍ତି । ଏପରି କଲେ ଧରିତ୍ରୀ ମାତାଙ୍କ ଆଶୀର୍ବାଦ ମିଳେ ଓ ବର୍ଷ ସାରା ଭଲରେ କଟେ ବୋଲି ବିଶ୍ୱାସ ରହିଛି ।
ବିଗତ କିଛି ବର୍ଷ ହେଲା ପଣ୍ଡିତମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦିନରେ ନୂଆଁଖାଇ ପାଳିତ ହେଉଛି
ସମ୍ବଲପୁରରେ ମା’ ସମଲେଶ୍ୱରୀ, ବଲାଙ୍ଗୀରରେ ମା’ ପାଟଣେଶ୍ୱରୀ ଓ ସମଲେଶ୍ୱରୀ ଓ ସୋନପୁରରେ ମା’ ସୁରେଶ୍ୱରୀଙ୍କୁ ଏହି ପବିତ୍ର ଦିବସରେ ପୂଜାର୍ଚ୍ଚନା କରା ଯାଇଥାଏ ।
ଏହି ପର୍ବ ପାଇଁ ପଶ୍ଚିମ ଓଡିଶାର ଲୋକେ ୧୫ ଦିନ ଆଗରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥାନ୍ତି ।
ନୂଆଁଖାଇ ନଅଟି ରଙ୍ଗର ପ୍ରତୀକ ବୋଲି ବିଶ୍ୱାସ କରାଯାଏ ଓ ସେଥିପାଇଁ ନୂଆଁଖାଇ ପାଳନ ହେବା ପୂର୍ବରୁ ୯ ପ୍ରକାର ରୀତିନୀତି ପାଳିତ ହୁଏ । ଏହି ୯ଟି ରଙ୍ଗ ହେଲା ବେହେରେନ (ଲଗ୍ନ ସ୍ଥିର ପାଇଁ ବୈଠକ ଘୋଷଣା), ଲଗ୍ନ ଦେଖା (ନୂଆ ଅନ୍ନ ଭକ୍ଷଣ ପାଇଁ ନିର୍ଦ୍ଦିଷ୍ଟ ତିଥି), ଡକାହକା (ନିମନ୍ତ୍ରଣ), ସଫାସୁତୁରା ଓ ଲିପାପୋଛା (ସଫେଇ), ଘିନାବିକା (କିଣାକିଣି), ନୂଆଧାନ ଖୁଜା ( ନୂଆ ଧାନ ଖୋଜିବା), ବଳି ପକା ( ନୂଆଁଖାଇ ଲଗ୍ନ ପାଇଁ ସଂକଳ୍ପ), ନୂଆଁଖାଇ (ନୂଆ ଧାନ ପ୍ରଥମେ ଦେବଦେବୀଙ୍କୁ ଅର୍ପଣ କରି ନାଚିଗାଇ ଲୋକେ ଖାଇବା), ଜୁହାର ଭେଟ (ବଡମାନଙ୍କୁ ପ୍ରଣାମ) ।
ଗ୍ରାମାଚଂଳର ଲୋକେ ସମ୍ପର୍କୀୟଙ୍କ ଘରକୁ ଚାଉଳ, ପନିପରିବା, ଡାଲି ଓ ଅନ୍ୟ ଆବଶ୍ୟକୀୟ ସାମଗ୍ରୀଗୁଡିକୁ ଭାର ପଠାଇଥାନ୍ତି । ଏହାକୁ ନୂଆଁଖାଇ ଭାର କୁହାଯାଏ ।
ନବାନ୍ନ ଖାଇବା ପରେ ପାରମ୍ପରିକ ଅଭିବାଦନ ପ୍ରକ୍ରିୟା ଜୁହାର ଭେଟଘାଟ ପାଳିତ ହୁଏ । କନିଷ୍ଠମାନେ ବରିଷ୍ଠମାନଙ୍କୁ ପ୍ରଣାମ (ଜୁହାର) କରନ୍ତି ଓ ବଡ଼ମାନେ ସେମାନଙ୍କୁ ଆଶୀର୍ବାଦ କରନ୍ତି ।
ପଶ୍ଚିମ ଓଡ଼ିଶାରେ ଭ୍ରାତୃଭାବର ନିଆରା ପରମ୍ପରାର ପ୍ରତୀକ ଜୁହାର ଭେଟଘାଟ । ଲୋକଙ୍କୁ ଏହା ଏକତା ସୂତ୍ରରେ ବାନ୍ଧି ରଖିଥାଏ । ନୂଆଁଖାଇ ଅବସରରେ ଲୋକେ ଉତ୍ସାହ ଉଦ୍ଦୀପନାର ସ୍ଥାନୀୟ ଖେଳ ଖେଳିଥାନ୍ତି ।
ପଶ୍ଚିମ ଓଡିଶାର ପ୍ରବାସୀ ସଙ୍କଟ
ଆକର୍ଷଣୀୟ ପାରମ୍ପରିକ ସଂସ୍କୃତିର ନିଦର୍ଶନ ଭାବେ ପାଳିତ ହେଉଥିବା ନୂଆଁଖାଇ ପ୍ରବାସୀ ସଙ୍କଟକୁ ପ୍ରଦର୍ଶିତ କରିଥାଏ । ତାମିଲନାଡୁ, କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଲୋକେ କାମଧନ୍ଦା ଅନ୍ୱେଷଣରେ ଯାଇଥାନ୍ତି ।
ଚଳିତ ବର୍ଷ କୋଭିଡ-୧୯ ମହାମାରୀ ଯୋଗୁଁ ପ୍ରବାସୀମାନେ ଘରକୁ ଫେରିଛନ୍ତି । ସରକାର ଏମଜିଏନଆରଇଜିଏ ଭଳି ଯୋଜନା ମାଧ୍ୟମରେ ଲୋକଙ୍କୁ ଜୀବିକା ଦେବାକୁ ଉଦ୍ୟମ କରୁଛନ୍ତି ।
ତଥାପି ଦଲାଲମାନେ ସକ୍ରିୟ ହୋଇ ଲୋକଙ୍କୁ ପୁଣିଥରେ ଦାଦନ ଖଟିବା ପାଇଁ ଅଗ୍ରୀମ ଅର୍ଥ ଦେଉଛନ୍ତି । ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଗାଡ଼ିକୁ ପୁଲିସ ଜବତ କରିଛି ।
କୋଭିଡ-୧୯
କୋଭିଡ- ୧୯ ଯୋଗୁଁ ଚଳିତ ବର୍ଷ ନୂଆଁଖାଇ ଉତ୍ସବ ପାଳନରେ ଭଟ୍ଟା ପଡିଯାଇଛି । ଲୋକେ ନିଜ ନିଜ ଘରେ ନୂଆଁଖାଇ ପାଳୁଛନ୍ତି ।
ଏକ ଘର ଭଙ୍ଗା ମାମଲାରେ ଦୁଇ ଜଣଙ୍କ ଗିରଫ ପ୍ରତିବାଦରେ ସାଲେଭଟ୍ଟା ଗାଁ ଲୋକେ ଚଳିତ ବର୍ଷ ନୂଆଁଖାଇ ପାଳନ କରୁନାହାନ୍ତି ।
ପାରମ୍ପରିକ ଧାନ ଚାଷ ଓ ଜଳବାୟୁ ପରିବର୍ତ୍ତନ ସହ ଲଢ଼େଇ
ସ୍ଥାନୀୟ ଦେବଦେବୀଙ୍କୁ ନୂଆଁଖାଇ ଅବସରରେ ନୂଆ ଅମଳ ହୋଇଥିବା ଚାଉଳ ଅର୍ପଣ କରାଯାଇଥାଏ । ପୂର୍ବରୁ ଲୋକେ ପାରମ୍ପରିକ ବିହନ ବ୍ୟବହାର କରୁଥିଲେ ।
ନୂତନ ପ୍ରଜାତିର ଅଧିକ ଉତ୍ପାଦନକ୍ଷମ ଓ ହାଇବ୍ରିଡ ବିହନ ଓ ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଯୋଗୁଁ ଅମଳ ବଢିଛି । ହେଲେ ଏଥିପାଇଁ ପ୍ରଦୂଷଣ, କୀଟ ଓ ରୋଗ ବଢ଼ିଛି । ପରିବେଶ ଉପରେ ଏହା କୁପ୍ରଭାବ ପକାଇଛି ।
ଜଳବାୟୁ ପରିବର୍ତ୍ତନ ସହିତ ଲଢ଼େଇ କରିବା ପାଇଁ ଜୈବିକ ଚାଷକୁ ଗୁରୁତ୍ୱ ଦେବା ସହ ପାରମ୍ପରିକ ବିହନ ବ୍ୟବହାର କରି ପୋଷଣଯୁକ୍ତ ଖାଦ୍ୟ ଖାଇ ସୁସ୍ଥ ରହିବା ଉଚିତ ବୋଲି ଜୈବିକ ଚାଷୀ କାଠପାଲି ଗାଁର ସୁଦାମ ସାହୁ କହିଛନ୍ତି ।
ଲୋକାଲ ୱାୟାର
Leave a Reply