ଭୁବନେଶ୍ୱର, ଅକ୍ଟୋବର ୧୫(ଲୋକାଲ ୱାୟାର): ଯେତେବେଳେ କାମ ହିଁ ତା’ର ପରିଚୟ ତିଆରି କରେ ସେତେବେଳେ ଜଣେ କଳାକାର ଲୋକପ୍ରିୟ ହୁଏ ।

ଏମିତି ଜଣେ କଳାକାର ହେଲେ ଓଡ଼ିଶାର ସୁଦର୍ଶନ ସାହୁ । ଯାହାଙ୍କ ସୃଜନଶୀଳତାରେ ରୂପ ପାଇଛି ଓଡ଼ିଶା ବନ୍ୟଜନ୍ତୁ ମାନଚିତ୍ର ।

ପଟ୍ଟଚିତ୍ରର ଧାରାରେ ଓଡ଼ିଶାର ବନ୍ୟଜନ୍ତୁଙ୍କ ସ୍ଥାନିତ କରିଥିବା ଭିଜୁଆଲ୍ ଆର୍ଟିଷ୍ଟ ସୁଦର୍ଶନ ନିଜର ଇନଷ୍ଟାଗ୍ରାମ୍ ପେଜରେ ଏ ସମ୍ପର୍କିତ ଚିତ୍ର ପୋଷ୍ଟ କରିଥିଲେ ।

ଯାହାକି ରାତାରାତି ଭାଇରାଲ୍ ହେବା ସହ ଅନେକ ବନ୍ୟଜନ୍ତୁପ୍ରେମୀ, ଗବେଷକ, ଫଟୋଗ୍ରାଫର, ବନ୍ୟଜନ୍ତୁ ସଂରକ୍ଷକ ଓ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି ।

ସୁଦର୍ଶନଙ୍କ ଏହି ସୃଜନ ସୃଷ୍ଟିରେ ଏସୀୟ ହାତୀ, ଭାରତୀୟ ପଙ୍ଗୋଲିନ୍, ବେଙ୍ଗଲ ଟାଇଗର, ଇରାୱାଡି ଡଲଫିନ୍, ସ୍ପଟେଡ ଡିୟର୍, ଫିସିଂ କ୍ୟାଟ୍ ଆଦି ସ୍ଥାନ ପାଇଥିବା ବେଳେ ଏହାର ଅନ୍ୟ ଦିଗରେ ଓଡ଼ିଶାର ଆଦିବାସୀ ତଥା ବନ୍ୟଜନ୍ତୁ ହଟସ୍ପଟ୍ ସ୍ଥାନ ମାନଙ୍କ ବାବଦରେ ସୂଚନା ଦିଆଯାଇଛି ।

ଏ ବାବଦରେ ସୁଦର୍ଶନ କହନ୍ତି ଯେତେବେଳେ କୌଣସି ଜିନିଷକୁ ମୁଁ ଚିନ୍ତାକରେ ଓ ଏହାକୁ ରୂପ ଦେବାକୁ ଚେଷ୍ଟା କରେ ସେତେବେଳେ ମୁଁ ଘଣ୍ଟା ଘଣ୍ଟା ଧରି ମାନସ ମନ୍ଥନ କରେ ।

ମୁଁ ବାସ୍ତବିକ ଏଥିରେ ନିଜକୁ ଓ ନିଜର ଆବେଗକୁ ଭରିବାକୁ ଚେଷ୍ଟା କରେ । ଏମିତି କିଛି ଭାବେ ଯେଉଁଥିରେ ମୋର ଜନ୍ମ ମାଟି, ମୋ ମାଟିର ମହକ, ମୁଁ ବଞ୍ଚୁଥିବା ଜୀବନ ରହିଥିବ । ଆଙ୍କିଲାବେଳେ ଭାବେ ଯେ ଏମିତି କିଛି କରିବି ଯାହାକି ମୋତେ ମୋ ଘରକୁ ଫେରିଯିବାକୁ ବାଧ୍ୟ କରିବ, ମୋ ମାଟିକୁ ଦେଖିବାକୁ ଆକୁଳ କରାଇବ ।

ସେ କହନ୍ତି ମୁଁ ପୁରୁଣା ଭୁବନେଶ୍ୱର ଅଞ୍ଚଳର । ପିଲାବେଳୁ ମନ୍ଦିର ମାଳିନୀ ସହରରେ ବଢ଼ିଛି ।

ଯେତେବେଳେ ଆଖି ଖୋଲି ଦେଖିଛି ସେତେବେଳୁ କାରୁକାର୍ଯ୍ୟ, ପଥର ଖୋଦିତ ମୂର୍ତ୍ତି ସବୁ ମୋତେ ଆମୋଦିତ କରିଛି ।

ଆଉ ମୁଁ ଅଧିକାଂଶ ସମୟରେ ବୁଲିବା ପାଇଁ ପଶ୍ଚିମବଙ୍ଗର କୋଲକାତା ସହର ଯାଇଛି ।

ସେଠାକାର ଉତ୍ସବ ମୁଖରିତ ରାସ୍ତା ଓ ଅଧାଗଢ଼ା ମା’ଙ୍କ ମୂର୍ତ୍ତି ସବୁବେଳେ ମୋତେ ଅନ୍ୟମନସ୍କ କରାଏ ।

ମୋ ଜନ୍ମ ମାଟି ଓଡିଶା ଓ ମୁଁ ଦେଖିଥିବା କଲିକତା ସହରର ଛାପ ମୋ ଚିତ୍ରରେ ସ୍ପଷ୍ଟ ବାରିହୋଇ ପଡେ ।

ଜଣେ କଳାକାର ଭାବେ ମୁଁ ଏହି ଦୁଇ ସହରର ଭିଜୁଆଲ ଆର୍ଟ ବା ଭିଜୁଆଲ ଭାଷାକୁ ମୋ ଚିତ୍ରରେ ପରିସ୍ପୁଟ କରିବାର ପ୍ରୟାସ କରିିଛି ।

କଲିକତାର ସୌନ୍ଦର୍ଯ୍ୟ ଓ ମୋ ସହର ଓ ମୋ ମାଟିର ପାରମ୍ପରିକତା ଓ ମୂଳତା ମୋ ଚିତ୍ରରେ ଅତି ସ୍ପଷ୍ଟ ଭାବେ ଜୀବନ୍ତ ବୋଲି ଜଣେ କହିପାରିବ ।

ଦିଲ୍ଲୀ ସ୍ଥିତ ଏନଆଇଏଫଟିରୁ କମୁ୍ୟନିକେସନ୍ ଡିଜାଇନରେ ଶିକ୍ଷା ଗ୍ରହଣ କରିବା ପରେ ନିଜର ଶେଷବର୍ଷ ସ୍ନାତକୋତ୍ତର ପରୀକ୍ଷା ପାଇଁ ଆବଶ୍ୟକ ପ୍ରେଜେକ୍ଟ ତାଙ୍କ ଜୀବନର ମୋଡ଼ ବଦଳାଇଦେଲା ।

ସୁଦର୍ଶନ କହନ୍ତି ଏହି ପ୍ରୋଜେକ୍ଟରେ ମୋର ବିଷୟ ଥିଲା ୱାଇଲ୍ଡ ଲାଇଫ୍ କଞ୍ଜରଭେସନ୍ ଥ୍ରୋ ଦ ମିଡିୟମ୍ ଅଫ ଆର୍ଟ ଅର୍ଥାତ କଳା ମାଧ୍ୟମରେ ବନ୍ୟଜନ୍ତୁ ସଂରକ୍ଷଣ ।

ସେବେଠାରୁ ମୁଁ ନିୟମିତ ବ୍ୟବଧାନରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଓ ଓଡ଼ିଶା ବାହାରର ବିଭିନ୍ନ ସ୍ଥାନ ବୁଲିବାରେ ଲାଗିଲି ।

ମୋ ଭିତରେ ଲୁଚି ରହିଥିବା ଅନୁସନ୍ଧିତ୍ସୁ ପିଲାଟିକୁ ମୁଁ ନିଜେ ଆବିଷ୍କାର କଲି ଓ ସବୁ ସ୍ଥାନରେ ମୁଁ ମୋ ଚିତ୍ର ବା ମୋ ସୃଜନଶୀଳତା ପାଇଁ ଉପାଦାନମାନ ଖୋଜିବାରେ ଲାଗିଲି ।

ମୋ ଚିତ୍ର ପାଇଁ ଉପାଦାନ ସବୁକୁ ବେଳେ ବେଳେ ମୁଁ ଜଙ୍ଗଲ ରାସ୍ତାର ଚଟାଣରେ ପାଇଛି ତ ଆଉ କେତେବେଳେ ଆଦିବାସୀ ଘରର କାନ୍ଥରେ ଅଙ୍କାଯାଇଥିବା ଚିତ୍ର ଭିତରେ ପାଇଛି ।

ବାଡ଼ି ବଗିଚା, କାଦୁଅ, ଚଟାଣ, ପଶୁ, ପକ୍ଷୀ, ବାଲି ସବୁଥିରେ ମୁଁ ମୋ ସୃଜନଶୀଳତା ପାଇଁ ଉପାଦାନ ଖୋଜିଛି ଆଉ ପାଇଛି ମଧ୍ୟ ।

ଯେତେବେଳେ ଧୀରେ ଧୀରେ ମୋ ଭିତରେ ଏସବୁ ପ୍ରବୃତ୍ତି ବଢ଼ିବାରେ ଲାଗିଲା ସେତେବେଳେ ମୁଁ ଗୁଡଗାଓଁରେ ପାଇଥିବା ଚାକିରି ଛାଡିଦେଲି ।

ଆଉ ଏବେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ସରକାରଙ୍କ ଜଙ୍ଗଲ ବିଭାଗ ସହ ମିଶି ଫ୍ରି-ଲାନ୍ସର ଭାବେ ବିଭିନ୍ନ ପ୍ରକଳ୍ପରେ କାମ କରୁଛି ।

ସୁଦର୍ଶନ କହନ୍ତି ନିକଟରେ ମୁଁ ଏକ କାଦୁଅ ଚିତ୍ରକଳା ଉପରେ କାମ କରୁଛି । ମୁଁ ବିଭିନ୍ନ କାଦୁଅକୁ ନେଇ ରଙ୍ଗ ସହ ଏହାକୁ ବୋଲି ଏକ ଫିସିକ୍ୟାଟ୍ ର ପୋର୍ଟରେଟ ତିଆରି କରିଛି ।

ଏହି ଚିତ୍ରକଳାର କୌଶଳ ମୁଁ ରନ୍ଥାମ୍ଭୋରର ଆଦିବାସୀମାନଙ୍କ ପାଖରୁ ଶିଖିଛି । ସେ କହନ୍ତି ବନ୍ୟଜନ୍ତୁ ସଂରକ୍ଷଣ ହେଉଛି ଏକ କଳା । ବାସ୍ତବିକ ସଂରକ୍ଷଣ ବୋଲି କୌଣସି ଶବ୍ଦ ମୋ ଶବ୍ଦ କୋଷରେ ନାହିଁ ।

ମୋ ମତରେ ଯେତେବେଳେ ବନ୍ୟଜନ୍ତୁ ଓ ପ୍ରକୃତିକୁ ତୁମେ ଭଲ ପାଇବା ଆରମ୍ଭ କରିବ ସେତେବେଳେ ତୁମେ ତାକୁ ବୁଝିବା ଆରମ୍ଭ କରିବ ।

ଆଉ ଯେତେବେଳେ ତୁମେ ତାକୁ ବୁଝିବା ଆରମ୍ଭ କରିବ ତୁମେ ତାକୁ ସମ୍ମାନ ଦେବା ଆରମ୍ଭ କରିବ । ଆଉ ଏହା ଧୀରେ ଧୀରେ ସଂରକ୍ଷଣ ଆଡ଼କୁ ଗତି କରିବ ।

ନିକଟରେ ସୁଦର୍ଶନ ମାଇଁ ପିକଚର୍ ଅଫ୍ ଡିଭାଇନିଟି ନାମରେ ଏକ ସିରିଜ୍ ଚିତ୍ର କରିବା ଆରମ୍ଭ କରିଛନ୍ତି ।

ଏ ବାବଦରେ ସେ କହନ୍ତି ପୂର୍ବ ସମୟରେ ଆଦିବାସୀ ଦେବତାମାନଙ୍କୁ ପ୍ରକୃତିର ଉପାସକ ଭାବେ ପୂଜା କରାଯାଉଥିଲା ।

ବର୍ତ୍ତମାନ ସେସବୁର ସଂଜ୍ଞା ବଦଳି ଯାଇଛି । ମାଇଁ ପିକଚର୍ ଅଫ୍ ଡିଭାଇନିଟି ଦ୍ୱାରା ମୁଁ ସେହିସବୁକୁ ପୁନରୁତ୍ଥାନ କରିବାକୁ ଚେଷ୍ଟା କରିଛି ।

ସେସବୁ ଚିତ୍ର ବନ୍ୟପ୍ରାଣୀରୁ ଅନୁପ୍ରାଣୀତ ହୋଇଛି । ଏଥିରେ ବାଘ-ଜଙ୍ଗଲ, ବେଙ୍ଗ-ବର୍ଷା, ସାପ-ପୃଥିବୀ ଭଳି ସାତୋଟି ବନ୍ୟପ୍ରାଣୀକୁ ସାତଟି ଉପାଦାନ ସହ ଯୋଡ଼ାଯାଇ ପ୍ରସ୍ତୁତ କରାଯାଇଛି । ଯାହାକି ୧ ଓ ୨ ଭାଗରେ ଦର୍ଶକଙ୍କ ଆଗକୁ ଆସିବ ।

ଲୋକାଲ ୱାୟାର