କଟକ, ଜାନୁୟାରୀ ୭ (ଲୋକାଲ ୱାୟାର) ନିଜ ଭିଣୋଇକୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗରେ ଶାଳକ ବସନ୍ତ ଗୁରୁ ଓରଫ ମୁନ୍ନା(୩୦)କୁ ଏହି ହତ୍ୟାକାଣ୍ଡର ଦୀର୍ଘ ୮ମାସ ପରେ ପୋଲିସ ଗିରଫ କରିଛି।

ମୁନ୍ନା ନିଜ ଭିଣୋଇକୁ କଇଁଚି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ତୁଳସୀପୁର ମଠସାହି ହାତୀଗଡାର ମୁନ୍ନାକୁ ଗିରଫ କରି ବିଡାନାସୀ ଥାନା ପୋଲିସ ତା ନିକଟରୁ ହତ୍ୟାରେ ବ୍ୟବହୃତ କଇଁଚିକୁ ଜବତ କରିଛି।

ଅଭିଯୁକ୍ତ ବସନ୍ତ ହାତୀଗଡା ଅଞ୍ଚଳରେ ଏକ ସରକାରୀ ଜମି ଜବର ଦଖଲ କରି ସେଠାରେ ଘର କରି ରହୁଛି। ସାଥିରେ ତାର ଦୁଇ ଭିଣୋଇ ବୁଲୁ ବିଶ୍ୱାଳ ଓ ସେକ. ରାଜା ରହୁଥିଲେ। ବସନ୍ତ ଘର ପାଖରେ ଆଉ ଏକ ସରକାରୀ ଜମିକୁ ସେ ଜବର ଦଖଲ କରିଥିଲା। ଏହି ଜବର ଦଖଲ ଜମିକୁ ନେଇ ଶଳା ବସନ୍ତ ଓ ଭିଣୋଇ ବୁଲୁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ବିବାଦ ବଢିବାରୁ ବସନ୍ତ ତାର ଦୁଇ ଭିଣୋଇଙ୍କୁ ଅନ୍ୟତ୍ର ରହିବାକୁ କହିଥିଲା।

ବସନ୍ତ କଥାରେ ଉଭୟ ଘର ଛାଡି ଅନ୍ୟତ୍ର ରହୁଥିବା ବେଳେ ବୁଲୁ ଏଥିରେ ରାଜି ହୋଇନଥିଲା। ଫଳରେ ବୁଲୁ ଓ ବସନ୍ତ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବସନ୍ତ ୨୦୧୮ ଏପ୍ରିଲ ୨୩ ତାରିଖ ଦିନ ବୁଲୁ ଛାତିରେ ଏକ ଧାରୁଆ କଇଁଚି ଭୁସି ଦେଇଥିଲା।

ଫଳରେ କଇଁଚି ସିଧା ବୁଲୁର ହୃତପିଣ୍ଡରେ ବାଜିବାରୁ ଘଟଣା ସ୍ଥଳରେ ହିଁ ବୁଲୁର ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ପରେ ବସନ୍ତ ଫେରାର ହୋଇ କୋଲକାତା ପଳାଇଥିଲା। ବସନ୍ତକୁ ରବିବାର ଦିନ ବିଡାନାସୀ ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ଲୋକାଲ ୱାୟାର