କେନ୍ଦ୍ରାପଡା, ଜାନୁଆରୀ ୧ (ଲୋକାଲ ୱାୟାର): ଭିତରକନିକା ଅନ୍ତର୍ଗତ ପରମାନନ୍ଦ ଗାଁ ନିକଟ ବ୍ରାହ୍ମଣୀ ନଦୀରୁ ଏକ ୧୦ ଫୁଟ ଲମ୍ବର କୁମ୍ଭୀରର ମୃତ ଦେହ ଉଦ୍ଧାର ହୋଇଛି ।
ମାଛଧରା ଜାଲରେ ଛନ୍ଦି ହୋଇ କିମ୍ବା ଅନ୍ୟ କୁମ୍ଭୀର ସହ ଲଢ଼େଇ କରି କୁମ୍ଭୀରଟିର ମୃତ୍ଯୁ ହୋଇଛି ବୋଲି ଭିତରକନିକା ଡିଏଫଓ ବିକାଶ ରଞ୍ଜନ ଦାଶ କହିଛନ୍ତି ।
ବାରମ୍ବାର କୁମ୍ଭୀର ମୃତ୍ଯୁ ଘଟଣା କୁମ୍ଭୀର ସଂରକ୍ଷଣ କ୍ଷେତ୍ରରେ ଥିବା ଦୋଷତ୍ରୁଟିକୁ ଦର୍ଶାଉଛି ।
ସଂରକ୍ଷିତ ଅଞ୍ଚଳରେ ବେଆଇନ ମାଛ ଧରା ଯୋଗୁଁ ଏପରି ଘଟଣା ଘଟୁଛି ବୋଲି ପରିବେଶବିତ ତଥା ଗହୀରମଥା ସାମୁଦ୍ରିକ କଇଁଚ ଓ ହେନ୍ତାଳ ବନ ସୁରକ୍ଷା ସମିତିର ସମ୍ପାଦକ ହେମନ୍ତ ରାଉତ କହିଛନ୍ତି ।
୧୯୭୫ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ୟୁଏନଡିପି ସହାୟତାରେ ଭିତରକନିକାର ଡାଙ୍ଗମାଳରେ କୁମ୍ଭୀର ପ୍ରଜନନ କେନ୍ଦ୍ର ଆରମ୍ଭ କରିଥିଲେ ।
୩୪ଟି ସ୍ଥାନରେ କୁମ୍ଭୀର ପ୍ରଜନନ ଆରମ୍ଭ ହୋଇଥିଲେ ମଧ୍ୟ ଡାଙ୍ଗମାଳ ପ୍ରକଳ୍ପ ବେଶ ସଫଳ ହୋଇଥିଲା । ତେବେ ବନ ବିଭାଗ ୨୦୧୨ରେ କୁମ୍ଭୀର ପ୍ରଜନନ ବନ୍ଦ କରି ଦେଇଥିଲା ।
ପ୍ରାକୃତିକ ପରିବେଶରେ ପାଞ୍ଚଟି କୁମ୍ଭୀର ଛୁଆଙ୍କ ମଧ୍ୟରୁ ଗୋଟିଏ ପ୍ରାପ୍ତ ବୟସ୍କ ହେବାରେ ସକ୍ଷମ ହୋଇଥାଏ । ତେଣୁ କୁମ୍ଭୀରଙ୍କ ଅପ୍ରାକୃତିକ ମୃତ୍ଯୁ ଚିନ୍ତିତ କରୁଛି ବୋଲି କୁମ୍ଭୀର ବିଶେଷଜ୍ଞ ଡଃ ସୁଧାକର କର କହିଛନ୍ତି ।
ଲୋକାଲ ୱାୟାର
Leave a Reply