କେନ୍ଦ୍ରାପଡ଼ା, ଜାନୁଆରୀ ୨୦ (ଲୋକାଲ ୱାୟାର): ଭିତରକନିକା ଜାତୀୟ ଉଦ୍ୟାନ ଆଖପାଖରେ ଥିବା ଗାଁଗୁଡ଼ିକରେ ମଣିଷ-ବାରହା ଲଢେଇ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି ।
ପରିବା ଓ ଫସଲ ଖାଇବା ପାଇଁ ବାରହାଗୁଡିକ ଆଖପାଖ ଗାଁକୁ ଚାଲି ଆସୁଥିବାରୁ ଗ୍ରାମବାସୀଙ୍କ ସହ ସଂଘର୍ଷ ହେଉଛି ।
କେତେବେଳେ ବାରହା ଆକ୍ରମଣରେ ଲୋକେ ମୃତାହତ ହେଉଛନ୍ତି ତ ଆଉ କେତେବେଳେ ଲୋକଙ୍କ ଆକ୍ରମଣରେ ବାରହାଙ୍କ ମୃତ୍ୟୁ ହେଉଛି । ଏହାର ସୁଯୋଗ ନେଇ ଲୋକେ ବାରହା ଶୀକାର କରୁଛନ୍ତି ।
ଗତ ଦୁଇବର୍ଷ ମଧ୍ୟରେ ପ୍ରାୟ ୪୦ଟି ବାରହାଙ୍କୁ ଶିକାର ଓ ବିଷ ଦେଇ ହତ୍ୟା କରାଯାଇଥିବା ବେଳେ ବାରହା ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୫୦ରୁ ଅଧିକ ଗ୍ରାମବାସୀ ଆହତ ହୋଇଛନ୍ତି ।
ବନ୍ୟପ୍ରାଣୀ ସୁରକ୍ଷା ଆଇନ ବଳରେ ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୨୦ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି ବୋଲି ଡିଏଫଓ ବିକାଶ ରଞ୍ଜନ ଦାଶ କହିଛନ୍ତି ।
ଘଉଡ଼ାଇବା ବେଳେ ବାରହା ଦଳ ଆକ୍ରମଣ କରୁଛନ୍ତି । ବ୍ୟାପକ ଫସଲ ନଷ୍ଟ କରିବା ସହ ବିଲ ଖୋଳି ଦେଉଛନ୍ତି ବୋଲି ଗୁପ୍ତି ଗାଁର ଅଜୟ ଦାସ କହିଛନ୍ତି ।
ଫସଲ ରକ୍ଷା ପାଇଁ ବାରହା ଶିକାର କରିବାକୁ ସରକାର ଅନୁମତି ଦେବା ଉଚିତ । ଉତ୍ତରାଖଣ୍ଡ ଓ ବିହାର ସରକାର ୨୦୧୬ରେ ଏପରି ନିଷ୍ପତ୍ତି ନେଇ ସାରିଛନ୍ତି ।
ବନ୍ୟପ୍ରାଣୀ ସୁରକ୍ଷା ଆଇନର ଧାରା ୬୨ ଅନୁଯାୟୀ ସିଡୁ୍ୟଲ ୧ ଓ ସିଡୁ୍ୟଲ ୨ର ଭାଗ ୨ରେ ସ୍ଥାନ ପାଇନଥିବା ପଶୁଙ୍କ ସଂଖ୍ୟା ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇପାରିବା ବ୍ୟବସ୍ଥା ରହିଛି ବୋଲି କୃଷକ ନେତା ତଥା ଜିଲ୍ଲା କୃଷକ ସଭା ସଭାପତି ଉମେଶ ଚନ୍ଦ୍ର ସିଂହ କହିଛନ୍ତି ।
ଲୋକାଲ ୱାୟାର
Leave a Reply