କେନ୍ଦ୍ରାପଡ଼ା, ମାର୍ଚ୍ଚ ୨୫ (ଲୋକାଲ ୱାୟାର): ସମନ୍ୱିତ ତଟୀୟ କ୍ଷେତ୍ର ପ୍ରବନ୍ଧନ କାର୍ଯ୍ୟକ୍ରମ (ଆଇସିଜେଡଏମପି) ଅନ୍ତର୍ଗତ ଭିତରକନିକାରେ ହେନ୍ତାଳ ବନୀକରଣ ପ୍ରକଳ୍ପରେ ବଡ଼ ଧରଣର ଦୁର୍ନୀତି ହୋଇଛି ।
ଗୋଜା, ଚାରିଘରିଆ, ଦେବେନ୍ଦ୍ରନାରାୟଣପୁର ଓ ଚିତଖୋଲା ଗାଁରେ ୧,୦୫,୨୨୫ ଗଛ ବଦଳରେ ମାତ୍ର ଏକ ପ୍ରତିଶତ ହେନ୍ତାଳ ବନୀକରଣ ହୋଇଥିବା ଆରଟିଆଇ ତଥ୍ୟରୁ ଜଣାପଡ଼ିଛି ।
ସିଲାପୋଖରୀ ଗାଁର ଆଇଟିଆଇ କର୍ମକର୍ତା ଲମ୍ବୋଦର ବାରିକ ଏହି ବନୀକରଣ କାର୍ଯ୍ୟକ୍ରମର ବିସ୍ତୃତ ରିପୋର୍ଟ ମାଗିଥିଲେ ।
୨୦୧୫ରେ ବନ ବିଭାଗ ଆଇସିଜେଡଏମପି ଅଧୀନରେ ସ୍ୱେଚ୍ଛାସେବୀ ସଂଗଠନ ଏପିଓଡବ୍ଲୁଏକୁ ବନୀକରଣ ପାଇଁ ୧୦.୭୨ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ।
ବାତ୍ୟା, ସମୁଦ୍ରକ୍ଷୟ ଭଳି ପରିସ୍ଥିତିରେ ସୁରକ୍ଷା ପ୍ରଦାନ ପାଇଁ ଚାରିଟି ସମୁଦ୍ରକୂଳିଆ ଗାଁର ୪୨ ହେକ୍ଟରରୁ ଅଧିକ ଜମିରେ ବନୀକରଣ କରିବା ପାଇଁ ଟଙ୍କା ମଞ୍ଜୁର ହୋଇଥିଲା ।
ତେବେ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ରୋପଣ ହୋଇଥିବା ଚାରାରୁ ମାତ୍ର ଏକ ପ୍ରତିଶତ ଗଛ ଏବେ ରହିଛି ବୋଲି ଆରଟିଆଇ ରିପୋର୍ଟରୁ ଜଣାପଡିଛି ।
ହେନ୍ତାଳ ବନୀକରଣ ପ୍ରକଳ୍ପରେ ବଡ ଧରଣର ଦୁର୍ନୀତି ଲୋକଲୋଚନକୁ ଆସିବା ପରେ ସରକାର ଏହାର ତଦନ୍ତ ପାଇଁ ନିଦେ୍ର୍ଦଶ ଦେବା ଉଚିତ ବୋଲି କହିଛନ୍ତି କେନ୍ଦ୍ରାପଡାର ସମାଜସେବୀ ବିଶ୍ୱନାଥ ବେହେରା ।
ଆଇସିଜେଡଏମପି ଅନ୍ତର୍ଗତ ୧୦.୭୨ ଲକ୍ଷ ଟଙ୍କା ବ୍ୟୟରେ ୧,୦୫,୨୨୫ଟି ଗଛ ଲଗା ଯାଇଥିଲା ।
ଗଛ ରକ୍ଷଣାବେକ୍ଷଣ ଦାୟିତ୍ୱ ବନ ବିଭାଗର ଥିଲା । ବନ କର୍ମଚାରୀଙ୍କ ଅବହେଳା ଯୋଗୁଁ ହେନ୍ତାଳ ଚାରାଗୁଡ଼ିକୁ ଗାଈଗୋରୁ ଓ ଲୋକେ ନଷ୍ଟ କରି ଦେଇଛନ୍ତି ବୋଲି କହିଛନ୍ତି ଏପିଓଡବ୍ଲୁଏ ନିଦେ୍ର୍ଦଶକ ବିଜୟ କୁମାର କବି ।
ତେବେ ବନୀକରଣ ଓ ରକ୍ଷଣାବେକ୍ଷଣ କାମ ସ୍ୱେଚ୍ଛାସେବୀ ସଂଗଠନକୁ ପ୍ରଦାନ କରାଯାଇଥିଲା । ସେମାନଙ୍କ ଅବହେଳା ଯୋଗୁଁ ମାତ୍ର ୧ ପ୍ରତିଶତ ଗଛ ରହିଛି ।
ଏହି ମାମଲାର ତଦନ୍ତ ଚାଲିଛି ବୋଲି କହିଛନ୍ତି ଭିତରକନିକା ଡିଏଫଓ ବିକାଶ ରଞ୍ଜନ ଦାଶ ।
ଲୋକାଲ ୱାୟାର
Leave a Reply